ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ ଅଞ୍ଚଳରେ ପତ୍ନୀ ଓ ଶାଳୀକୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣାରେ ବିଜୟ ସେଠୀ ନାମକ ଜଣେ ବ୍ୟକ୍ତିକୁ ପୁଲିସ ଗିରଫ କରିଥିଲା । ଏହି ଘଟଣାରେ ପୁଲିସ ଗିରଫ ବିଜୟକୁ ଧରି ସୋମବାର ପୂର୍ବାହ୍ନରେ ହତ୍ୟାକାଣ୍ଡ ଘଟଣାର ସିନ୍ ରିକ୍ରିଏସନ୍ କରାଯାଇଛି । ପରେ ବିଜୟକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ଖାରଜ ହେବାରୁ ତାକୁ ଝାରପଡା ଜେଲ୍ ପଠାଇ ଦିଆଯାଇଛି । ଏହି ମାମଲାର ଅଧିକ ତଦନ୍ତ ପାଇଁ ବିଜୟଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯାଇଥିବା ଡିସିପି ଉମାଶଙ୍କର ଦାଶ କହିଛନ୍ତି ।
ତେବେ ସୋମବାର ସିନ ରିକ୍ରିଏସନ କରିବା ସମୟରେ ଅଭିଯୁକ୍ତ ବିଜୟ ତାଙ୍କୁ ଦୀର୍ଘଦିନ ହେବ ସ୍ତ୍ରୀ ଓ ଶାଳୀ ନଂପୁସକ କହିବାରୁ ସେ କ୍ରୋଧିତ ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୁଲିସ ନିକଟରେ ସ୍ୱୀକାର କରିଛି । ଏପରିକି ହତ୍ୟାରେ ବ୍ୟବହୃତ ହୋଇଥିବା ଟାଙ୍ଗିଆକୁ ବିଜୟ ଘର ପଛପାଖ ଅଳିଆ ଗଦରେ ଲୁଚାଇ ରଖିଥିଲା । ତାହାକୁ ସିନ୍ ରିକ୍ରିଏସନ କରାଇବା ସମୟରେ ପୁଲିସକୁ ଦେଖାଇବାରୁ ତାହାକୁ ତଦନ୍ତକାରୀ ଟିମ ଜବତ୍ କରିଛି ।
ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ବିଜୟ ୨୦୧୧ରେ ନିଶ୍ଚିତକୋଇଲି ଅଂଚଳର ଗାୟତ୍ରୀ ସେଠୀଙ୍କୁ ବିବାହ କରିଥିଲେ । ବିବାହର କିଛିଦିନ ପରେ ପିଲାଛୁଆ ନହେବା କାରଣକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିବାଦ ଲାଗି ରହୁଥିଲା । ଏପରିକି ସେ ପତ୍ନୀକୁ ନିର୍ଯାତନା ମଧ୍ୟ ଦେବା ସହ ମାଡ ମାରୁଥିଲେ । ଇତି ମଧ୍ୟରେ ଗାୟତ୍ରୀଙ୍କ ଭଉଣୀ ସରସ୍ୱତୀ ଭିଣୋଇ ବିଜୟଙ୍କ ପାଖରେ ରହିବା ଆରମ୍ଭ କରିଥିଲେ । ଭିଣୋଇ ବିଜୟ ତାଙ୍କ ପାଇଁ ଏକ ଘରୋଇ ହସ୍ପିଟାଲରେ ନର୍ସ ଚାକିରୀ ବ୍ୟବସ୍ଥା ମଧ୍ୟ କରାଇଥିଲେ ।
ପରେ ଦୁଇ ଭଉଣୀ ବିଜୟଙ୍କୁ ପିଲାଛୁଆ ନ ହେବା କଥାକୁ ନେଇ ତାତ୍ସଲ୍ୟ କରିବା ଆରମ୍ଭ କରି ଦେଇଥିଲେ । ଏହାକୁ ନେଇ ପରିବାର ମଧ୍ୟରେ ଅଶାନ୍ତି ବଢି ଯାଇଥିଲା । ପରେ ବିଜୟ ଦୁଇ ଭଉଣୀକୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲା । ଯୋଜନା ମୁତାବକ ସେମାନଙ୍କୁ ଘର ଭିତରେ ହତ୍ୟା କରିଥିଲା । ପରେ ଘର ତାଲା ପକାଇ କେଉଁଆଡେ ପଳାଇଯାଇଥିଲା ।
ଗତ ଶୁକ୍ରବାର ଠାରୁ ଗାୟତ୍ରୀ ଓ ରସ୍ୱତୀଙ୍କ ଫୋନ ସୁଇଚ୍ ଅଫ୍ ଆସିଥିଲା । ଏହାକୁ ନେଇ ତାଙ୍କ ପରିବାର ଲୋକେ ଚିନ୍ତାରେ ପଡିଥିଲେ। ବିଜୟଙ୍କ ଫୋନ୍ ଲାଗୁଥିଲା । କିନ୍ତୁ ସେ ଫୋନ୍ ଉଠାଉନଥିଲା । ସେଥିପାଇଁ ସେମାନଙ୍କର ସନ୍ଦେହ ଘନୀଭୂତ ହୋଇଥିଲା । ଶନିବାର ଦିନ ଗାୟତ୍ରୀଙ୍କ ବାପା ସୁଦାମ ସେଠୀ ଓ ପରିବାର ଲୋକେ ଭୁବନେଶ୍ୱର ଆସିଥିଲେ । ଘର ତାଲା ପଡିଥିବା ବେଳେ ସାନ ଝିଅ ହସ୍ପିଟାଲକୁ ଯାଇନଥିବା ଜାଣିବାକୁ ପାଇଥିଲେ । ପରେ ସନ୍ଦେହ ଆହୁରି ବଢିଯାଇଥିଲା । ଏହାପରେ ସେମାନେ ବିଜୟ ହିଁ ତାଙ୍କର ଦୁଇ ଝିଅକୁ ହତ୍ୟା କରିଥିବା ଜାଣି ପୁଲିସକୁ ଖବର ଦେଇଥିଲେ ।