ଭୁବନେଶ୍ବର: ହୋମିଓପ୍ୟାଥିକ ଶିକ୍ଷା ଓ ଗବେଷଣା ଏକାଡେମି ପକ୍ଷରୁ ଏଠାରେ ଜାତୀୟ ହୋମିଓପ୍ୟାଥି ସମ୍ମିଳନୀ ଆୟୋଜିତ ହୋଇଛି। ଅଧ୍ୟକ୍ଷ ପ୍ରଫେସର ଡା. ଲକ୍ଷ୍ମୀକାନ୍ତ ନନ୍ଦଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ମିଳନୀରେ ଉଦ୍ଘାଟକ ଭାବେ ବିଧାନସଭାର ମୁଖ୍ୟ ସଚେତନ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଦତ୍ତେଶ୍ବର ହୋତା ଯୋଗ ଦେଇଥିଲେ। ହୋମିଓ ଶିକ୍ଷା ଓ ଚିକିତ୍ସାକୁ ଲୋକାଭିମୁଖୀ କରିବା ସଙ୍ଗେ ସଙ୍ଗେ ସମସ୍ୟା ସମାଧାନ ଦିଗରେ ସମ୍ପୂର୍ଣ୍ଣ ସହଯୋଗ ପାଇଁ ସେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ସାଂଗଠନିକ ସମ୍ପାଦକ ଡା. ପ୍ରମୋଦ କୁମାର ବିଶ୍ବାଳ ସମ୍ମିଳନୀର ଆଭିମୁଖ୍ୟ, ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଡା. ଯୋଗେଶ ସେହଗଲ ମାନସିକ ଲକ୍ଷଣ ଉପରେ ଭିତ୍ତିଭୂମି ସ୍ଥାପନ କରି ବିଭିନ୍ନ ରୋଗୀଙ୍କର ବିବରଣୀ ପ୍ରଦାନ କରିଥିଲେ। ପ୍ରଫେସର ନନ୍ଦ, ଡା. ଜୟଶ୍ରୀ ନନ୍ଦ, ଡା. ରାଜେନ୍ଦ୍ର କୁମାର ଦାଶ, ଡା. ପଞ୍ଚାନନ ପ୍ରଧାନ, ଡା. ବିଶ୍ବରଂଜନ ପୃଷ୍ଟି ‘ପ୍ରେସ୍କ୍ରିପ୍ସନ’ର ଭିତ୍ତିଭୂମି ଉପରେ ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନା କରିଥିଲେ।