ନୂଆଦିଲ୍ଲୀ: ମୁମ୍ବାଇରେ ଜଣେ ୨୬ ବର୍ଷିୟା ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଛନ୍ତି । ଛିଡା ହୋଇଥିବା ସମୟରେ ଚଳନ୍ତା ଟ୍ରେନରୁ ନିଜ ସ୍ତ୍ରିକୁ ଧକ୍କା ମାରିବା ଅଭିଯୋଗ ରହିଛି ଅଭିଯୁକ୍ତ ସ୍ୱାମୀ ଉପରେ । ଏହି ଘଟଣା ସୋମବାର ମୁମ୍ବାଇରେ ଘଟିଛି । ଏନେଇ ଗୁରୁବାର ମୁମ୍ବାଇ ପୋଲିସ ସୂଚନା ପ୍ରଦାନ କରିଛି । ଉକ୍ତ ମହିଳାଙ୍କ ସ୍ୱାମୀ ଚେମ୍ବୁର ଓ ଗୋମ୍ବଡି ରେଳ ଷ୍ଟେସନ ମଧ୍ୟରେ ତାଙ୍କୁ ଧକ୍କା ଦେଇଥିଲା, ଫଳରେ ତାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଛି । ବର୍ତମାନ ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରି ନେଇଛି । ରେଳବିଭାଗ ପୋଲିସ କହିଛି, ୩୧ ବର୍ଷର ଅଭିଯୁକ୍ତ ସ୍ୱାମୀ ଓ ମୃତ ମହିଳା ଦୁଇ ଜଣଯାକ ଶ୍ରମିକ ଥିଲେ ଓ ସେମାନେ ମାନଖୁର୍ଦ ଅଂଚଳରେ ରହୁଥିଲେ । ଦୁଇ ମାସ ପୂର୍ବରୁ ସେମାନଙ୍କ ବିବାହ ହୋଇଥିଲା । ସୋମବାର ଦିନ ସେମାନେ ସୋମବାର ଦିନ ଲୋକାଲ ଟ୍ରେନରେ ଯାତ୍ରା କରୁଥିଲେ । ସେମାନଙ୍କ ସହ ତାଙ୍କର ୭ ବର୍ଷର ପିଲା ଥିଲା । ଯାହା ମୃତ ମହିଳାଙ୍କ ପୂର୍ବ ସ୍ୱାମୀର ଥିଲା । ଯାତ୍ରା ସମୟରେ ସେ ଯେତେବେଳେ ଟ୍ରେନର ଦୁଆର ମୁହଁ ସାମ୍ନାରେ ନଇଁଥିଲେ, ସେହି ସମୟରେ ଅଭିଯୁକ୍ତ ସ୍ୱାମୀ ଜାଣିଶୁଣି ଧକ୍କା ମାରିଥିଲା । ପାଖରେ ଥିବା ଜଣେ ମହିଳା ଏହା ଦେଖିବା ପରେ ପୁଲିସକୁ ସୂଚନା ଦେଇଥିଲେ । ପରେ ପୁଲିସ ତୁରନ୍ତ ତାକୁ ଗିରଫ କରି ଘଟଣା ଘଟାଇଥିବା ସ୍ଥାନକୁ ନେଇଯାଇଥିଲା । ସେଠାରେ ପିଡୀତା ମହିଳା ଜଣକ ଚେତାଶୂନ୍ୟ ହୋଇ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ପୁଲିସ ତୁରନ୍ତ ଉଦ୍ଧାର କରି ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜଣକ କିଛି ନିଶାଦ୍ରବ୍ୟ ସେବନ କରି ଏମିତି କାଣ୍ଡ କରିଛି କି ବୋଲି ପୁଲିସ ଯାଂଚ କରୁଛି ।