ମୋହାଲି : ଚଳିତ ଆଇପିଏଲ୍ରେ ବୁଧବାର ସଂସ୍କରଣର ୪୬ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ବଡ଼ ସ୍କୋର୍ ସତ୍ତ୍ୱେ ଘରୋଇ ପଞ୍ଜାବ କିଙ୍ଗ୍ସ ୬ ୱିକେଟ୍ରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ ପାଇଥିବା ପଞ୍ଜାବ ୩ ୱିକେଟ୍ ବିନିମୟରେ ୨୧୪ ରନ୍ର ବଡ଼ ସ୍କୋର୍ କରିଥିଲା । କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ୧୮.୫ ଓଭର୍ରେ ମାତ୍ର ୪ଟି ୱିକେଟ୍ ହରାଇ ୨୧୬ ରନ୍ କରିଥିଲା । ଏଥିସହ ମୁମ୍ବାଇ ପ୍ରଥମ ପର୍ଯ୍ୟାୟରେ ପଞ୍ଜାବଠାରୁ ବରଣ କରିଥିବା ପରାଜୟର ପ୍ରତିଶୋଧ ନେଇଥିଲା ।
ପଞ୍ଜାବ ଓପନର୍ ପ୍ରଭସିମରନ୍ ସିଂହ (୯)ଙ୍କ ୱିକେଟ୍ ସଅଳ ହରାଇଥିଲେ ମଧ୍ୟ ଅନ୍ୟତମ ଓପନର ତଥା ଅଧିନାୟକ ଶିଖର ଧୱନ୍ ଓ ମାଥ୍ୟୁ ଶର୍ଟଙ୍କ ମଧ୍ୟରେ ୪୯ ରନ୍ର ଭାଗୀଦାରୀ ହୋଇଥିଲା । ଧୱନ୍ ୫ଟି ଚୌକା ସହ ୩୦ ରନ୍ରେ ଆଉଟ୍ ହେବା ପରେ ଶର୍ଟ ୨ଟି ଚୌକା ଓ ଗୋଟିଏ ଛକା ଜରିଆରେ ୨୭ ରନ୍ କରି ବିଦାୟ ନେଇଥିଲେ । ତେବେ ଚତୁର୍ଥ ୱିକେଟ୍ରେ ଲିଆମ୍ ଲିଭିଙ୍ଗଷ୍ଟୋନ୍ ଓ ଜିତେଶ ଶର୍ମା ଅବିଭାଜିତ ୧୧୯ ରନ୍ର ଭାଗୀଦାରୀ କରି ମୁମ୍ବାଇକୁ ଏକ କଷ୍ଟସାଧ୍ୟ ଲକ୍ଷ୍ୟ ଦେଇଥିଲେ । ଲିଭିଙ୍ଗଷ୍ଟୋନ୍ ମାତ୍ର ୪୨ ବଲ୍ ଖେଳି ୭ଟି ଚୌକା ଓ ୪ଟି ଛକା ସହ ୮୨ ଏବଂ ଜିତେଶ ମାତ୍ର ୨୭ ବଲ୍ରେ ୫ଟି ଚୌକା ଓ ୨ଟି ଛକା ଜରିଆରେ ୪୯ ରନ୍ କରି ଅପରାଜିତ ଥିଲେ । ମୁମ୍ବାଇ ପକ୍ଷରୁ ପୀୟୂଷ ଚାୱଲା ୨ଟି ଏବଂ ଅର୍ଶଦ୍ ଖାନ୍ ଗୋଟିଏ ୱିକେଟ୍ ନେଇଥିଲେ ।
ବ୍ୟାଟିଂରେ ଦଳର ଓପନର ତଥା ଅଧିନାୟକ ରୋହିତ ଶର୍ମା ଶୂନରେ ଆଉଟ୍ ହୋଇଥିଲେ ହେଁ ଅନ୍ୟତମ ଓପନର ଈଶାନ୍ କିଶନ୍ ମାତ୍ର ୪୧ ବଲ୍ରେ ୭ଟି ଚୌକା ଓ ୪ଟି ଛକା ମାଧ୍ୟମରେ ୭୫ ରନ୍ କରିଥିଲେ । ଏହାଛଡ଼ା ସେ ସୂର୍ଯ୍ୟକୁମାର ଯାଦବଙ୍କ ସହ ତୃତୀୟ ୱିକେଟ୍ରେ ୧୧୬ ରନ୍ର ଭାଗୀଦାରୀ କରିଥିଲେ, ଯାହା ଦଳର ବିଜୟକୁ ସହଜ କରିଦେଇଥିଲା । ସୂର୍ଯ୍ୟକୁମାର ମାତ୍ର ୩୧ ବଲ୍ ଖେଳି ୮ଟି ଚୌକା ଓ ୨ଟି ଛକା ସହ ୬୬ ରନ୍ କରିଥିଲେ । ଆହୁରି ତିଲକ ବର୍ମା ଗୋଟିଏ ଚୌକା ଓ ୩ଟି ଛକା ସହ ୨୬ ଏବଂ ଟିମ୍ ଡେଭିଡ୍ ୩ଟି ଚୌକା ସହ ୧୯ ରନ୍ କରି ଅପରାଜିତ ଥିଲେ । ପଞ୍ଜାବ ପକ୍ଷରୁ ନାଥନ୍ ଏଲିସ୍ ୨ଟି ଏବଂ ଋଷି ଧୱନ୍ ଓ ଅର୍ଶଦୀପ ସିଂହ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ପଞ୍ଚମ ବିଜୟ ସହ ମୁମ୍ବାଇ ପଏଣ୍ଟ୍ ଟେବଲ୍ରେ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ପଞ୍ଚମ ପରାଜୟ ସହ ପଞ୍ଜାବ ସପ୍ତମକୁ ଖସିଆସିଛି ।