29.1 C
Bhubaneswar
Wednesday, May 1, 2024
Homeଖେଳ୯ ରନ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ; ପଞ୍ଜାବ କିଙ୍ଗ୍‌ସର ହ୍ୟାଟ୍ରିକ୍ ପରାଜୟ

୯ ରନ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ; ପଞ୍ଜାବ କିଙ୍ଗ୍‌ସର ହ୍ୟାଟ୍ରିକ୍ ପରାଜୟ

ଚଣ୍ଡିଗଡ଼: ଚଳିତ ଆଇପିଏଲ୍‌ର ୩୩ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୯ ରନ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ହରାଇ ଦେଇଛି । ଗୁରୁବାର ମଲ୍ଲାନପୁରର ମହାରାଜା ୟାଦବେନ୍ଦ୍ର ସିଂହ ଷ୍ଟାଡିୟମ୍‌ରେ ବ୍ୟାଟିଂ ଆମନ୍ତ୍ରଣ ପାଇ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ୍ ବିନିମୟରେ ୧୯୨ ରନ୍ କରିଥିବା ବେଳେ ପଞ୍ଜାବ କିଙ୍ଗ୍‌ସ ୧୯.୧ ଓଭର୍‌ରେ୧୮୩ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା । ପଞ୍ଜାବର ଏହା ଲଗାତାର ତୃତୀୟ ପରାଜୟ ହୋଇଥିବା ବେଳେ ସିଜନ୍‌ରେ ମୁମ୍ବାଇର ତୃତୀୟ ବିଜୟ । ଏହି ବିଜୟ ସହ ମୁମ୍ବାଇ ୭ମ ସ୍ଥାନକୁ ଉଠିଥିବା ବେଳେ ପଞ୍ଜାବ ନବମ ସ୍ଥାନକୁ ଖସିଆସିଛି।

୧୯୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ କିଙ୍ଗ୍‌ସ ୧୪ ରନ୍‌ରେ ୪ଟି ଶୀର୍ଷ ୱିକେଟ୍ ହରାଇଥିଲା । ପ୍ରଥମ ଓଭର୍‌ର ତୃତୀୟ ବଲ୍‌ରେ ଜେରାଲ୍ଡ କୋଏଟ୍‌ଜି ଖାତା ଖୋଲିବା ପୂର୍ବରୁ ପ୍ରଭଶିମରନ୍ ସିଂହଙ୍କୁ ୱିକେଟ୍ ପଛରେ କ୍ୟାଚ୍ କରାଇଥିଲେ । ଦ୍ୱିତୀୟ ଓଭର୍‌ରେ ଜସ୍‌ପ୍ରୀତ୍ ବୁମ୍‌ରା ଦୁଇଟି ୱିକେଟ୍ ନେଇ ପଞ୍ଜାବର ମୂଳଦୁଆ ଭାଙ୍ଗି ଦେଇଥିଲେ । ସେ ଚତୁର୍ଥ ବଲ୍‌ରେ ରିଲି ରୋସୋ (୧) ବୋଲ୍ଡ କରିଥିବା ବେଳେ ଶେଷ ବଲ୍‌ରେ କ୍ୟାପ୍‌ଟେନ୍ ସାମ୍ କରନ୍‌୍ (୬)ଙ୍କୁ ଈଶାନ୍ କିଶନ୍‌ଙ୍କ ଦ୍ୱାରା କ୍ୟାଚ୍ କରାଇ ପ୍ୟାଭିଲିୟନ୍ ଫେରାଇଥିଲେ । ତୃତୀୟ ଓଭର୍‌ର ପ୍ରଥମ ବଲ୍ କୋଏଟ୍‌ଜି ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ଙ୍କୁ କଟ୍ ଆଣ୍ଡ୍ ବୋଲ୍ଡ କରିଥିଲେ । ଏହାପରେ ଶଶାଙ୍କ ସିଂହଙ୍କ ସହ ଇନିଂସ୍ ସମ୍ଭାଳି ହରପ୍ରୀତ୍ ବ୍ରାର୍ ୩୫ ରନ୍‌ର ଭାଗୀଦାରି କରିବା ପରେ ବ୍ୟକ୍ତିଗତ ୧୩ ରନ୍‌ରେ ଶ୍ରେୟସ୍ ଗୋପାଳଙ୍କ ବଲ୍‌ରେ କଟ୍ ଆଣ୍ଡ୍ ବୋଲ୍ଡ ହୋଇଥିଲେ ।

ଜିତେଶ ଶର୍ମା ୯ ରନ୍ କରି ଆକାଶ ମଧୱାଲ୍‌ଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ । ୪୯ ରନ୍‌ରେ ଟିମ୍ ୫ଟି ୱିକେଟ୍ ହରାଇବା ପରେ ଆଶୁତୋଷ ଶର୍ମାଙ୍କ ସହ ମିଶି ଶଶାଙ୍କ ସିଂହ ଟିମ୍‌ର ସ୍କୋର୍ ୧୦୦ ରନ୍ ପାର୍ କରାଇଥିଲେ । ତେବେ ଶଶାଙ୍କ ୨୫ ବଲ୍‌ରେ ୨ ଚୌକା ଓ ୩ ଛକା ବଳରେ ୪୧ ରନ୍ କରିଥିବା ବେଳେ ବୁମ୍‌ରାଙ୍କ ତୃତୀୟ ଶିକାର ହୋଇଥିଲେ । ଶଶାଙ୍କ ଆଉଟ୍ ପରେ ଆଶୁତୋଷ ଓ ବ୍ରାର୍ ସଂଘର୍ଷପୂର୍ଣ୍ଣ ୫୭ ରନ୍‌ର ଭାଗୀଦାରି କରିବା ପରେ ଆଶୁତୋଷ ୨୮ ବଲ୍‌ରେ ୨ ଚୌକା ଓ ୭ ଛକା ସହାୟତାରେ ୬୧ ରନ୍‌ର ଅର୍ଦ୍ଧଶକୀୟ ଇନିଂସ୍ ଖେଳି କୋଏଟ୍‌ଜିଙ୍କ ତୃତୀୟ ଶିକାର ହୋଇଥିଲେ । ବ୍ରାର୍ ୨୧ ଏବଂ ରବାଡ଼ା ୮ ରନ୍ କରି ଆଉଟ୍ ହୋଇଥିଲେ । ମୁମ୍ବାଇ ପକ୍ଷରୁ ବୁମ୍‌ରା ଓ କୋଏଟ୍‌ଜି ତିନିଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ମଧୱାଲ୍‌, ହାର୍ଦ୍ଦିକ ପାଣ୍ଡ୍ୟା ଓ ଶ୍ରେୟସ୍ ଗୋପାଳ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ତୃତୀୟ ଓଭର୍‌ରେ ଓପ୍ନର୍ ଈଶାନ୍ କିଶନ୍‌(୮)ଙ୍କୁ ହରାଇଥିଲା । କାଗିସୋ ରବାଡା ତାଙ୍କୁ ହରପ୍ରୀତ୍ ବ୍ରାର୍‌ଙ୍କ ଦ୍ୱାରା କ୍ୟାଚ୍ କରାଇଥିଲେ । ପଞ୍ଜାବ କ୍ୟାପ୍‌ଟେନ୍ ସାମ୍ କରନ୍‌ଙ୍କ ଓଭର୍‌ର ଅନ୍ତିମ ବଲ୍‌ରେ ଛକା ମାରି ଆଇପିଏଲ୍‌ରେ ୨୫୦ତମ ମ୍ୟାଚ୍ ଖେଳୁଥିôବା ରୋହିତ ଶର୍ମା ପାୱାରପ୍ଲେରେ ମୁମ୍ବାଇର ସ୍କୋର୍ ୫୦ ରନ୍ ପାର କରାଇଥିଲେ । ସୂର୍ଯ୍ୟକୁମାର ଏକାଦଶ ଓଭର୍‌ର ଦ୍ୱିତୀୟ ବଲ୍‌ରେ ସିଙ୍ଗଲ୍ ନେଇ ୩୪ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୯୧ ରନ୍‌ର ଭାଗୀଦାରି ହୋଇଥିବା ବେଳେ ରୋହିତ ଶର୍ମାଙ୍କୁ ସାମ୍ କରନ୍ ହରପ୍ରୀତ୍ ବ୍ରାର୍‌ଙ୍କ ହାତରେ କ୍ୟାଚ୍ କରାଇ ଭାଗୀଦାରିରେ ବ୍ରେକ୍ ଲଗାଇଥିଲେ । ରୋହିତ ୨୫ ବଲ୍‌ରେ ୨ ଚୌକା ଓ ୩ ଛକା ସହାୟତାରେ ୩୪ ରନ୍ କରି ଫେରିଥିଲେ ।

ରୋହିତଙ୍କ ପରେ କ୍ୟାପ୍‌ଟେନ୍ ସୂର୍ଯ୍ୟକୁମାର ସପ୍ତଦଶ ଓଭର୍‌ରେ ସାମ୍ କରନ୍‌ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ସୂର୍ଯ୍ୟ ୫୩ ବଲ୍‌ରେ ୭ ଚୌକା ଓ ୩ ଛକା ବଳରେ ୭୮ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ । ସେ ତୃତୀୟ ୱିକେଟ୍ ପାଇଁ ତିଳକ ବର୍ମାଙ୍କ ସହ ୪୯ ରନ୍‌ର ଭାଗୀଦାରି କରିଥିଲେ । ଏହାପରେ କ୍ୟାପ୍‌ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା(୧୦)ଙ୍କୁ ହର୍ଷଲ୍ ପଟେଲ୍ ପ୍ୟାଭିଲିୟନ୍ ବାଟ ଦେଖାଇଥିଲେ । ଅନ୍ତିମ ଓଭର୍‌ରେ ମୁମ୍ବାଇ ତିନିଟି ୱିକେଟ୍ ହରାଇଥିଲା । ହର୍ଷଲ୍ ପଟେଲ୍ ଏହି ଓଭର୍‌ର ଦ୍ୱିତୀୟ ବଲ୍‌ରେ ଟିମ୍ ଡେଭିଡ୍ (୧୪) ଏବଂ ପଞ୍ଚମ ବଲ୍‌ରେ ରୋମାରିଓ ଶେଫର୍ଡଙ୍କୁ ଆଉଟ୍ କରିଥିବା ବେଳେ ଅନ୍ତିମ ବଲ୍‌ରେ ମହମ୍ମଦ ନବୀ (୦)ଙ୍କୁ ରନ୍‌ଆଉଟ୍ କରିଥିଲେ । ଫଳରେ ମୁମ୍ବାଇ ୨୦ ଓଭର୍‌ରେ ୮ ୱିକେଟ୍ ହରାଇ ୧୯୨ ରନ୍‌ରେ ଅଟକିଥିଲା । ପଞ୍ଜାବ କିଙ୍ଗ୍‌ସ ପକ୍ଷରୁ ହର୍ଷଲ ପଟେଲ୍ ୩, ସାମ୍ କରନ୍ ୨ ଏବଂ କାଗିସୋ ରବାଡା ଗୋଟିଏ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking