ଭୁବନେଶ୍ୱର (ବିପିନ ସିଂ): ରାଜନୀତିକ ଆଲୋଚନା ଓ ସମାଲୋଚନା ଉପରେ ସାଧାରଣତଃ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ପ୍ରତିକ୍ରିୟା ଦେଇ ନଥା’ନ୍ତି । ଏପରିକି ଜାତୀୟ ରାଜନୀତିରେ ରାଜ୍ୟ ନିର୍ବାଚନ ନେଇ କଉଁ ଦଳ ଜିତିଲା କଉଁ ଦଳ ହାରିଲା ତା’ଉପରେ କୌଣସି ମନ୍ତବ୍ୟ ଦେବା ଦେଖାଯାଇ ନଥାଏ । ହେଲେ କର୍ଣ୍ଣାଟକ ନିର୍ବାଚନରେ ବିଜେପିର ସୋଜନୀୟ ପରାଜୟ ପରେ ରାଜ୍ୟର ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଉପରେ ନିଜ ଦଳର ବିପୁଳ ବିଜୟ ପରୀପ୍ରେକ୍ଷୀର ପ୍ରତିକ୍ରିୟା ରଖିବାକୁ ଯାଇ ବିଜେପିକୁ ସିଧାସଳଖ କଟାକ୍ଷ କରିବା ଘଟଣା ଏବେ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ବିଜେପିର ଡବଲ ଇଞ୍ଜିନ୍ କଥାକୁ ମୁଖ୍ୟମନ୍ତ୍ରୀ ଏଭଳି ଭାବରେ କଟାକ୍ଷ କରିଛନ୍ତି ଯେଉଁଥିରୁ ସ୍ପଷ୍ଟ ବୁଝାପଡ଼ୁଛି ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଏକ ପ୍ରକାର ନିଶାନା କରିଛନ୍ତି କହିଲେ ଅତି୍ୱକ୍ତି ହେବ ନାହିଁ । ଏହି ସୁଯୋଗରେ ନବୀନ ତାଙ୍କ ରାଗ ସୁଜାଇବା ପାଇଁ ଏପରି କହିଥିବା କଥା କେହି କେହି ମତ ଦେଇଛନ୍ତି ।
ବିଜେପି ବିରୋଧୀ ମେଣ୍ଟ ଗଠନ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପାଇଁ ଓଡ଼ିଶା ଆସିଥିଲେ । ସାକ୍ଷାତ ପରେ ଉଭୟ ନେତା କୌଣସି ରାଜନୀତିକ ଆଲୋଚନା ହୋଇଥିବା କଥାକୁ ଅସ୍ୱୀକାର କରିଥିଲେ ଓ ତୃତୀୟ ମେଣ୍ଟ ନେଇ ଆଲୋଚନା ହୋଇନଥିବା କଥା ବି କହିଥିଲେ । ହେଲେ ପରିସ୍ଥିତି ଏପରି ହେଲା ନବୀନଙ୍କୁ ଦିଲ୍ଲୀ ଦୌଡ଼ିବାକୁ ପଡ଼ିଲା ଓ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ହେଲା । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଯଦିଓ ରାଜନୀତିକ ଆଲୋଚନା କଥା ହୋଇନଥିବା କଥା କହିଥିଲେ । ହେଲେ ତୃତୀୟ ମେଣ୍ଟ ନେଇ ଯେଉଁ ମତ ରଖିଲେ ସେଥିରୁ ଆଉ କିଛି ଅବୁଝା ରହିଲା ନାହିଁ । ବିଜେଡି ତାର ସମଦୂରତା ରକ୍ଷା କରି କାର୍ଯ୍ୟ କରିବ ଏବଂ ଏକାକି ନିର୍ବାଚନ ଲଢ଼ିବ ବୋଲି କହିଥିଲେ । ଏକଥା ନୀତୀଶଙ୍କ ସହ ଆଲୋଚନା ପରେ ଓଡ଼ିଶାରେ ଗଣମାଧ୍ୟକୁ କହିନଥିଲା ବେଳେ ଦିଲ୍ଲୀରେ କହିବାକୁ ପଡ଼ିଥିଲା । ରାଜ୍ୟର ବିକାଶ ନେଇ ଆଲୋଚନା ହୋଇଥିବା କଥା ନବୀନ କହିଥିଲେ ବି ତାଙ୍କର ଉକ୍ତ ବକ୍ତବ୍ୟରୁ ପରିସ୍ଥିତି ତାଙ୍କୁ କିପରି ବାଧ୍ୟ କରିଥିଲା ତାହା ଜଣାପଡ଼ିଲା ।
ଡବଲ ଇଞ୍ଜିନ୍ ସମ୍ପର୍କରେ କ’ଣ କହିଥିଲେ ନବୀନ ଶୁଣନ୍ତୁ….
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ହୋଇଛି । ଦଳ ପକ୍ଷରୁ ବେଶ୍ ଉତ୍ସାହ ପ୍ରକାଶ କରାଯାଇଛି । ଉକ୍ତ ଆଶନ ବିଜେଡିର ଥିଲା । ସେଠାକାର ବିଧାୟକ ମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା କରାଯିବା ପରେ ଏହି ଉପନିର୍ବାଚନ ହୋଇଥିଲା । ଏଣୁ ଏଠାରେ ବିଜେଡି ପୁଣି ନିର୍ବାଚିତ ହେବ ଏଥିରେ କୌଣସି ସନ୍ଦେହ ନଥିଲା କି ଦ୍ୱିମତ ହେବାର ନଥିଲା । ଏଥିରେ ଅଧିକ ଉତ୍ସାହିତ ହେବାର ସେପରି କୌଣସି କାରଣ ଦେଖାଯାଉ ନଥିଲା । ପଦ୍ମପୁର ଉପନିର୍ବାଚନରେ ବିଜେଡି ଜିତିବା ପରେ ବି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟା ରଖିଥିଲେ । ଏଥର ବି ଝାରସୁଗୁଡ଼ା ନିର୍ବାଚନ ବିଜୟ ପରେ ପ୍ରତିକ୍ରିୟା ରଖିଲେ । ଏହି ଦୁଇ ପ୍ରତିକ୍ରିୟା ମଧ୍ୟରେ ପାର୍ଥକ୍ୟ ଯାହା ରହିଛି ସେଥିରେ ଏଥର ପ୍ରତିକ୍ରିୟା ଗୁରୁତ୍ୱ ଅଧିକ ରହିଛି । ବିଜେପି ପ୍ରତି ନବୀନଙ୍କ ମନରେ ବେଶ୍ କ୍ଷୋଭ ରହିଥିବା ବୁଝା ପଡ଼ୁଛି । କେବଳ ରାଜନୈତିକ ବାଧ୍ୟକତା ପାଇଁ ତାଙ୍କୁ ବିଭିନ୍ନ ମସୟରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ହେବାକୁ ପଡ଼ୁଛିି ଏବଂ ମୋଦୀ ଓ ଶାହାଙ୍କ କଥା ରଖିବାକୁ ହେଉଛି । ନୀତୀଶ କୁମାରଙ୍କ ସହ ଆଲୋଚନା ପରେ ତତ୍କ୍ଷାଣତ୍ ଯେପରି ଦିଲ୍ଲୀ ଯିବାକୁ ହେଲା ବୋଧହୁଏ ତାହାକୁ ନବୀନ ସହଜରେ ଗ୍ରହଣ କରିନାହାଁନ୍ତି । ଯାହା ଫଳରେ କି ବିଜେପି ଶେଷ ନେତୃତ୍ୱ ମୋଦୀ ଓ ଶାହାଙ୍କ ଡବଲ ଇଞ୍ଜିନ୍ ବାର୍ତ୍ତାକୁ ନବୀନ ସମାଲୋଚନା କରିଛନ୍ତି । କର୍ଣ୍ଣାଟକରେ ବିଜେପିର ପରାଜୟ ହୋଇଥିବାରୁ ସେଠାରେ ଯେଉଁ ଡବଲ ଇଞ୍ଜିନ୍ର ନାରା ବିଜେପି ଦେଇଥିଲା ତାକୁ ପରୋକ୍ଷରେ ସମାଲୋଚନା କରିଛନ୍ତି । କାରଣ କର୍ଣ୍ଣାଟକରେ ବିଜେପିର ଶାସନ ଥିଲା ଓ କେନ୍ଦ୍ରରେ ବି ବିଜେପିର ଶାସନ ଥିଲା । ଡବଲ ଇଞ୍ଜିନ୍ ଥିବା ସତ୍ତ୍ୱେ କର୍ଣ୍ଣାଟକରେ ବିଜେପି ହାରିଲା ।
ଏହାକୁ ନେଇ ନୀବନ ତାଙ୍କ ଏଥର ପ୍ରତିକ୍ରିୟାରେ କହିଛନ୍ତି ଯେ, ଡବଲ ଇଞ୍ଜିନ୍ ହେଇଗଲେ ହେବ ନାହିଁ । ଲୋକଙ୍କୁ ସୁଶାସନ ଦେବା ଦରକାର । ସୁଶାସନ ଦେଇପାରିଲେ ହିଁ ଲୋକେ ଗ୍ରହଣ କରିବେ । ନଚେତ୍ ଏଭଳି ଡବଲ ଇ୍ଜିନ୍ ନାରା ଦେଇ କିଛି ଫଳ ହେବ ନାହିଁ। ଲୋକଙ୍କ ମନ ଓ ସେମାନଙ୍କ ସ୍ୱାର୍ଥକୁ ଦେଖି କାର୍ଯ୍ୟ କରିବା ଦରକାର । ଖାଲି ଭାଷଣରେ କହିଦେଲେ କି ରାଜ୍ୟକୁ ବଦ୍ନାମ କରିବାକୁ ଉଦ୍ୟମ କରାଗଲେ ଲୋକେ ତାଙ୍କୁ ଗ୍ରହଣ କରିବେ ନାହିଁ । ଓଡ଼ିଶାରେ ସୁଶାସନ ଦେଉଥିବାରୁ ଏବଂ ଲୋକଙ୍କ ସମସ୍ୟା ବୁଝୁଥିବାରୁ ବାରମ୍ବାର ଲୋକଙ୍କ ସମର୍ଥନ ମିଳୁଥିବା କଥା ନବୀନ ତାଙ୍କ ବକ୍ତବ୍ୟରେ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ସୂଚାଇ ଦେଉଥିବା କଥା ରାଜନୀତିକ ମହଲରେ ଆଲୋଚନା ହେଉଛି ।