14.1 C
Bhubaneswar
Friday, January 10, 2025
Homeଓଡିଶାଖବର ପ୍ରକାଶ ପରେ ଚେତିଲା ଏନ୍‌ଏଚ୍‌ଏଆଇ: ତମାଣ୍ଡୋ ଅଣ୍ଡରପାସ୍‌ କାମ ଆରମ୍ଭ

ଖବର ପ୍ରକାଶ ପରେ ଚେତିଲା ଏନ୍‌ଏଚ୍‌ଏଆଇ: ତମାଣ୍ଡୋ ଅଣ୍ଡରପାସ୍‌ କାମ ଆରମ୍ଭ

ଖଣ୍ଡଗିରି: ଅସରାଏ ବର୍ଷାରେ ଭାସୁଥିଲା ତମାଣ୍ଡୋ ଅଣ୍ଡରପାସ୍‌। ଗତ ୫ ବର୍ଷ ହେଲା ବର୍ଷା ଦିନେ ଏପରି ସ୍ଥିତି ଉପୁଜୁଥିଲେ ହେଁ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଏହାର ସ୍ଥାୟୀ ସମାଧାନ ପ୍ରତି ଦୃଷ୍ଟି ଦେଉ ନଥିଲା। କେବେ ୨ ବୋଝ ଚିପ୍ସ, ବଜୁରି ପକାଇ ତ କେବେ କଡ଼େଇଏ ସିମେଣ୍ଟ ଘୋଳା ପକାଇ କାମ ସାରି ଦେଉଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ ଉକ୍ତ ରାସ୍ତାର ସ୍ଥାୟୀ ନିର୍ମାଣ କାମ ଆରମ୍ଭ ହୋଇଛି। ତ‌ମାଣ୍ଡୋ ବଜାର ଉପରେ କାଶୀପୁର, ବାଲିଆପାଳ, ନଁପୁଟୁ, ମହୁରା, ରେତଙ୍ଗ, ବାଲିଆପାଡ଼ା, ଯାଁଳା, ମଦନପୁର, ବଡ଼ରଘୁନାଥପୁର, ଅରିସଲ, କାଇମାଟିଆ, ଜାଗସରାପାଟଣା, ନାରଗୋଦା, ପାତ୍ରପଡ଼ା, କଳିଙ୍ଗବିହାରର ଲୋକେ ନିର୍ଭର କରୁଥିବାରୁ ଅଣ୍ଡରପାସ୍‌ ତଳେ ପାଣି ଜମିବା ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦାନା ବାନ୍ଧୁଥିଲା। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକା‌ଶ ପରେ ୩ ଦିନ ହେବ ଏହାର କାମ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ ଓଭରବ୍ରିଜ୍ ତଳ ରାସ୍ତାରୁ ଜଳ ନିଷ୍କାସନ ଏକ ପ୍ରମୁଖ ସମସ୍ୟା ଥିଲା। ବହୁବାର ଅଭିଯୋଗ ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଠିକା ସଂସ୍ଥା ଏଆଇପିଏଲ ଦ୍ୱାରା ଉକ୍ତ ରାସ୍ତାର ଅସ୍ଥାୟୀ ମରାମତି କରାଯାଇଥିଲା। କିନ୍ତୁ କିଛି ଦିନ ପରେ ଉକ୍ତ ରାସ୍ତାଟି ସମ୍ପୂର୍ଣ ରୂପେ ନଷ୍ଟ ହୋଇଗଲା। ଯାହାଦ୍ୱାରା ତମାଣ୍ଡୋ ବଜାର ଉପରେ ନିର୍ଭରଶୀଳ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଲେ। ସ୍ଥାନୀୟ ସରପଞ୍ଚ ସନ୍ଧ୍ୟା ଜେନାଙ୍କ କହିବ‌ା କଥା‌ ପଞ୍ଚାୟତ ତରଫରୁ ପୁନର୍ବାର ଉକ୍ତ ସମସ୍ୟାକୁ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଓ ଗଣମାଧ୍ୟମରେ ମଧ୍ୟ ଏନେଇ ଖବର ପ୍ରକାଶ ପାଇଥିଲା। ଦାବି ଅନୁଯାୟୀ ରାସ୍ତାକୁ ସମ୍ପୂର୍ଣ୍ଣ ରୂପେ ଖୋଳି ସ୍ଥାୟୀ ଭାବେ ନିର୍ମାଣ କରାଯାଉଛି। ଠିକା ସଂସ୍ଥାର ସୂଚନା ଅନୁଯାୟୀ ଏଥିପାଇଁ ପ୍ରାୟ ୧୫ ରୁ ୨୦ ଦିନ ସମୟ ଲାଗିବ। ତେଣୁ ଓଭରବ୍ରିଜ୍ ତଳ ରାସ୍ତା ଦେଇ ଗମନାଗମନ କିଛି ଦିନ ପାଇଁ ବନ୍ଦ ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking