29.1 C
Bhubaneswar
Saturday, May 11, 2024
Homeଓଡିଶାଓଡ଼ିଶାରେ ପ୍ଲାଣ୍ଟ ସ୍ଥାପନ କରିବ ନେସ୍‌ଲେ; ୨୦୨୫ ସୁଦ୍ଧା ଆଉ ୪୨୦୦ କୋଟିର ପୁଞ୍ଜି ନିବେଶ

ଓଡ଼ିଶାରେ ପ୍ଲାଣ୍ଟ ସ୍ଥାପନ କରିବ ନେସ୍‌ଲେ; ୨୦୨୫ ସୁଦ୍ଧା ଆଉ ୪୨୦୦ କୋଟିର ପୁଞ୍ଜି ନିବେଶ

ନୂଆଦିଲ୍ଲୀ: ସ୍ୱିଜରଲାଣ୍ଡର ମଲ୍‌ଟିନ୍ୟାସନାଲ କମ୍ପାନୀ ନେସ୍‌ଲେ ୨୦୨୫ ମସିହା ସୁଦ୍ଧା ଓଡ଼ିଶାରେ ପ୍ଲାଣ୍ଟ୍ ସ୍ଥାପନ କରିବ ବୋଲି ଜଣାପଡିଛି। ଶୁୁକ୍ରବାର ଏ ସମ୍ପର୍କରେ ସୂଚନା ଦେଇ ନେସ୍‌ଲେ ଇଣ୍ଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୁରେଶ ନାରାୟଣନ୍ କହିଛନ୍ତି ଯେ ଭାରତର ୧୦ମ ପ୍ଲାଣ୍ଟ୍ ଓଡ଼ିଶାରେ ସ୍ଥାପନ କରାଯିବାର ଯୋଜନା ରହିଛି । ଏହା ଭାରତରେ ନେସ୍‌ଲେର ୧୦ମ ପ୍ଲାଣ୍ଟଭାବେ ମାନ୍ୟତାଲାଭ କରିବ ଏବଂ ଏଥିପାଇଁ ୯୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ଜଣାପଡିଛି । ବର୍ତ୍ତମାନ ପଞ୍ଜାବର ମୋଗା, ହରିୟାଣାର ସାମାଇଖା, କର୍ଣ୍ଣାଟକର ନାଞ୍ଜନଗୁଡ୍‌, ତାମିଲନାଡୁର ଚୋଲାଡି, ଗୋଆର ପୋଣ୍ଡା ଓ ବିଚୋଲିମ୍‌, ଉତ୍ତରାଖଣ୍ଡଣ ପନ୍ଥ ନଗର, ହିମାଚଳ ପ୍ରଦେଶଣ ତାହିଲୱାଲ ଏବଂ ଗୁଜରାଟର ସାନନ୍ଦଠାରେ ନେସ୍‌ଲେ ଇଣ୍ଡିଆର ମୋଟ ୯ଟି ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ରହିଛି । ପୂର୍ବ ଭାରତରେ କୌଣସି ପ୍ଲାଣ୍ଟ ନଥିବାରୁ କମ୍ପାନୀ ଓଡ଼ିଶାକୁ ମନୋନୀତ କରିଥିବା କୁହାଯାଇଛି । ଓଡ଼ିଶାରେ ପ୍ରତିଷ୍ଠା କରାଯିବାକୁ ଥିବା ପ୍ଲାଣ୍ଟରେ କେଉଁ ସାମଗ୍ରୀ ପ୍ରସ୍ତୁତ କରାଯିବ, ତାହା ଅବଶ୍ୟ ଚୂଡାନ୍ତ ହୋଇନାହିଁ ।

ତେବେ ଏହି ପ୍ଲାଣ୍ଟ୍‌ରେ ପ୍ରଥମେ ମ୍ୟାଗି ନୁଡଲ୍‌ସ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଚୋକୋଲେଟ୍ ଓ କନ୍‌ଫେକ୍ସନାରୀ ପ୍ରସ୍ତୁତ କରାଯାଇପାରେ ବୋଲି ସୁରେଶ କହିଛନ୍ତି । ଏହାବ୍ୟତୀତ ବ୍ୟବସାୟ ବୃଦ୍ଧି ପାଇଁ କମ୍ପାନୀ ୨୦୨୫ ସୁଦ୍ଧା ଭାରତୀୟ ମାର୍କେଟରେ ୪୨୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ମଧ୍ୟ କରିବ ବୋଲି ସେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ମ୍ୟାଗି ନୁଡଲ୍‌ସ, କିଟ୍‌କାଟ୍ ଚୋକୋଲେଟ୍‌, ନେସ୍‌କାଫେ (କଫି), ବେବି ଫୁଡ୍‌, କନ୍‌ଫେକ୍ସନାରିଜ୍‌, ବ୍ରେକ୍‌ଫାଷ୍ଟ ସିରିଏଲ, ପ୍ୟାକେଡ୍ ପାନୀୟ ଜଳ ପାଇଁ ପ୍ରସିଦ୍ଧି ଲାଭ କରିଥିବା ନେସ୍‌ଲେ ଚଳିତ କ୍ୟାଲେଣ୍ଡର ବର୍ଷ (୨୦୨୩) ଜୁନ୍ ସୁଦ୍ଧା ଭାରତରେ ୨୧୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିସାରିଲାଣି । ଏଥିମଧ୍ୟରୁ ୭୦୦ କୋଟି ଟଙ୍କା ଫୁଡ୍ ସେକ୍ଟର ପାଇଁ ବ୍ୟୟବରାଦ ହୋଇଥିବାବେଳେ ଚୋକୋଲେଟ୍ ଓ କନ୍‌ଫେକ୍ସନାରିଜ୍ ପାଇଁ ୭୦୦ କୋଟି ଏବଂ ନ୍ୟୁଟ୍ରିସନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ୭୦୦ କୋଟି ଖର୍ଚ୍ଚ କରାଯାଇଛି । ଏହାବ୍ୟତୀତ ୨୦୨୩ରୁ ୨୦୨୫ ମଧ୍ୟରେ କମ୍ପାନୀ ଭାରତୀୟ ମାର୍କେଟରେ ଆଉ ୪୨୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛି ବୋଲି ସୁରେଶ କହିଛନ୍ତି । ପ୍ରାୟ ୬୦ ବର୍ଷ ପୂର୍ବେ ଭାରତରେ ବ୍ୟବସାୟ ଆରମ୍ଭ କରିବା ପରଠାରୁ ନେସ୍‌ଲେ ପ୍ରାୟ ୭୦୦୦ କୋଟି ପୁଞ୍ଜି ବିନିଯୋଗ କରିସାରିଲାଣି ।

ସ୍ୱିଜରଲାଣ୍ଡରେ ସ୍ଥାପିତ କମ୍ପାନୀ ମୁଖ୍ୟାଳୟରୁ ଆବଶ୍ୟକ ସମର୍ଥନ ମିଳୁଥିବାରୁ ଭାରତରେ ନେସ୍‌ଲେର ବ୍ୟବସାୟିକ ସାମ୍ରାଜ୍ୟ ବିସ୍ତାର ସମ୍ଭବ ହୋଇପାରୁଛି ବୋଲି ସୁରେଶ କହିଛନ୍ତି । ଓଡ଼ିଶାରେ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା ବ୍ୟତୀତ ଗୁଜରାଟର ସାନନ୍ଦରେ ଥିବା ପ୍ଲାଣ୍ଟ୍‌ର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ସଂପ୍ରସାରଣ ମଧ୍ୟ କରାଯିବ । ଏହାବ୍ୟତୀତ ପଞ୍ଜାବ (ମୋଗା) ଏବଂ ଗୋଆ (ପୋଣ୍ଡା)ରେ ଥିବା ଚୋକୋଲେଟ୍ ପ୍ଲାଣ୍ଟତ ସଂପ୍ରସାରଣ ଯୋଜନାକୁ ମଧ୍ୟ କାର୍ଯ୍ୟକାରୀ କରାଯିବ ବୋଲି ସୁରେଶ କହିଛନ୍ତି । ଅପରପକ୍ଷରେ ଭାରତରେ ଥିବା ନେସ୍‌ଲେର ୯ଟି କମ୍ପାନୀରେ ମୋଟ ୬ ହଜାର କର୍ମଚାରୀ କାର୍ଯ୍ୟରତ ଥିବାବେଳେ ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ମାତ୍ର ୨୫ ପ୍ରତିଶତ । ୨୦୨୫ ସୁଦ୍ଧା ସେମାନଙ୍କ ସଂଖ୍ୟା ୫୦ ପ୍ରତିଶତକୁ ବୃଦ୍ଧି କରାଯିବ ବୋଲି ମଧ୍ୟ ସୁରେଶ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking