42.1 C
Bhubaneswar
Saturday, April 27, 2024
Homeଓଡିଶାନବୀନ ନିବାସରେ ଦଳୀୟ ନେତାଙ୍କୁ ନବୀନଙ୍କ ମନ୍ତ୍ର

ନବୀନ ନିବାସରେ ଦଳୀୟ ନେତାଙ୍କୁ ନବୀନଙ୍କ ମନ୍ତ୍ର

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ବିଜେଡି ତା’ର ସାଂଗଠନିକ ରଣନୀତି ଜୋର୍‌ଦାର କରିଛି। ପୂର୍ବରୁ ୧୧ଟି ସଂସଦୀୟ କ୍ଷେତ୍ରର ସମୀକ୍ଷା କରାଯାଇଥିଲା ବେଳେ ଆଜି ନବୀନ ନିବାସରେ ଆଉ ୬ଟିର ପାଳି ପଡ଼ିଥିଲା। ପଶ୍ଚିମ ଓଡ଼ିଶାର ଦୁଇ ସଂସଦୀୟ କ୍ଷେତ୍ର ସୁନ୍ଦରଗଡ଼ ଓ ସମ୍ବଲପୁର ସହ ଉପକୂଳ ଓଡ଼ିଶାର ଯାଜପୁର, ଜଗତସିଂହପୁର, କଟକ ଓ ଢେଙ୍କାନାଳ ଲୋକସଭା ଏବଂ ଏହା ଅଧୀନସ୍ଥ ୪୨ ବିଧାନସଭା ଆସନ ନିର୍ବାଚନମଣ୍ଡଳୀ ୱାରି ରଣନୀତି ପ୍ରସ୍ତୁତ କରାଯାଇଥିଲା। ଗତ ଲୋକସଭା ନିର୍ବାଚନର ସବୁ ତ୍ରୁଟିବିଚ୍ୟୁତିକୁ ଏଡ଼ାଇ ବିଜୟର ନୂଆ ରେକର୍ଡ଼ ସୃଷ୍ଟି ପାଇଁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ନିର୍ବାଚନୀ ମନ୍ତ୍ର ଦେଇଛନ୍ତି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଦଳୀୟ ନେତାଙ୍କ ସହ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।

ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଆରମ୍ଭ ହୋଇଥିଲା ସମୀକ୍ଷା ବୈଠକ। ଏହାପରେ ସୁନ୍ଦରଗଡ଼ ଓ ଢେଙ୍କାନାଳ ଏବଂ ଅପରାହ୍ନରେ ଯାଜପୁର, ଜଗତସିଂହପୁର ଓ କଟକ ସଂସଦୀୟ କ୍ଷେତ୍ରର ସମୀକ୍ଷା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଦଳୀୟ ପର୍ଯ୍ୟବେକ୍ଷକ ଓ ଅନ୍ୟ ନେତାମାନଙ୍କ ସହ ଜଣ ଜଣ କରି ପ୍ରତି ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ଗତ ନିର୍ବାଚନରେ ବିଜେଡି ପରାଜିତ ହୋଇଥିବା ସୁନ୍ଦରଗଡ଼ ଓ ସମ୍ବଲପୁର ଲୋକସଭା ଆସନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଲୋକସଭା ଆସନ ବିଜୟ ପାଇଁ ଭିନ୍ନଭିନ୍ନ ରଣନୀତି ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଯେଉଁ ଆସନରେ ବିଜେଡି ଗତ ନିର୍ବାଚନରେ ପରାଜିତ ହୋଇଥିଲା, ସେଠାରେ ବିଜୟ ପାଇଁ ଦଳୀୟ ନେତାମାନଙ୍କୁ କଠୋର ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟକ୍ରମ, ୫-ଟି ରୂପାନ୍ତରଣ, ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଉତ୍କର୍ଷର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking