ହାମିଲ୍ଟନ୍: ନ୍ୟୁଜିଲାଣ୍ଡ ଶୁକ୍ରବାର ସମ୍ପନ୍ନ ସାଉଥ୍ ଆଫ୍ରିକା ବିପକ୍ଷ ହାମିଲଟନ୍ ଟେଷ୍ଟ୍ ୭ ୱିକେଟ୍ରେ ଜିତିନେଇଛି । ଏହା ସହିତ ଦୁଇ ମ୍ୟାଚ୍ରୁ ଟେଷ୍ଟ୍ ସିରିଜ୍ରେ ନ୍ୟୁଜିଲାଣ୍ଡ କ୍ଲିନ୍ ସ୍ୱିପ୍ ମଧ୍ୟ କରିଛି । କିୱି ଟିମ୍ ଟେଷ୍ଟ୍ ସିରିଜ୍ରେ ସାଉଥ୍ ଆଫ୍ରିକାକୁ ହରାଇବା ଏହା କ୍ରିକେଟ୍ ଇତିହାସରେ ପ୍ରଥମ ଘଟଣା । ନ୍ୟୁଜିଲାଣ୍ଡ ଓ ସାଉଥ୍ ଆଫ୍ରିକା ମଧ୍ୟରେ ୧୯୩୨ରେ ପ୍ରଥମ ଥର ଟେଷ୍ଟ୍ ସିରିଜ୍ ଖେଳାଯାଇଥିଲା । ସେତେବେଳେ ଦୁଇ ମ୍ୟାଚ୍ର ଟେଷ୍ଟ୍ ସିରିଜ୍ ସାଉଥ୍ ଆଫ୍ରିକା ୨-୦ରେ ଜିତିଥିଲା । ଏହା ପରଠାରୁ ବର୍ତ୍ତମାନ ସୁଦ୍ଧା ଅର୍ଥାତ୍ ଗତ ୯୨ ବର୍ଷରେ ଦୁଇ ଟିମ୍ ମଧ୍ୟରେ ଖେଳାଯାଇଥିବା ୧୮ ଟେଷ୍ଟ୍ ସିରିଜ୍ ମଧ୍ୟରୁ ଗୋଟିଏ ବି ନ୍ୟୁଜିଲାଣ୍ଡ ଜିତିପାରି ନଥିଲା ।
ଏହା ମଧ୍ୟରେ ୪ଟି ସିରିଜ୍ ଡ୍ର’ ରହିଥିବା ବେଳେ ସାଉଥ୍ ଆଫ୍ରିକା ୧୪ ସିରିଜ୍ ଜିତିଥିଲା । ଏବେ ପ୍ରଥମ ଥର ପାଇଁ କିୱି ଟିମ୍ ସିରିଜ୍ କବ୍ଜା କରିଛି । ନ୍ୟୁଜିଲାଣ୍ଡର ଏହି ଐତିହାସିକ ବିଜୟରେ ବ୍ୟାଟିଂରେ କେନ୍ ୱିଲିୟମ୍ସନ୍ ଓ ବୋଲିଂରେ ୱିଲିୟମ୍ ଓ’ରୁର୍କିଙ୍କ ସର୍ବାଧିକ ଯୋଗଦାନ ରହିଛି । ସିରିଜ୍ର ଚାରିଟି ଇନିଂସ୍ରେ ୱିଲିୟମ୍ସନ୍ ୪୦୩ ରନ୍ ସଂଗ୍ରହ କରିଥିବା ବେଳେ ଓ’ରୁର୍କି ମାତ୍ର ଗୋଟିଏ ମ୍ୟାଚ୍ରେ ୯ ୱିକେଟ୍ ଅକ୍ତିଆର କରି ପ୍ରୋଟିୟାଜ୍ ବ୍ୟାଟର୍ଙ୍କ ଅଣ୍ଟା ଭାଙ୍ଗି ଦେଇଛନ୍ତି । ଓ’ରୁର୍କି ସିରିଜ୍ର ଦ୍ୱିତୀୟ ତତା ଅନ୍ତିମ ମ୍ୟାଚ୍ରେ ଏହି ଦମ୍ଦାର ପ୍ରଦର୍ଶନ କରିଛନ୍ତି । ଏହି ପ୍ରଦର୍ଶନ କାରଣରୁ ତାଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ମଧ୍ୟ ମିଳିଛି ।
ଏହି ସିରିଜ୍ର ପ୍ରଥମ ମ୍ୟାଚ୍କୁ ନ୍ୟୁଜିଲାଣ୍ଡ ୨୮୧ ରନ୍ରେ ଜିତିଥିଲା । ସେହିପରି ଦ୍ୱିତୀୟ ମ୍ୟାଚ୍ରେ ଟିମ୍କୁ ୭ ୱିକେଟ୍ର ବିଜୟ ମିଳିଛି । ହାମିଲ୍ଟନ୍ର ସିଡେନ୍ ପାର୍କରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଆଗରେ ସାଉଥ୍ ଆଫ୍ରିକା ୨୬୭ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା । ନ୍ୟୁଜିଲାଣ୍ଡ ୩ ୱିକେଟ୍ ହରାଇ ଏହାକୁ ହାସଲ କରିନେଇଛି । ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲାଣ୍ଡ ୧୧୭ ରନ୍ରେ ୩ ୱିକେଟ୍ ହରାଇଥିଲା । କେନ୍ ୱିଲିୟମ୍ସନ୍ ଏହାପରେ ୱିଲ୍ ୟଙ୍ଗ୍ଙ୍କ ସହ ଅପରାଜିତ ୧୫୨ ରନ୍ର ଭାଗୀଦାରି କରି ନ୍ୟୁଜିଲାଣ୍ଡକୁ ବିଜୟ ଦେଇଛନ୍ତି । କେନ୍ ୱିଲିୟମ୍ସନ୍ ୨୬୦ ବଲ୍ରେ ୧୨ ଚୌକା ଓ ୨ ଛକା ସହାୟତାରେ ଅପରାଜିତ ୧୩୩ ରନ୍ର ଶତକୀୟ ଇନିଂସ୍ ଖେଳିଛନ୍ତି । ଏହା ଟେଷ୍ଟ୍ କ୍ୟାରିୟର୍ରେ ତାଙ୍କର ୩୨ତମ ଶତକ । ସେହିପରି ୟଙ୍ଗ୍ ୧୩୪ ବଲ୍ରୁ ୬ ଚୌକା ସହାୟତାରେ ୬୦ ରନ୍ କରି ଅପରାଜିତ ରହିଛନ୍ତି ।