32.1 C
Bhubaneswar
Saturday, May 18, 2024
Homeଓଡିଶାଶୁଣୁନି ପୁଲିସ, ଧାରଣାରେ ବସିଲେ ମହିଳା

ଶୁଣୁନି ପୁଲିସ, ଧାରଣାରେ ବସିଲେ ମହିଳା

ନାଉଗାଁ : ନାଉଗାଁ ଥାନା ଅନ୍ତର୍ଗତ କୋରୁଅ ଡାହାଣିଖିଆ ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ରକରି ଏକ ମାରଣାତ୍ମକ ଆକ୍ରମଣ ଘଟଣାକୁ ନେଇ ନାଉଗାଁ ଥାନାରେ ଅଭିଯୋଗ କରାଯାଇଥିଲା । ମାତ୍ର ଅଭିଯୋଗକାରୀଙ୍କ ସ୍ୱାମୀ ଦୁଇଦିନ ଧରି ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ନାଉଗାଁ ପୁଲିସ ଅଭିଯୋଗକୁ ଗୁରୁତ୍ୱ ଦେଉନାହିଁ । ଶେଷରେ ବାଧ୍ୟହୋଇ ଅଭିଯୋଗକାରିଣୀ ବର୍ଷାରେ ଭିଜି ଥାନା ସମ୍ମ୍‌ୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ, ଉକ୍ତ ଗ୍ରାମର କୃତ୍ତିବାସ ପରିଡାଙ୍କର ସେହି ଗ୍ରାମର ଦାସ ମହାନ୍ତିଙ୍କ ସହିତ ଜମିଜମା ବିବାଦକୁ ନେଇ ପୂର୍ବରୁ ଗଣ୍ଡଗୋଳ ଲାଗିଥିଲା ।

ଏହି ମାମଲାକୁ ପୂର୍ବରୁ ଗ୍ରାମର ମୁରବୀମାନଙ୍କ ମାଧ୍ୟମରେ ସମାଧାନ କରାଯାଇଥିଲା । କିନ୍ତୁ ୨୩ ତାରିଖ ସନ୍ଧ୍ୟାରେ ହଠାତ୍‍ କାଳିଆ ମହାନ୍ତି, ଭଗିଆ ମହାନ୍ତି, ଟିଟୁ ନାୟକ ୫ରୁ ୭ ଜଣ ଆସି ସ୍ୱାମୀ-ସ୍ତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବା ସହିତ କୃତ୍ତିବାସଙ୍କୁ ଏକ ଶାବଳରେ ମାରି ମୁଣ୍ଡ ଫଟାଇଦେଲେ । କୃତ୍ତିବାସଙ୍କ ସ୍ତ୍ରୀଙ୍କୁ ମଧ୍ୟ ମାରିବା ସହ ସକାଳୁ ଗାଁ ଛାଡି ପଳାଇବୁ ନଚେତ୍‍ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ । ପରେ କୃତ୍ତିବାସଙ୍କୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା କୃତ୍ତିବାସଙ୍କ ସ୍ତ୍ରୀ ଉର୍ମିଳା ପରିଡା ଅଭିଯୋଗରେ ଦର୍ଶାଇଛନ୍ତି । ହେଲେ ପୁଲିସ ଏଥିପ୍ରତି କର୍ଣ୍ଣପାତ ନକରି ଓଲଟା ତାଙ୍କୁ ଥାନାରେ ଭର୍ତ୍ତି କରିଦେବାକୁ ଧମକ ଦେଉଥିବା ଉର୍ମିଳା ଅଭିଯୋଗ କରିଛନ୍ତି । ତେଣୁ ସେ ବାଧ୍ୟହୋଇ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଏଥିସହ ଯଦି ଜିଲ୍ଲା ଅରକ୍ଷୀ ଅଧୀକ୍ଷକ ଏହି ଘଟଣାର ତଦନ୍ତ ନକରିବେ ଓ ତାଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ସମ୍ପୃକ୍ତ ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବେ ତେବେ ସେ ଜୀବନ ହାରିବାକୁ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ନାଉଗାଁ ଥାନାଧିକାରୀ ଭରତ ବେହେରାଙ୍କୁ ପଚାରିବାରୁ, ଅଭିଯୋଗ ପାଇଛନ୍ତି । କିନ୍ତୁ ଏବେ ବର୍ଷା ହେଉଛି ବର୍ଷା ଛାଡିଲେ ତଦନ୍ତ କରାଯିବ କହି ପ୍ରସଙ୍ଗକୁ ଏଡ଼ାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking