ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୬ଟାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ । ଏଥିରେ ଓଡିଶାରୁ ଦୁଇ ଜଣ ସ୍ଥାନ ପାଇବାର ସମ୍ଭାବନା ରହିଛି । ମୟୁରଭଂଜ ସାଂସଦ ବିଶେଶ୍ୱର ଟୁଡୁ ଓ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଏହି ଦୁଇଜଣ ସ୍ଥାନ ପାଇବାର ସମ୍ଭାବନା ରହିଛି । ଯେଉଁମାନେ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ ସେମାନଙ୍କୁ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଡକାଯାଇଥିଲା । ୪୭ ଜଣ ସାଂସଦ ପହଂଚିଥିଲେ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସେମାନେ ସମସ୍ତେ ଏକାଠି ହୋଇଥିଲେ । ଓଡିଶାରୁ ଦୁଇ ଜଣ ଥିଲେ । ତେବେ ଏଥିରୁ ଆଶା କରାଯାଉଛି ଯେ, ଉଭୟେ ସ୍ଥାନ ପାଇବେ । ମୟୁରଭଂଜ ସାଂସଦ ବିଶେଶ୍ୱର ଟୁଡୁ ଓ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଙ୍କ ମଧ୍ୟରୁ ଟୁଡୁ ସ୍ଥାନ ପାଇବା ଏକପ୍ରକାର ସ୍ପଷ୍ଟ ହୋଇଛି । କାରଣ ସେ ଆଜି ଏସଂପର୍କରେ ସୂଚନା ଦେଇଛନ୍ତି । ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ‘ଫୋନ ଆସିଥିଲା, ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲି । ସନ୍ଧ୍ୟା ୫ଟାରେ ମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି’ । ଏଥିରୁ ସେ ସ୍ଥାନ ପାଇବା ସ୍ପଷ୍ଟ ହୋଇଛି । ସେହିପରି ଅଶ୍ୱିନୀ ବୈଷ୍ଣବ ମଧ୍ୟ ଯେହେତୁ ସେହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ, ତେଣୁ ସେ ବି ପାଇବା ସମ୍ଭାବନା ରହିଛି ।