ଭଞ୍ଜନଗର: ୨୦୧୨ ମସିହାରେ ନିଜ ପତ୍ନୀ ଓ ଦୁଇ ପୁଅ ଝିଅଙ୍କୁ ହତ୍ୟା କରିଥିବା ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ଦେବବ୍ରତ ପଟ୍ଟନାୟକ ଗୃହକର୍ତ୍ତା ସୀମାଞ୍ଚଳ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ବେଲପଡା ଗ୍ରାମର ସିମାଞ୍ଚଳ ନାୟକ ପାରିବାରିକ ଅଶାନ୍ତି କାରଣରୁ ମାନସିକ ଭାରସାମ୍ୟ ହରାଇ ଗତ ୧୭.୨.୨୦୧୨ରେ ରାତିରେ ଘରେ ସଭିଏଁ ଖାଇପିଇ ଶୋଇଥିବା ବେଳେ ଏକ ଧାରୁଆ ଅସ୍ତ୍ରରେ ପ୍ରଥମେ ନିଜ ପତ୍ନୀ ଲକ୍ଷ୍ମୀ ନାୟକ (୩୩)ଙ୍କୁ ବେକକୁ ହାଣି ଦେଇଥିଲା । ପରେ ସେ ଅତ୍ୟନ୍ତ ନିର୍ଦ୍ଦୟ ହୋଇ ନିଜର ୧୨ ବର୍ଷର ଝିଅ ଶିବାନୀ ଓ ୯ ବର୍ଷର ପୁଅ ଦିପକଙ୍କୁ ସେହି ଧାରୁଆ ଅସ୍ତ୍ରରେ ବେକକୁ ସମାନ ଢଙ୍ଗରେ କାଟି ଦେଇଥିଲା ।
ଘର ସାରା ରକ୍ତ ଭାସୁଥିବା ଦେଖିବା ପରେ ସେ ଘର ବାରଣ୍ଡାକୁ ଆସି ନିଜ ପତ୍ନୀ ଓ ଦୁଇ ପୁଅ ଝିଅଙ୍କୁ ମାରି ଦେଇଥିବା କହି କାନ୍ଦିଥିଲା। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ବେଲପଡା ଗ୍ରାମର ଭଦ୍ରବ୍ୟକ୍ତି ଶୁକୁଟା ଗଉଡ ବଡଗଡ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ସେତେବେଳେ ଥାନାରେ ଏକ ମାମଲା ରୁଜୁ ସହ ଦଫା ୩୦୨ ଲଗାଇ ଅଭିଯୁକ୍ତ ସିମାଞ୍ଚଳ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଅଦାଲତ ମୋଟ ୨୪ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ୧୩ ଗୋଟି ଦଲିଲକୁ ଆଧାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ୧୦ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର କୋର୍ଟ । ଏହି ମାମଲାରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ପି ପି ଏମ୍ ତାଜ ଆଦେନୀ ଓ ସରକାରଙ୍କ ପକ୍ଷରୁ ଷ୍ଟେଟ ଡିଫେନ୍ସ ରମେଶ ଚନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ ।