ନୂଆଦିଲ୍ଲୀ : ସୁଭାଷ ଚନ୍ଦ୍ର ବୋଷଙ୍କର ବାପା ଜାନକୀ ନାଥ ବୋଷଙ୍କ ଔରସରୁ ଓ ମାଆ ପ୍ରଭାବତୀ ଦେବୀଙ୍କଠାରୁ ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଦିନ ଓଡ଼ିଶାର କଟକ ସହରଠାରେ ଜନ୍ମ ନେଇଥିଲେ । ତାଙ୍କ ପିତା ଥିଲେ ଜଣେ ଆଇନଜୀବୀ । ଚଉଦ ଭାଇଭଉଣୀଙ୍କ ମଧ୍ୟରୁ ସେ ଥିଲେ ନବମ । ଅନ୍ୟ ଭାଇଭଉଣୀଙ୍କ ପରି ତାଙ୍କ ଶିକ୍ଷା ବାପଟିଷ୍ଟ ମିଶନଦ୍ୱାରା ପରିଚାଳିତ ପ୍ରୋଟେଷ୍ଟାଣ୍ଟ ଇଉରୋପିଆନ ସ୍କୁଲରେ ଜାନୁଆରୀ ୧୯୦୨ରେ ଆରମ୍ଭ ହେଲା । ୧୯୦୯ରେ କଟକର ରେଭେନ୍ସା କଲେଜିଏଟ ସ୍କୁଲକୁ ସ୍ଥାନାନ୍ତରଣ ପରେ ସେହିଠାରୁ ସେ ୧୯୧୩ରେ ମ୍ୟାଟ୍ରିକ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ରଖି ଉତ୍ତୀର୍ଣ୍ଣ ହେଲେ । ପ୍ରଥମଟି ଦିନରୁ ହିଁ ତାଙ୍କ ପ୍ରଧାନଶିକ୍ଷକ ବେନିମାଧବ ଦାସ ତାଙ୍କ ପ୍ରତିଭାକୁ ଚିହ୍ନିଥିଲେ । ମାଧ୍ୟମିକ ଶିକ୍ଷା ସମାପ୍ତ କଲାପରେ କଲିକତାର ପ୍ରେସିଡେନ୍ସୀ କଲେଜରେ ଦର୍ଶନ ଶାସ୍ତ୍ର ଏବଂ ସ୍କଟିସ ଚର୍ଚ୍ଚ କଲେଜରେ ପାଠ ପଢ଼ିଥିଲେ ।
ପ୍ରେସିଡେନ୍ସୀ କଲେଜରେ ପଢୁଥିବା ସମୟରେ ଅଧ୍ୟାପକ ସି.ଏଫ୍. ଓ୍ୱେଟେନଙ୍କ ଭାରତ ବିରୋଧୀ ମନ୍ତବ୍ୟରେ କ୍ଷୁବ୍ଧ ହୋଇ ଅନ୍ୟ ପିଲାଙ୍କ ସହିତ ତାଙ୍କୁ ଦୁର୍ବ୍ୟବହାର କରିଥିବା କାରଣରୁ କଲେଜରୁ ବହିଷ୍କୃତ ହୋଇଥିଲେ । ୧୯୧୯ ମସିହାରେ ପିତାଙ୍କ ବାଧ୍ୟବାଧ୍ୟକତାରେ ବିଲାତ ଯାଇ ୧୯୨୦ ମସିହରେ ଆଇ. ସି. ଏସ. ପରୀକ୍ଷାରେ ଚତୁର୍ଥ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୨୧ରେ ଆଇସିଏସର ତାଲିମ ନେଉଥିବା ବେଳେ ଭାରତରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା, ତେଣୁ ସେ ଅଧାରୁ ତାଲିମ ଛାଡ଼ି ଭାରତ ଫେରି ଆସିଥିଲେ।
ନେତାଜୀଙ୍କୁ ପାଞ୍ଚବର୍ଷ ସମୟ ଅର୍ଥାତ ୧୯୦୨ ମସିହାରେ ତାଙ୍କ ପିତା ଜାନକୀନାଥ ପ୍ରାଥମିକ ଶିକ୍ଷା ନିମନ୍ତେ କଟକ ପ୍ରୋଟେଷ୍ଟାଣ୍ଡ ସ୍କୁଲଠାରେ ନାମ ଲେଖାଇଥିଲେ । ସେଠାରେ ସୁଭାଷ ଜଣେ ମେଧାବୀ ଛାତ୍ର ଭାବରେ ସୁନାମ ଅର୍ଜନ କରିଥିଲେ । ସେହି ସମୟରେ ପ୍ରୋଟେଷ୍ଟାଣ୍ଡ ସ୍କୁଲର ନିୟମ ଅନୁସାରେ ଭାରତରେ ଜନ୍ମ ଗ୍ରହଣ କରିଥିବା ଯେ ଛାତ୍ର ଯେତେ ଅଧିକ ନମ୍ବରରଖି ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ସେମାନଙ୍କୁ ଅନେକ ବୃତ୍ତି ଦେବା କ୍ଷେତ୍ରରେ ପାତର ଅନ୍ତର ପ୍ରଥା ଅବଲମ୍ବନ କରାଯାଉଥିଲା । ତାହା ହିଁ ଥିଲା ସୁଭାଷଙ୍କ ମନରେ ବିଦ୍ରୋହତା । ପିତା ସୁଭାଷଙ୍କର ମନକଥା ବୁଝି ସୁଭାଷଙ୍କର ଶିକ୍ଷାକୁ ଦେଶୀୟ ହିସାବରେ ଶିକ୍ଷାଦାନ ନିମନ୍ତେ ୧୯୦୯ ମସିହାରେ ପରବର୍ତ୍ତୀ ଶିକ୍ଷା ବ୍ୟବସ୍ଥା ରେଭେନ୍ସା କଲେଜିଏଟ ସ୍କୁଲରେ ନାମ ଲେଖାଇଥିଲେ ।
୧୯୦୮ମସିହା ଅଗଷ୍ଟ ମାସ ୧୧ ତାରିଖ ଦିନ ଖୁଦୀରାମଙ୍କୁ ଇଂରେଜ ସରକାରଙ୍କଦ୍ୱାରା ଫାସି ଦିଆଯାଇଥିଲା । ସୁଭାଷଙ୍କ ପ୍ରତି ଏହାର ପ୍ରଭାବ ପଡ଼ିଲା । ଛାତ୍ର ଜୀବନ କାଳରେ ୧୯୧୧ ମସିହାରେ ସୁଭାଷ ହେଲେ ବିଶ୍ୱବିଦ୍ୟାଳୟର ଶ୍ରଦ୍ଧାର ପାତ୍ର । ଜଣେ ଦକ୍ଷ ସଂଗଠକ, ସୁଭାଷ ବୋଷଙ୍କଦ୍ୱାରା ଖୁଦିରାମଙ୍କର ସ୍ମୃତି ବାର୍ଷିକ ପାଳନ କରାଗଲା । ପୁନଶ୍ଚ ୧୯୧୧ ମସିହା ଅଗଷ୍ଟ ମାସରେ ରେଭେନ୍ସା କଲେଜିଏଟ ସ୍କୁଲ ଛାତ୍ରାବାସରେ ଚୁଲି ଜଳାଗଲା ନାହିଁ । ସମସ୍ତେ ଉପବାସ ରହି ତାହା ପାଳନ କଲେ । ସ୍ମୃତି ସଭାରେ ସୁଭାଷଙ୍କର ବକ୍ତୃତା ସମସ୍ତ ମର୍ମସ୍ପର୍ଶୀ ହେଲା । ସେ ଦିନ ସୁଭାଷ ତାଙ୍କର ସମସ୍ତ ଛାତ୍ର ବନ୍ଧୁଙ୍କୁ ଉଦ୍ୱୋଧନ ଦେଇ କହିଥିଲେ ଦେଶର ଲୋକମାନଙ୍କୁ ଦେଶାତ୍ମକ କରିବାକୁ ହେଲେ ସେମାନଙ୍କୁ ଦେଶାତ୍ମକ ଧର୍ମରେ ଦୀକ୍ଷିତ କରିବାକୁ ହେବ ।
ସହୀଦ ଖୁଦୀରାମଙ୍କର ସ୍ମୃତି ଦିବସ ପାଳନ ହେବାର ସମ୍ବାଦ ଇଂରେଜ ସରକାରଙ୍କ ନିକଟକୁ ପହଞ୍ଚିଲା । ସେଥିଯୋଗୁଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କେତେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା ପ୍ରଧାନ ଶିକ୍ଷକ ବେଣିମାଧବ ଦାସଙ୍କୁ । ଏହି କାରଣରୁ ବେଣୀମାଧବ ଦାସଙ୍କ ନଦୀଆ ଜିଲ୍ଲା ଅନ୍ତର୍ଗତ କୃଷ୍ଣଗେରକୁ ଯିବାକୁ ଆଦେଶ ଆସିଲା । ଶିକ୍ଷକଙ୍କ ବଦଳିର ଆଦେଶ ଶୁଣି ଚୁପ ରହିପାରିଲେ ନାହିଁ, ସମସ୍ତ ଛାତ୍ରମାନଙ୍କୁ ନେଇ ଆନ୍ଦୋଳନ କରିଥିଲେ ମଧ୍ୟ ଶେଷରେ ଶିକ୍ଷକଙ୍କ ବଦଳି ହୋଇଥିଲା । ୧୯୧୩ ମସିହାରେ ସୁଭାଷଙ୍କର ମେଟ୍ରିକୁଲେସନ ପରୀକ୍ଷା ଫଳ ପ୍ରକାଶ ପାଇଲା । ସୁଭାଷ ସମସ୍ତଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ପିତା ଜାନକୀନାଥଙ୍କ ଇଛାରେ ୧୯୧୩ ମସିହାରେ ସେ କଲିକତା ବଙ୍ଗଳା ଶ୍ରେଷ୍ଠ କଲେଜ ପ୍ରେସିଡେନ୍ସି କଲେଜରେ ଯୋଗଦେଲେ ।
ଗାନ୍ଧିଜୀଙ୍କ ସହ ସାକ୍ଷାତ: ୧୯୨୧ ମସିହା ଜୁଲାଇ ୧୬ରେ ସୁଭାଷ ବୋଷ କେମ୍ବ୍ରିଜ ପରିତ୍ୟାଗକରି ବମ୍ବେ ଆସିଥିଲେ । ସେ ଯେଉଁ ଜାହାଜରେ ଆସୁଥିଲେ ସେ ଜାହାଜରେ ରବିନ୍ଦ୍ରନାଥ ଟାଗୋର ମଧ୍ୟ ଭାରତ ଆସୁଥିଲେ । ତାଙ୍କ ସହ ଅଲୋଚନା କରି ସେ ଜାଣିଥିଲେ ଯେ ନିଜେ ରବିନ୍ଦ୍ରନାଥ ଗାନ୍ଧିଜୀଙ୍କର ଆନ୍ଦୋଳନ ପ୍ରତ୍ୟାହାର ନୀତିକୁ ସମର୍ଥନ କରୁଥିଲେ । ସେ ବମ୍ବେରୁ ଓହ୍ଲାଇ ମହାତ୍ମାଗାନ୍ଧୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ସେତେବେଳେ ଗାନ୍ଧିଜୀ ଥିଲେ ବାସ୍ତବରେ କଂଗେସର ଅପ୍ରତିଦ୍ୱନ୍ଦୀ ଓ କର୍ଣ୍ଣଧାର ମାତ୍ର ୧୯୧୪ ମସିହାରେ ଭାରତକୁ ଫେରି ଆସିବା ସମୟରେ ଦକ୍ଷିଣ ଆଫ୍ରିକାରେ ପାର୍ଲିଆମେଣ୍ଟ ବିରୁଦ୍ଧରେ ଭାରତୀୟମାନଙ୍କ ଅଧୀକାରର ସୁରକ୍ଷା ଆଣିବା ନିମନ୍ତେ ସତ୍ୟାଗ୍ରହଦ୍ୱାରା ସଫଳ ହୋଇଥିଲେ । ସେତେବେଳେ ଗାନ୍ଧିଜୀ ବମ୍ବେର ମଣିଭବନରେ ବସ କରିଥିଲେ । ସେଠାରେ ସେ ସ୍ୱାଧୀନତା ସଂଗ୍ରାମର ପରିକଳ୍ପନା କଣ ଏବଂ ରୂପାୟନ ସଂପର୍କରେ ସ୍ପଷ୍ଟ ଧାରଣ କଣ ତାହା ଜାଣିବାକୁ ପାଇଲେ ।
ସ୍ୱରାଜ ଦଳ:୧୯୨୪ ମସିହା ଆରମ୍ଭ ସମୟରେ କଲିକତା ପୌରସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଠାରେ ସ୍ୱରାଜ ଦଳ ଅଧିକ ସଂଖ୍ୟକ ବିଜୟୀ ହୋଇଥିଲେ । ଏହାଦ୍ୱାରା ଦେଶବନ୍ଧୁ ଚିତ୍ତରଞ୍ଜନ ମେୟର ଶହିଦ ସୁରା ବନ୍ଦୀ ଡେପୁଟି ମେୟର ଭାବରେ ନିର୍ବାଚିତ ହେଲେ । ଏ କ୍ଷେତ୍ରେ ସୁଭାଷ ଚନ୍ଦ୍ର ଏପରି ପଦବୀରେ ରହି ଯେଉଁ ଦରମା ପାଇଲେ ତାହାର ଅର୍ଦ୍ଧେକ ଅଂଶ ଦାନ ଭାବରେ ଦେଉଥିଲେ । ତାଙ୍କ କାର୍ଯ୍ୟ ଶୈଳୀ ନିପୁଣ ତଥା ନ୍ୟାୟ ସଙ୍ଗତ ହୋଇଥିବାରୁ ସେତେବେଳକାର ପୌରସଭାରେ ଥିବା ଅନ୍ୟାନ୍ୟ ବହୁ ବିଭାଗରେ ଇଂରାଜୀ କର୍ମଚାରୀମାନେ ସୁଭାଷ ଚନ୍ଦ୍ରଙ୍କର ତଳିଆ କର୍ମଚାରୀ ଭାବରେ କାର୍ଯ୍ୟ ପରିଚାଳନା କରୁଥିଲେ । କଲିକତାର ପୌର ସଭାର ସର୍ବପ୍ରଧାନ ଦାୟିତ୍ୱ ନେବାପରେ ସୁଭାଷ କଲିକତାର ବହୁ ଉନ୍ନୟନ କାର୍ଯ୍ୟ କଲେ । ଆଇନ ସଭାରେ ସ୍ୱରାଜ ଦଳ ଏକ ଶକ୍ତିଶାଳୀ ଦଳର ଭୂମିକା ଗ୍ରହଣ କଲା । ଏହା ପରେ ସ୍ୱରାଜ ଦଳକୁ ଏକ ଶ୍ରେଷ୍ଠଦଳ ଭାବରେ ବିବେଚିତ କରାଯାଇ ଭାରତର ସରକାର ଗଠନ କରିବା ନିମନ୍ତେ ଗୋଲ ଟେବୁଲ ବୈଠକ ଆହ୍ୱାନ କରାଯାଇଥିଲା ।
୧୯୧୯ ମସିହା ୩ ନମ୍ବର ଧାରା ପ୍ରୟୋଗ କରିବା ପାଇଁ ଅକ୍ଟୋବର ମାସ ୨୪ ତାରିଖରେ ବଡ଼ଲାଟଙ୍କ ତରଫରୁ ଘୋଷଣା ନାମା ପ୍ରକାଶ ପାଇଲା । ଏହି ଆଇନ ଅନୁସାରେ ସ୍ୱରାଜ ପନ୍ଥୀମାନଙ୍କୁ ଗିରଫ କରାଗଲା । ପୁନଶ୍ଚ ସେହି ଆଇନ ବଳରେ ସୁଭାଷଙ୍କୁ ଅକ୍ଟୋବର ୨୫ରେ ତାଙ୍କର ଏଲିଗିନ ରୋଡ଼ଠାରେ ଥିବା ବାସଭବନରୁ ଗିରଫ କଲେ । ସୁଭାଷ ଚନ୍ଦ୍ର ଜେଲରେ ଥିବା ସମୟରେ ସେହି ଜେଲରେ ଥିବା ଜଣେ ପୋଲିସ ଅଫିସରଙ୍କର ଅଶାଳିନ ବ୍ୟବହାରରେ ଅତିଷ୍ଟ ହୋଇ ତାକୁ ବହିଷ୍କାର କରିବାଦ୍ୱାରା ସୁଭାଷଙ୍କୁ ଆଲିପୁର ଜେଲରୁ ବରହପୁତ୍ର ଜେଲକୁ ସ୍ଥାନାନ୍ତରିତ କରଗଲା।୨୦୦୪ରେ ଶ୍ୟାମ ବେନେଗାଲ ସୁବାଷ ଚନ୍ଦ୍ର ବୋଷଙ୍କ ଜିବନୀକୁ ନେଇ ଏକ କଥାଚିତ୍ର, Netaji Subhas Chandra Bose: The Forgotten Hero କରିଥିଲେ । ଏହି କଥାଚିତ୍ରଟି ବହୁତ ଗୁଡିଏ ପୁରସ୍କାର ପାଇଥିଲା ।