40.1 C
Bhubaneswar
Sunday, June 16, 2024
Homeଓଡିଶାଚର୍ଚ୍ଚାରେ ସୈାମ୍ୟଙ୍କ ବିରୁଦ୍ଧରେ ନବୀନଙ୍କ କାର୍ଯ୍ୟାନୁଷ୍ଠାନ

ଚର୍ଚ୍ଚାରେ ସୈାମ୍ୟଙ୍କ ବିରୁଦ୍ଧରେ ନବୀନଙ୍କ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଆଉ ନୀରବ ନ ରହି ଦଳର ବିଧାୟକ ସୈାମ୍ୟ ରଂଜନ ପଟ୍ଟନାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି ବୋଲି ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଗୁରୁବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ୬ ଜଣ ଦଳୀୟ ନେତାଙ୍କୁ ଦେଇଛନ୍ତି । ଏ ସମ୍ପର୍କିତ ଦଳୀୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ପୂର୍ବରୁ ତାଲିକାରେ ସାମିଲ ଥିବା ସୈାମ୍ୟ ରଂଜନ ପଟ୍ଟନାୟକଙ୍କୁ ନବୀନ ବାଦ ଦେଇଛନ୍ତି । ଯାହାକୁ ନେଇ ଏବେ କେବଳ ଦଳ ନୁହେଁ ଦଳ ବାହାରେ ବି ଆଲୋଚନା ହେଉଛି ।
ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନ ଥିବା ନେଇ ଅସନ୍ତୁଷ୍ଟ ଥିବା ସୈାମ୍ୟ ରଂଜନ ବିଭିନ୍ନ ଘଟଣାକୁ ନେଇ ତାଙ୍କ ଦ୍ୱାରା ସମ୍ପାଦିତ ଖବର କାଗଜରେ ଦଳ ଓ ଦଳ ନେତୃତ୍ୱଙ୍କ ନିଷ୍ପତିକୁ ବିରୋଧ କରିବା ଓ ଆକ୍ଷେପ କରିବାରେ ଲାଗିଛନ୍ତି । ବିଧାନସଭାରେ ବି ବିଭିନ୍ନ ପ୍ରସଙ୍ଗ ନେଇ ଦଳକୁ ଆକ୍ରମଣ କରିଛନ୍ତି । ସୈାମ୍ୟଙ୍କ ପାଇଁ ଦଳ ଏବେ ବିଭିନ୍ନ କ୍ଷେତ୍ରରେ ଅଡୁଆରେ ପଡିବାରେ ଲାଗିଛି । ଏପରିକି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲା ବେଳେ ସରକାରଙ୍କୁ ଆକ୍ଷେପ କଲାଭଳି ମତ ମଧ୍ୟ ସେ ଦେଉଥିବା ଦେଖାଯାଇଛି । ସୈାମ୍ୟଙ୍କୁ ନେଇ ଦଳ ଭିତରେ ଏବେ ବିବାଦ ଛିଡା ହୋଇଛି । ସେ ଯେପରି ଦଳ ବିରୁଦ୍ଧରେ ମତ ରଖିବା ଆରମ୍ଭ କିରିଛନ୍ତି ସେଥିରେ ଯଦି ତାଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ଅନ୍ୟ ମାନଙ୍କ ଉପରେ ଏହାର ପ୍ରଭାବ ପଡିପାରେ ବୋଲି ଦଳ ଶୀର୍ଷ ନେତୃବୃନ୍ଦ ଆଶଙ୍କା କରୁଛନ୍ତି ।
ଏକଥା ବି ଆଲୋଚନା ହେଉଛି ବିଜେଡିରୁ ଏକପ୍ରକାର ମୋହ ମଧ୍ୟ ତୁଟେଇବା ସେ ଆରମ୍ଭ କରି ଦେଇଛନ୍ତି । ଦଳ ହୁଏତ ତାଙ୍କୁ ଆର ଥରକୁ ପ୍ରାର୍ଥୀ କରି ନ ପାରେ , ଏ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ନିକଟରେ ବିଜେପି ପୃଷ୍ଠପୋଷକତାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ରଚିତ ଏକ ପୁସ୍ତକର ଉନ୍ମୋଚନ ଉତ୍ସବରେ ସୈାମ୍ୟ ରଂଜନ ପଟ୍ଟନାୟକଙ୍କୁ ଅତିଥି କରାଯାଇଥିଲା । ପୂର୍ବରୁ ସୈାମ୍ୟ ରଂଜନ ତାଙ୍କର ଏକ କାର୍ଯ୍ୟକ୍ରମରେ କେବଳ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅତିଥି କରି ଡାକି ଥିଲେ । ଏଥିରେ ରାଜ୍ୟର କୈାଣସି ମନ୍ତ୍ରୀଙ୍କୁ ସେ ଡାକି ନ ଥିଲେ । ବିଜେପିର ଉକ୍ତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସୈାମ୍ୟ ରଂଜନ ଯୋଗ ଦେଇ ଯେଉଁ ମତ ରଖିଲେ ସେଥିରେ ସେ ପରୋକ୍ଷ ଭାବରେ ସୂଚାଇ ଦେଲେ ଯେ ତାଙ୍କ ସହ ଏବେବି ବିଜେପି ଅଛି , ସେ ଚାହିଁଲେ ବିଜେପିକୁ ଯାଇ ପାରିବେ । ଏପରିକି ସେ କହୁ କହୁ ବି ବିଜେପି ତାଙ୍କର ପୁରୁଣା ଘର, ତାଙ୍କୁ ଏ କାର୍ଯ୍ୟକ୍ରମରେ ସାମିଲ ହେବାରେ କିଛି ଅଡୁଆ ଲାଗୁ ନାହିଁ । ସବୁ ଚିହ୍ନା ମୁହଁ ତାଙ୍କୁ ଦେଖାଯାଉଛି ।
ଏଣୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୈାମ୍ୟଙ୍କ ଏ କାର୍ଯ୍ୟଧାରାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି । ଫଳରେ ତାଙ୍କୁ ଚେତାଇଦେବା ପାଇଁ ଛୋଟିଆ କାର୍ଯ୍ୟାନୁଷ୍ଠାନ ହେଲେ ବି ତାହା ପଛରେ ସୂଦୁର ପ୍ରଭାବ ରହିଛି ବୋଲି କୁହାଯାଉଛି । ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ଯେଉଁ ତାଲିକା ପ୍ରକାଶ ପାଇଛି ସେଥିରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓ ସୈାମ୍ୟ ରଂଜନ ପଟ୍ଟନାୟକଙ୍କୁ ବାଦ ଦିଆଯାଇଛି । ବିକ୍ରମ କେଶରୀ ମନ୍ତ୍ରୀ ଥିବା ବେଳେ ଦାୟିିତ୍ୱରେ ଥିଲେ , ଏବେ ବାଚସ୍ପତି ହେବା ପରେ ସ୍ୱଭାବିକ ଭାବେ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବେ । ଏଣୁ ତାଙ୍କୁ ଏ ତାଲିକାରୁ ବାଦ୍ ଦିଆଯିବାର ଯଥାର୍ଥତା ରହିଛି । କିନ୍ତୁ ସୈାମ୍ୟ ରଂଜନଙ୍କୁ ବାଦ୍ ଦେବା ଘଟଣାକୁ ହାଲୁକା ଭାବରେ ଗ୍ରହଣ କରାଯାଇ ପାରୁ ନାହିଁ । କୁହାଯାଉଛି ଏହି ପଦକ୍ଷେପ ନେଇ ଦଳ ସୁପ୍ରିମୋ ତାଙ୍କୁ ପରୋକ୍ଷରେ ସୂଚାଇ ଦେଲେ ଯେ ଦଳ ବିରୁଦ୍ଧରେ ଗଲେ ଆଗକୁ ଆହୁରି କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଛାଇବେ ନାହିଁ । ଏ ହେଉଛି ତାର ଆରମ୍ଭ । ସୁପ୍ରିମୋଙ୍କ ଏହି ପଦକ୍ଷେପକୁ ସୈାମ୍ୟ ରଂଜନ କିଭଳି ଭାବେ ଗ୍ରହଣ କରୁଛନ୍ତି ତାହାକୁ ଅପେକ୍ଷା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking