ନୂଆଦିଲ୍ଲୀ: ଦିଲ୍ଲୀର ଦଙ୍ଗା ପ୍ରଭାବିତ ଜାହାଙ୍ଗୀରପୁରୀ ଅଞ୍ଚଳରେ ଏନ୍ଡିଏମ୍ସି (ନର୍ଥ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ) ପକ୍ଷରୁ ଚାଲିଥିବା ଉଚ୍ଛେଦ ଅଭିଯାନ ଉପରେ ସୁପ୍ରିମକୋର୍ଟ ବୁଧବାର ରହିତାଦେଶ ଜାରି କରିଛନ୍ତି । ବିନା ନୋଟିସରେ ଏଭଳି ଘରଭଙ୍ଗା ଅଭିଯାନ ସମ୍ପୂର୍ଣ୍ଣ ବେଆଇନ ବୋଲି ପିଟିସନଧାରୀଙ୍କ ଓକିଲ ଦୁଷ୍ୟନ୍ତ ଡାଭେ ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରିବାପରେ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍.ଭି.ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉପରୋକ୍ତ ରାୟ ଦେଇଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବୁଧବାର ଅପରାହ୍ନ ୨ଟାରୁ ଜାହାଙ୍ଗୀରପୁରୀରେ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଥାନ୍ତା । ଏହାକୁ ଦୃଷ୍ଟିରେ ରଖି ଜାମିଆତ୍ ଉଲାମା-ଇ-ହିନ୍ଦ୍ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଦାଏର କରାଯାଇଥିଲା ।
ତେବେ ଏନ୍ଡିଏମ୍ସି ପକ୍ଷରୁ ସକାଳ ୯ଟାରୁ ଘରଭଙ୍ଗା ଅଭିଯାନ ଆରମ୍ଭ ହୋଇଥିବାରୁ ଏହା ଜାହାଙ୍ଗୀରପୁରୀ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ଏ ସଂକ୍ରାନ୍ତରେ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ପୃଥକ ପିଟିସନ ଦାଏର କରାଯାଇଥିଲା । ମୁଖ୍ୟ ବିଚାରପତି ଜଷ୍ଟିସ ବିପିନ ସାଂଘିଙ୍କ ଅଧ୍ୟକ୍ଷତାରେ ଗଠିତ ହାଇକୋର୍ଟ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଏନ୍ଡିଏମ୍ସିର ପରିଚାଳନା ଦାୟିତ୍ୱ ବର୍ତ୍ତମାନ ବିଜେପି ହାତରେ ରହିଛି । ଜାହାଙ୍ଗୀରପୁରୀରେ ଲୋକେ ବେଆଇନଭାବେ ସରକାରୀ ଜମି ଦଖଲ କରିଥିବାରୁ ଏହାକୁ ଭାଙ୍ଗିବାକୁ ଏନ୍ଡିଏମ୍ସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ତେବେ ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦାଙ୍କୁ କୌଣସି ପ୍ରାକ୍ ନୋଟିସ ଜାରି କରାଯାଇନଥିଲା ।
ଏପରିକି ଘର ଭଙ୍ଗା ଚାଲିଥିବାବେଳେ ଅନେକ ବାସିନ୍ଦା ଅନୁପସ୍ଥିତ ଥିଲେ । ଏହି କାର୍ଯ୍ୟ ପାଇଁ ଦିଲ୍ଲୀ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀର ପ୍ରାୟ ୧୫୦୦ ଯବାନଙ୍କୁ ନିୟୋଜିତ କରାଯାଇଥିଲା । ବୁଧବାର ସକାଳେ ନର୍ଥ-ୱେଷ୍ଟ ଦିଲ୍ଲୀର ଡେପୁଟୀ ପୁଲିସ କମିଶନର ଉଷା ରଙ୍ଗ୍ନାନି ଅନ୍ୟ ପୁଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏହାପରେ ସକାଳ ୯.୩୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଛଚ୍ଛେଦ କାର୍ଯ୍ୟକ୍ରମ ଜାରି ରହିଥିଲା । ଏଥିରେ ଏନ୍ଡିଏମ୍ସିର ୧୪ଟି ଦଳ ଓ ୯ଟି ବୁଲଡୋଜରକୁ ନିୟୋଜିତ କରାଯାଇଥିଲା ।
ଅପରପକ୍ଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡାକଡିଭାବେ ପାଳନ କରାଯିବ ବୋଲି ଏନ୍ଡିଏମ୍ସି ମେୟର ରାଜା ଇକ୍ବାଲ ସିଂହ କହିଛନ୍ତି । ସୂଚନାଯୋଗ୍ୟ ହନୁମାନ ଜୟନ୍ତୀ ଅବସରରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା । ଶୋଭାଯାତ୍ରା ଜାହାଙ୍ଗୀରପୁରୀ ଅଞ୍ଚଳ ଦେଇ ଯାଉଥିବାବେଳେ ନିର୍ଦ୍ଦିଷ୍ଟ ସଂପ୍ରଦାୟର କେତେକ ବ୍ୟକ୍ତି ଏହା ଉପରକୁ ଟେକାପଥର ମାଡ କରିବାପରେ ସାଂପ୍ରଦାୟିକ ହିଂସାର ସୂତ୍ରପାତ ହୋଇଥିଲା । ପୁଲିସ ଏହି ଘଟଣାରେ ୩୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିବାବେଳେ ୫ ଜଣଙ୍କ ବିରୋଧରେ ଏନ୍ଏସ୍ଏ (ଜାତୀୟ ନିରାପତ୍ତା ଆଇନ) ଲାଗୁ କରିଛି । ହିଂସା ପରେ ଜାହାଙ୍ଗୀରପୁରୀ ଅଞ୍ଚଳରେ ଥିବା ଦଙ୍ଗାକାରୀଙ୍କ ଘର ଚିହ୍ନଟ କରି ଏହାକୁ ଭାଙ୍ଗିବାକୁ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା ଏନ୍ଡିଏମ୍ସି ମେୟରଙ୍କୁ ପତ୍ର ଲେଖିଥିଲେ ।