ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ୍ କେରିଲୋ ଗ୍ରାମପଞ୍ଚାୟତ ଛପଚିକଣା ଗ୍ରାମର ତପନଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାବେଳେ ପରିବାର ଲୋକେ ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି । ତାଙ୍କର ଚିକିତ୍ସା ନିମନ୍ତେ ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଆବଶ୍ୟକତା ଥିବାରୁ କେମିତି ଏହା ଯୋଗାଡ଼ କରିବେ ସେ ନେଇ କୌଣସି ଉପାୟ ପାଉନଥିବା କହିଛନ୍ତି ପରିବାର ଲୋକେ । ଛପଚିକଣା ଗ୍ରାମର ତପନ କୁମାର ରାଉଳ (୪୨) ଜଣେ ଅତ୍ୟନ୍ତ ଗରିବ ପରିବାରର । ପତ୍ନୀ ସସ୍ମିତା, ଦୁଇ ପୁଅ ଓ ଜଣେ ଝିଅକୁ ନେଇ ତାଙ୍କ ସଂସାର । ତାଙ୍କର ଜମିବାଡ଼ି ନଥିବାବେଳେ ପରର କାମ କରି ପରିବାର ପ୍ରତିପୋଷଣ କରନ୍ତି । ୩ବର୍ଷ ତଳେ ଏକ ବାଇକ୍ ଯୋଗେ ଫେରୁଥିଲା ବେଳେ ଅସୁରେଶ୍ୱର ଲୁଣା ନଦୀ ସେତୁ ଉପରେ ତାଙ୍କୁ ଏକ ବାଲି ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ହୋଇଥିଲେ । ପତ୍ନୀ ସସ୍ମିତା ଘରର ସମସ୍ତ ଆସବାପତ୍ର ବିକ୍ରୟ କରି ତାଙ୍କୁ ଆରୋଗ୍ୟ କରିବା ନିମନ୍ତେ ପ୍ରାୟ ୪ଲକ୍ଷରୁ ୁଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଥିଲେ । ତେବେ ଚିକିତ୍ସା ହୋଇ ଘରକୁ ଫେରିବାର କିଛିଦିନ ପରେ ତପନ ମାନସିକ ଭାରସାମ୍ୟ ହରାଇବା ସହ ତାଙ୍କ ମୁଣ୍ଡରୁ କ୍ରମାଗତ ଭାବେ ପୂଜ ବାହାରିଥିଲା । ପୁଣି ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ନେଇଥିଲା ବେଳେ ତାଙ୍କ ଚିକିତ୍ସା ନିମନ୍ତେ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଆବଶ୍ୟକତା ରହିଛି ବୋଲି ଡାକ୍ତର କହିଥିଲେ । ଏତେ ପରିମାଣର ଟଙ୍କା କେଉଁଠୁ ଯୋଗାଡ଼ କରିବେ ସେଥିନେଇ ସସ୍ମିତା ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି । ଅପରପକ୍ଷରେ ତପନ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ହୋଇଥିଲା ବେଳେ ମାନସିକ ଭାରସାମ୍ୟ ହରାଇଥିବାରୁ ଘରେ ଶଯ୍ୟାଶାୟୀ ହୋଇଛନ୍ତି । ଏପରି ସ୍ଥଳେ ତାଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି ।