ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ପାଳିତ ହେବାକୁ ଥିବା ଚୈତ୍ର ପର୍ବ ଲାଗି ଆଜି ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ । ଚଳିତ ମାସ ୨୨, ୨୯ ଏବଂ ଆସନ୍ତା ଏପ୍ରିଲ ମାସ ୫ ଏବଂ ୧୨ ତାରିଖ ଦିନ ପର୍ବ ପାଳନ ହେବ । ଉତ୍ସବ ପାଳନ ନିମନ୍ତେ ଜିଲ୍ଲାପାଳ ଅନୁମତି ଦେବା ସହ ଭକ୍ତମାନେ ବିନା ଦ୍ୱିଧାରେ କିଭଳି ମା’ଙ୍କ ଦର୍ଶନ ଲାଭ କରିବେ ସେଥିନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଅଧିକ ଜନ ଗହଳି ହେବା ସମ୍ଭାବନା ରହିଛି ।
ଏଣୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ । ଭକ୍ତମାନେ ପାହାଚ ଚଢ଼ା ରାସ୍ତାରେ ଏବଂ ରୋପ୍ ୱେରେ ମନ୍ଦିରକୁ ଯାଇପାରିବେ । ଘାଟି ରାସ୍ତାରେ ବସ୍ ଯୋଗେ ମନ୍ଦିର ନିକଟକୁ ଯାଇ ମା’ଙ୍କ ଦର୍ଶନ କରିପାରିବେ । ଜିଲ୍ଲାରେ ସମ୍ପ୍ରତି କୋଭିଡ୍ ସଂକ୍ରମଣ ସଂଖ୍ୟା ଦୁଇ ଅଙ୍କରେ ରହୁଥିବାରୁ ମା’ଙ୍କ ଦର୍ଶନ ପାଇଁ ସମସ୍ତେ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି । ମନ୍ଦିର ମଧ୍ୟକୁ ବିନା ମାସ୍କ୍ରେ ପ୍ରବେଶକୁ ବାରଣ କରାଯାଇଛି । ମନ୍ଦିର ନିକଟରେ ପୂଜା ସାମଗ୍ରୀ ବିକ୍ରିକୁ ବନ୍ଦ କରାଯାଇଛି । ମନ୍ଦିରର ପାଦ ଦେଶ ବା ପାହାଡ଼ ତଳେ ନିର୍ଦ୍ଧର୍ାରିତ ସ୍ଥଳରେ ପୂଜା ସାମଗ୍ରୀ ବିକ୍ରିକୁ ଅନୁମତି ଦିଆଯିବ । ମନ୍ଦିର ପାଦଦେଶରେ ଏବଂ ମନ୍ଦିର ନିକଟରେ ସ୍ୱାସ୍ଥ୍ୟ ବିଭାଗ ଦଳ ଅସ୍ଥାୟୀ ଭାବେ ସ୍ୱାସ୍ଥ୍ୟସେବା ଯୋଗାଇବେ । ଆଇନ ଶୃଙ୍ଖଳା ପରିସ୍ଥିତି ନୟନ୍ତ୍ରଣ ପାଇଁ ପୁଲିସ ଦଳ ନିୟୋଜିତ ରହିବେ । ମନ୍ଦିର ଉପରକୁ କୌଣସି ଯାନବାହନ ଯିବ ନାହିଁ । ଯାତ୍ରୀମାନେ ନିଜ ଯାନବାହାନ ପାର୍କିଂ ସ୍ଥଳରେ ରଖିବେ ।
ପାହାଡ଼ ତଳେ ହୋଇଥିବା ବସ୍ ସେବା ପାଇଁ ଟିକେଟ କାଟି ମନ୍ଦିର ନିକଟକୁ ଯିବେ । ସେବାୟତଙ୍କ ଯାତାୟାତ ସକାଶେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ବାହାରୁ ଆସୁଥିବା ଭିଭିଆଇପିଙ୍କ ଯାତାୟତ ଦିଗରେ ଉପଜିଲ୍ଲାପାଳ ଦାୟିତ୍ୱ ନିର୍ବାହ କରିବେ । ଅସୁସ୍ଥ ଥିବା ବ୍ୟକ୍ତି, ବୟସ୍କ ବ୍ୟକ୍ତି କିମ୍ବା କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ମନ୍ଦିର ନ ଆସିବାକୁ ପରାମର୍ଶ ଦିଆଯାଇଛି । ଯାତ୍ରୀମାନଙ୍କ ସୁବିଧା ପାଇଁ ସାଇନେଜ୍ ବୋର୍ଡ ଦ୍ୱାରା ବିଭିନ୍ନ ସ୍ଥାନର ସୂଚନା ଦିଆଯିବ । ପାହାଚ ରାସ୍ତା, ପାର୍କିଂ ସ୍ଥଳ ଏବଂ ରାସ୍ତାରେ ପାନୀୟ ଜଳର ବ୍ୟବସ୍ଥା ଓ ଆଲୋକୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିର ପରିସରରେ ଜରିର ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଭକ୍ତମାନଙ୍କ ସୁବିଧା ପାଇଁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ମନ୍ଦିର ନିକଟରେ ଏବଂ ପାଦ ଦେଶରେ ଅସ୍ଥାୟୀ ଶୌଚାଳୟ ଯାନର ବ୍ୟବସ୍ଥା ହେବ ।
ମନ୍ଦିର ତରଫରୁ ଭକ୍ତମାନଙ୍କ ପାଇଁ କାନିକା ଖେଚୁଡି ପ୍ରସାଦ ବିକ୍ରି ହେବ । ମନ୍ଦିର ଉପରିସ୍ଥ ସ୍ଥାନରେ ଖାଇବାକୁ ବାରଣ କରାଯାଇଛି । ଚଳିତ ବର୍ଷ ମାନସିକଧାରୀ ଭକ୍ତମାନେ ମୁଣ୍ଡନ କରିପାରିବେ । ଆଲୁଅ ବ୍ୟବସ୍ଥା, ମନ୍ଦିର ପରିସରରେ ଛାଇ ନିମନ୍ତେ ଛାଉଣୀ ବ୍ୟବସ୍ଥା, ସାଂସ୍କୃତିକ ଦଳମାନଙ୍କ ଦ୍ୱାରା ପାରମ୍ପରିକ ଲୋକନୃତ୍ୟ ଓ ଲୋକକଳା ପ୍ରଦର୍ଶିତ ହେବ । ଚଳିତ ବର୍ଷର ଚୈତ୍ର ପର୍ବରେ ଭକ୍ତ ଓ ଦର୍ଶକ ମା’ଙ୍କର ଦର୍ଶନ ଶାନ୍ତି ଶୃଙ୍ଖଳାର ସହିତ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ କୁଲେଙ୍ଗେ ଆଶା ପ୍ରକଟ କରିଥିଲେ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ତହସିଲଦାର ନୀତିଶ୍ ତ୍ରିପାଠୀ, ଏସ୍ଡିପିଓ ସୂର୍ଯ୍ୟମଣୀ ପ୍ରଧାନ, ଆଇଆଇସି ପ୍ରିୟ ରଞ୍ଜନ ଛୋଟରାୟ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ମନ୍ଦିର ଟ୍ରଷ୍ଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟି.କେ. ରେଡ୍ଡୀ, ତାରାତାରିଣୀ ଉନ୍ନୟନ ପରିଷଦର ସମ୍ପାଦକ ତଥା ଟ୍ରଷ୍ଟ ବୋର୍ଡର ସଭ୍ୟ ପ୍ରମୋଦ କୁମାର ପଣ୍ଡା, ସେବାୟତ ସନତ ରଣା, ତପନ କୁମାର ରଣା, ବାପୁଜୀ ରଣା ଏବଂ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।