ଭୁବନେଶ୍ୱର : ପୁଣିଥରେ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପ୍ରମାଣିତ ହୋଇଛନ୍ତି ନବୀନ ପଟ୍ଟନାୟକ । ଏବିପି ନ୍ୟୁଜ୍ ପକ୍ଷରୁ ସି-ଭୋଟର କରିଥିବା ସର୍ଭେ ରିପୋର୍ଟ ଆଧାରରେ ସାରା ଦେଶରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ହେଉଛନ୍ତି ନମ୍ବର ଓା୍ୱନ୍ ନେତା । ମୋଟ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ମଣ୍ଡନ କରିଛନ୍ତି ନବୀନ ।
ମୋଟ ୩୧ଜଣ ମୁଖ୍ୟମନ୍ତ୍ରୀଙ୍କ ଭିତରୁ ଶ୍ରେଷ୍ଠ ୧୦ଙ୍କୁ ଏହି ସର୍ଭେରେ ବଛାଯାଇଛି । ପ୍ରଥମ ସ୍ଥାନରେ ନବୀନ ପଟ୍ଟନାୟକ ରଥିଥିବାବେଳେ ଦ୍ୱିତୀୟ ଏବଂ ତୃତୀୟକୁ ଯଥାକ୍ରମେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓା୍ୱଲ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓା୍ୱଇ ଏସ୍ ଜଗନମୋହନ ରେଡ୍ଡି ରହିଛନ୍ତି । ସେହିଭଳି ତାଲିକାର ଚତୁର୍ଥ ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ ପି ଭିଜୟାନ୍, ପଞ୍ଚମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଷଷ୍ଠରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ସପ୍ତମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅଷ୍ଟମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାଣ, ନବମରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ଦଶମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଅଛନ୍ତି ।
ରୋଚକ କଥା ହେଉଛି ଏହି ସର୍ଭେ ରିପୋର୍ଟରେ ଶ୍ରେଷ୍ଠ ୧୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିଜେପି ଶାସିତ ରାଜ୍ୟର ମାତ୍ର ୩ଜଣ ମୁଖ୍ୟମନ୍ତ୍ରୀ ସ୍ଥାନ ପାଇଛନ୍ତି । ସର୍ଭେରେ ସାମିଲ ହୋଇଥିବା ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାର ପ୍ରତିଶତ ମୋଟ ତାଲିକାର ୪୨.୮% । ଉତ୍ତର ପ୍ରଦେଶ, ବିହାର ଓ କର୍ଣ୍ଣାଟକ ଭଳି ବିଜେପି ଶାସିତ ରାଜ୍ୟର ପ୍ରତିଶତ ଜାତୀୟ ପ୍ରତିଶତଠୁ କମ୍ ରହିଛି । ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜାତୀୟ ପ୍ରତିଶତଠୁ ଭଲ ପ୍ରଦର୍ଶନ କରିଛନ୍ତି ।
ସେହିଭଳି ଏହି ସର୍ଭେରେ ସବୁଠୁ ଖରାପ ପ୍ରଦର୍ଶନ କରିଥିବା ୫ ମୁଖ୍ୟମନ୍ତ୍ରୀଙ୍କର ନାମ ମଧ୍ୟ ପ୍ରକାଶ ପାଇଛି । ଏହି ତାଲିକାର ୧ ନମ୍ବରରେ ରହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ । ତାଙ୍କ ପଛକୁ ରହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ । ୪ର୍ଥ ଏବଂ ୫ମ ସ୍ଥାନରେ ଯଥାକ୍ରମେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ରହିଛନ୍ତି । ଏହି ସର୍ଭେରେ ଦେଶର ୫୪୩ଟି ସଂସଦୀୟ କ୍ଷେତ୍ରର ପ୍ରାୟ ୩୦ ହଜାର ଲୋକଙ୍କୁ ସାମିଲ କରାଯାଇ ପ୍ରଶ୍ନ ପଚରାଯାଇଥିଲା । ବିଗତ ୩ମାସ ଧରି ଏହି କାର୍ଯ୍ୟକ୍ରମ ଚଳାଇଥିଲା ସି-ଭୋଟର ।