32.1 C
Bhubaneswar
Sunday, May 19, 2024
Homeଓଡିଶାଛଅ ପ୍ରାଣୀ କୁଟୁମ୍ବଙ୍କ ସହିତ ପର ଘରେ ମୁଣ୍ଡ ଗୁଞ୍ଜିଛନ୍ତି ମୋହନ  

ଛଅ ପ୍ରାଣୀ କୁଟୁମ୍ବଙ୍କ ସହିତ ପର ଘରେ ମୁଣ୍ଡ ଗୁଞ୍ଜିଛନ୍ତି ମୋହନ  

ବିଞ୍ଝାରପୁର: କେହି ଭୂମିହୀନ ନରହିବା ସହିତ ସବୁ ପରିବାର ମୁଣ୍ଡ ଉପରେ ଛାତ ରହିବା ନିମନ୍ତେ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। କିନ୍ତୁ ଏହି ଯୋଜନାର ବାସ୍ତବିକତାକୁ ନେଇ ପ୍ରଶ୍ନ ଉଠିଛି । ବିଞ୍ଝାରପୁର ବ୍ଲକ ବିତନା ପଞ୍ଚାୟତ ପୁରୀବିନ୍ଧା ଗ୍ରାମରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି । ତାଙ୍କର ନିଜର ପୈତୃକ ସମ୍ପତ୍ତି ରହିଛି । ଘର କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ସହାୟତା ମିଳିଛି । ଘର କରିବା ପାଇଁ ପ୍ରଚେଷ୍ଟା ରହିଛି । ମାତ୍ର ରାଜନୈତିକ ଦାଓପେଞ୍ଚ ଭିତରେ ପେଶି ହୋଇ ନିଜ ଜମି ଉପରୁ ନିଜର ହକ୍‌ରୁ ସେ ବଞ୍ଚିତ । ଏହି ଗ୍ରାମର ସ୍ୱର୍ଗତଃ ମୂରଲୀ ପୁହାଣଙ୍କ ସାନପୁଅ ମୋହନ ଚୁହାଣ (୩୮)ଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ପୈତୃକ ସମ୍ପତ୍ତି ସେ ଓ ତାଙ୍କ ଭାଇ ମଦନ ଚୁହାଣଙ୍କ ମଧ୍ୟରେ ଭାଗବଣ୍ଟା ହୋଇସାରିଛି । ବହୁ ଦିନରୁ ତାଙ୍କର ପୈତୃକ ଘର ଖଣ୍ଡକ ଭାଙ୍ଗିଯାଇଥିବାରୁ ସେ ଖଣ୍ଡେ ଚାଳିଆ କରି ସ୍ତ୍ରୀ ଓ ଚାରି ପିଲାଙ୍କ ମୁଣ୍ଡ ଉପରେ ଛାତଟିଏ କରିବାର ଇଚ୍ଛା ରଖିଥିଲେ ।

ଏଥି ନିମନ୍ତେ ତାଙ୍କର ଦୁଇଟି ପ୍ଲଟ୍‌ରେ ଜମି ରହିଛି । ମାତ୍ର କେତେକ ଲୋକଙ୍କ ବୁଦ୍ଧି ଓ ବଳ ପାଇ ମୋହନଙ୍କୁ ନାନା ଆଳ ଦେଖାଇ ତାଙ୍କର ଭାଇ ମଦନ ଚୁହାଣ ଘର କରାଇ ଦେଉନାହାନ୍ତି । ଅସହାୟ ମୋହନ ସ୍ଥାନୀୟ ଭଦ୍ର ବ୍ୟକ୍ତିମାନଙ୍କ ନିକଟକୁ ଯାଇ ଘଟଣା ସମ୍ପର୍କରେ ଜଣାଇଥିଲା । ସ୍ଥାନୀୟ ପୂର୍ବତନ ସରପଞ୍ଚ ମହେଶ୍ୱର ରାଉତ, ପୂର୍ବତନ ୱାର୍ଡ ସଭ୍ୟ ବାସୁଦେବ ପାଗଳ, ବିଭୂକଲ୍ୟାଣ ଦାସ, ନନ୍ଦ କିଶୋର ଚୁହାଣ, ବଳରାମ ଚୁହାଣ ପ୍ରମୁଖ ଭଦ୍ରଲୋକମାନଙ୍କର ଉପସ୍ଥିତିରେ ଘଟଣାର ବିଚାର ବିମର୍ଷ କରାଯାଇ ସମାଧାନ କରାଯାଇଥିଲା । ଜମି ବଣ୍ଟା ଯାଇଥିଲା ।

ମାତ୍ର କିଛିଦିନ ପରେ ଏହି ମାପଚୁପ ଅନୁଯାୟୀ ଗୋଟିଏ ପ୍ଲଟ ଉପରେ ଘର କରିବା ପାଇଁ ମୋହନ ଉଦ୍ୟମ କଲାବେଳେ ପୁନର୍ବାର ତାଙ୍କର ବଡ଼ ଭାଇ ମଦନ ପୁହାଣ ବାଧା ଦେଇଥିଲେ । ମୋହନଙ୍କ ପତ୍ନୀ କନକଲତା ଚୁହାଣ ଘଟଣା ସମ୍ପର୍କରେ ସ୍ଥାନୀୟ ଅଳକୁଣ୍ଡ ଫାଣ୍ଡିରେ ଜଣାଇଥିଲେ । ମାତ୍ର ଫଳାଫଳ କିଛି ସେ ପାଇ ନଥିଲେ ବୋଲି କହିଛନ୍ତି । ଗରିବ ମୋହନ ଛଅ ପ୍ରାଣୀ ପରିବାର ସହିତ ଅସହାୟ ଭାବେ ଦିନ କଟାଉଥିବା ବେଳେ ସ୍ଥାନୀୟ ପୁଲିସ ପ୍ରଶାସନ, ସାଧାରଣ ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କ ପାଖକୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଗଲେଣି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking