ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍କୁ ଏକ ବଡ଼ ସଫଳତା ମିଳିଛି । ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ସାଜିଥିବା ଜମ୍ମୁ କାଶ୍ମୀର ହିଜବୁଲ୍ ମୁଜାହିଦ୍ଦିନ୍ର ସଦସ୍ୟ ଜାଭେଦ ଅହମ୍ମଦ ମାଟ୍ଟୋକୁ ଆଜି ଦିଲ୍ଲୀ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି । ଦୀର୍ଘ ଦିନ ଧରି କାଶ୍ମୀର ଘାଟିରେ ଆତଙ୍କ ସୃଷ୍ଟି କରିଆସୁଥିବା ହିଜବୁଲ୍ର ଏହି କୁଖ୍ୟାତ ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରିଥିବା ଏବଂ ଛଦ୍ମବେଶରେ ରହୁଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ତା’କୁ ଧରିବା ପାଇଁ ପ୍ରୟାସ ଜାରି ରହିଥିଲା । ଇତିମଧ୍ୟରେ ଦିଲ୍ଲୀ ପୁଲିସ୍ ପାଇଁ ତା’କୁ ଧରିବା ଏକ ଚ୍ୟାଲେଞ୍ଜିଂ ପରିସ୍ଥିତି ସୃଷ୍ଟି କରିଥିଲା ।
ଏପରିକି ଭାରତ ସରକାର ଜାଭେଦ୍ ମାଟ୍ଟୋକୁ ଧରାଇ ଦେବାକୁ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ । ଦୀର୍ଘଦିନରୁ ଦିଲ୍ଲୀ ପୁଲିସ୍ ମାଟ୍ଟୋକୁ ଖୋଜୁଥିଲା । କିଛି ଦିନ ତଳେ ଅର୍ଥାତ୍ ଗତବର୍ଷ ସ୍ୱାଧୀନତା ଦିବସରେ ମାଟ୍ଟୋର ସପୋର ସ୍ଥିତ ବାସଭବନରେ ଭାରତ ତ୍ରିରଙ୍ଗା ପତାକା ଉଡାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଆଜି ଦିଲ୍ଲୀ ପୁଲିସ୍ ମାଟ୍ଟୋକୁ ଧରିବାରେ ସଫଳ ହୋଇଛି ।