ନୂଆଦିଲ୍ଲୀ: ମଙ୍କିପକ୍ସ ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଚେତାବନୀ ଜାରି କରିଛି । ଛୋଟପିଲାଙ୍କୁ ଏହା ସଂକ୍ରମିତ କରିବାର ବିପଦ ଅଧିକ ଥିôାରୁ ଏହାର ଲକ୍ଷଣ ଉପରେ ନଜର ରଖିବାକୁ ହେବ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି । ଅବଶ୍ୟ ଭାରତରେ ମଙ୍କିପକ୍ସର ଗୋଟିଏ ହେଲେ ମାମଲା ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ମାତ୍ର ସରକାର ଏହି ସଂକ୍ରମଣକୁ ନେଇ ହାଇଆଲର୍ଟରେ ଅଛନ୍ତି । ଅନ୍ୟପକ୍ଷରେ ଭାରତୀୟ ପ୍ରାଇଭେଟ୍ ହେଲ୍ଥ ଡିଭାଇସ୍ କମ୍ପାନୀ ଟ୍ରିବିଟ୍ରନ୍ ହେଲ୍ଥକେୟାର୍ ମଙ୍କିପକ୍ସ ଯାଞ୍ଚ୍ ପାଇଁ ଏକ ଆର୍ଟି-ପିସିଆର୍ ଟେଷ୍ଟ୍ କିଟ୍ ପ୍ରସ୍ତୁତ କରିଛି ।
ଏହି କିଟ୍ ଏକଘଣ୍ଟା ମଧ୍ୟରେ ଫଳାଫଳ ଜଣାଇଦେବ । ଶୁକ୍ରବାର ଆର୍ଜେଣ୍ଟିନାରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଛି । ରୋଗୀ ଜଣକ ନିକଟରେ ସ୍ପେନ୍ ଯାତ୍ରାକରି ଫେରିଥିଲେ । ଦେଶରେ ଜଣେ ସନ୍ଦିଗ୍ଧ ରୋଗୀ ମଧ୍ୟ ମିଳିଥିଲେ । ଏହା ପୂର୍ବରୁ ମଙ୍ଗଳବାର ପଶ୍ଚିମ ଆଫ୍ରିକାରୁ ୟୁଏଇ ଫେରିଥିବା ଜଣେ ମହିଳା ମଧ୍ୟ ମଙ୍କିପକ୍ସ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଉଲ୍ଲେଖଯୋଗ୍ୟ, ଇତିମଧ୍ୟରେ ୨୧ ଦେଶରେ ମଙ୍କିପକ୍ସର ୨୨୬ ମାମଲା ଜଣାପଡ଼ିଛି । ସେହିପରି ସାଧାରଣତଃ ମଙ୍କିପକ୍ସ ସଂକ୍ରମଣ ନଥିବା ଦେଶଗୁଡ଼ିକରେ ପ୍ରାୟ ୧୦୦ ସନ୍ଦିଗ୍ଧ ରୋଗୀ ମିଳିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଶୁକ୍ରବାର କହିଛି । ମଙ୍କିପକ୍ସର ପ୍ରଥମ ମାମଲା ମେ ୭ ତାରିଖରେ ବ୍ରିଟେନ୍ରୁ ସାମ୍ନାକୁ ଆସିଥିଲା । ତେବେ ସବୁଠୁ ଖୁସିର କଥା ମଙ୍କିପକ୍ସ ଭାଇରସ୍ର ବର୍ତ୍ତମାନ ସୁଦ୍ଧା କୌଣସି ଜେନେଟିକ୍ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ଅର୍ଥାତ୍ ଭାଇରସ୍ ମନୁଷ୍ୟ ମଧ୍ୟରେ ମ୍ୟୁଟେଣ୍ଟ ହୋଇନାହିଁ । ଏହି ରୋଗ ଆଫ୍ରିକାରୁ କିପରି ବାହାରକୁ ବ୍ୟାପିଲା ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ଉଦ୍ୟମ ଚଳାଇଛନ୍ତି ।