29.1 C
Bhubaneswar
Saturday, July 27, 2024
Homeଆଇପିଏଲ୍‌-୨୦୨୩ଆଇପିଏଲ୍‌: ଗୁଜୁରାଟକୁ ୨୭ ରନ୍‌ରେ ହରାଇଲା ମୁମ୍ବାଇ

ଆଇପିଏଲ୍‌: ଗୁଜୁରାଟକୁ ୨୭ ରନ୍‌ରେ ହରାଇଲା ମୁମ୍ବାଇ

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ଶୁକ୍ରବାର ସଂସ୍କରଣର ୫୭ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ ୨୭ ରନ୍‌ରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ ପାଇ ମୁମ୍ବାଇ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ଶତକ ସହାୟତାରେ ୫ ୱିକେଟ୍ ବିନିମୟରେ ୨୧୮ ରନ୍ କରିଥିଲା । ଏହାର ଜବାବ ଦେବାକୁ ଯାଇ ଗୁଜରାଟ ଟାଇଟାନ୍ସ ୮ ୱିକେଟ୍ ବିନିମୟରେ ୧୯୧ ରନ୍ କରିବା ଫଳରେ ମୁମ୍ବାଇ ପ୍ରଥମ ପର୍ଯ୍ୟାୟରେ ବରଣ କରିଥିବା ପରାଜୟର ପ୍ରତିଶୋଧ ନେଇପାରିଛି । ତେବେ ଗୁଜରାଟର ତାରକା ଅଲ୍‌ରାଉଣ୍ଡର୍ ରଶିଦ୍ ଖାନ୍ ବୋଲିଂରେ ୪ଟି ୱିକେଟ୍ ନେବା ସହ ବ୍ୟାଟିଂରେ ମାତ୍ର ୩୨ ବଲ୍‌ରେ ୭୯ ରନ୍ କରି ଅପରାଜିତ ରହିଥିଲେ ମଧ୍ୟ ଦଳ ପରାସ୍ତ ହେବାରୁ ତାଙ୍କର ଏହି ଉଦ୍ୟମ ବେକାର ସାବ୍ୟସ୍ତ ହୋଇଥିଲା । ଅନ୍ୟପକ୍ଷରେ ମୁମ୍ବାଇ ଦ୍ୱାଦଶ ମ୍ୟାଚ୍‌ରେ ସପ୍ତମ ବିଜୟ ସହ ପଏଣ୍ଟ୍ ଟେବଲ୍‌ରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି ।

ମୁମ୍ବାଇର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଈଶାନ୍ କିଶନ୍ ୬୧ ରନ୍ ଯୋଡ଼ିଥିଲେ । ୧୮ ବଲ୍ ଖେଳି ୩ଟି ଚୌକା ଓ ୨ଟି ଛକା ସହାୟତାରେ ୨୯ ରନ୍ କରିଥିବା ସମୟରେ ରୋହିତ ଆଉଟ୍ ହୋଇଥିଲେ । ସମାନ ଓଭର୍‌ରେ ଈଶାନ୍ ଆଉଟ୍ ହେବା ବେଳକୁ ୨୦ ବଲ୍ ଖେଳି ୪ଟି ଚୌକା ଓ ଗୋଟିଏ ଛକା ଜରିଆରେ ୩୧ ରନ୍ କରିସାରିଥିଲେ । ନେହଲ୍ ୱାଧେରା ଓ ସୂର୍ଯ୍ୟଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୨୨ ରନର ଭାଗୀଦାରୀ ହୋଇଥିଲା । ୱାଧେରା ୭ ବଲ୍ ଖେଳି ଗୋଟିଏ ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୧୫ ରନ୍‌ରେ ଆଉଟ୍ ହେବା ପରେ ବିଷ୍ଣୁ ବିନୋଦ ବ୍ୟାଟିଂ ପାଇଁ ଆସିଥିଲେ । ସୂର୍ଯ୍ୟ ଓ ବିଷ୍ଣୁଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍‌ରେ ମାତ୍ର ୭ ଓଭର୍‌ରେ ୬୫ ରନ୍‌ର ଭାଗୀଦାରୀ ହୋଇଥିଲା । ଏହି ଭାଗୀଦାରୀରେ ବିଷ୍ଣୁ ୨୦ ବଲ୍ ଖେଳି ୨ଟି ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୩୦ ରନ୍‌ର ଯୋଗଦାନ ଦେଇଥିଲେ । ପରେ ସୂର୍ଯ୍ୟ ତାଙ୍କ ଆଇପିଏଲ୍ କ୍ୟାରିଅର୍‌ରେ ପ୍ରଥମ ଶତକ ପୂରଣ କରିଥିଲେ । ଚଳିତ ସଂସ୍କରଣରେ ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଭାବେ ତିନି ଅଙ୍କ ବିଶିଷ୍ଟ ସ୍କୋର୍ କରିବା ସହ ସୂର୍ଯ୍ୟ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ୧୦୩ ରନ୍‌ର ଧୂଆଁଧାର ଇନିଂସ ପାଇଁ ସୂର୍ଯ୍ୟ ମାତ୍ର ୪୯ଟି ବଲ୍ ନେଇଥିଲେ ଏବଂ ୧୧ଟି ଚୌକା ଓ ୬ଟି ଛକା ଲଗାଇଥିଲେ । ଗୁଜରାଟ ପକ୍ଷରୁ ରଶିଦ୍‌ଙ୍କ ବ୍ୟତୀତ ମୋହିତ ଶର୍ମା ଗୋଟିଏ ୱିକେଟ୍ ନେଇଥିଲେ ।

ବ୍ୟାଟିଂରେ କ୍ରମାଗତ ବ୍ୟବଧାନରେ ୱିକେଟ୍‌ମାନ ହରାଇବା ଫଳରେ ୨୧୯ ରନ୍‌ର ବଡ଼ ଟାର୍ଗେଟ୍‌ର ପିଛା କରିବା ଗୁଜରାଟ ପାଇଁ କଷ୍ଟସାଧ୍ୟ ହୋଇଥିଲା । ଦୁଇ ଓପନର ଋଦ୍ଧିମାନ୍ ସାହା ଓ ଶୁବମାନ ଗିଲ୍ ଯଥାକ୍ରମେ ୨ ଓ ୬ ରନ୍ କରି ଆଉଟ୍ ହେବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୪ ରନ୍‌ରେ ପ୍ୟାଭିଲିଅନ୍ ଫେରିଥିଲେ । ବିଜୟ ଶଙ୍କର ଓ ଡେଭିଡ୍ ମିଲର୍‌ଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍‌ରେ ୨୨ ରନ୍‌ର ଭାଗୀଦାରୀ ହୋଇଥିଲା । ଶଙ୍କର ମାତ୍ର ୧୪ ବଲ୍‌ରେ ୬ଟି ଚୌକା ସହ ୨୯ ରନ୍‌ରେ ଆଉଟ୍ ହେବା ପରେ ଅଭିନବ ମନୋହର ମାତ୍ର ୨ ରନ୍ କରିବାକୁ ସକ୍ଷମ ହୋଇଥିଲେ । କିନ୍ତୁ ସେତେବେଳକୁ ଗୁଜରାଟ ଦଳୀୟ ସ୍କୋର୍ ମାତ୍ର ୫୫ ଥିଲା ।

ଏହି ସମୟରେ ମିଲର୍ ଓ ରାହୁଲ୍ ଟେୱଟିଆଙ୍କ ମଧ୍ୟରେ ୪୫ ରନ୍‌ର ଭାଗୀଦାରୀ ହେବା ଫଳରେ ଦଳ ୧୦୦ ରନ୍‌ରେ ପହଞ୍ଚିଥିଲା । କ୍ରମାଗତ ଦୁଇଟି ବଲ୍‌ରେ ଉଭୟ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେବାରୁ ଦଳ ୧୦୦ ରନ୍‌ରେ ୭ଟି ୱିକେଟ୍ ହରାଇଥିଲା । ଅଧିକନ୍ତୁ ନୂର୍ ଅହମ୍ମଦ ୧ ରନ୍‌ରେ ଆଉଟ୍ ହେବା ବେଳକୁ ଦଳୀୟ ସ୍କୋର୍ ମାତ୍ର ୧୦୩ ଥିଲା । କିନ୍ତୁ ରଶିଦ୍ ମାତ୍ର ୨୦ ବଲ୍‌ରେ ଆଇପିଏଲ୍‌ରେ ତାଙ୍କର ପ୍ରଥମ ଅର୍ଦ୍ଧଶତକ ପୂରଣ କରିବା ସହ ୭୯ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ । ସେ ୩ଟି ଚୌକା ଓ ୧୦ଟି ଛକା ଲଗାଇବା ସହ ଆଲ୍‌ଜାରି ଜୋସେଫ୍ (୭ ରନ୍‌, ୧ ଚୌକା)ଙ୍କ ସାଥୀରେ ନବମ ୱିକେଟ୍‌ରେ ଅବିଭାଜିତ ୮୮ ରନ୍ ଯୋଡ଼ି ଦଳକୁ ଶୋଚନୀୟ ପରାଜୟରୁ ରକ୍ଷା କରିଥିଲେ । ମୁମ୍ବାଇ ପକ୍ଷରୁ ଆକାଶ ମାଢ଼ୱାଲ୍ ୩ଟି, ପୀୟୂଷ ଚାୱଲା ଓ କୁମାର କାର୍ତ୍ତିକେୟ ୨ଟି ଲେଖାଏଁ ଏବଂ ଜେସନ୍ ବେହରେନ୍‌ଡର୍ଫ ଗୋଟିଏ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking