ଲଣ୍ଡନ: ବିଦେଶରେ ନିଶାସକ୍ତ ମହିଳାଙ୍କୁ ଦୁଷ୍କର୍ମ କରି ଜେଲ ଦଣ୍ଡ ପାଇଛନ୍ତି ଭାରତୀୟ ଇଞ୍ଜିନିୟରିଂ ଛାତ୍ର । ୨୦ ବର୍ଷର ଭାରତୀୟ ଛାତ୍ର ଜଣକ ନିଶାସକ୍ତ ଅବସ୍ଥାରେ ଥିବା ମହିଳାଙ୍କୁ ନିଜ ଫ୍ଲାଟକୁ ନେଇ ଦୁଷ୍କର୍ମ କରିଥିବା ସିସିଟିଭି ଫୁଟେଜରେ ମଧ୍ୟ କଏଦ ହୋଇଛି । ସେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୬ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ୱେଲ୍ସ ସ୍ଥିତ କାର୍ଡିଫ ସିଟି ସେଣ୍ଟରରୁ ପୀଡ଼ିତାଙ୍କୁ ଟେକି ନେଇ ଅଭିଯୁକ୍ତ ଛାତ୍ର ଜଣକ ଦୁଷ୍କର୍ମ କରିଥିବା ଜଣାପଡିଛି । ପୀଡିତା ଜଣକ ନିଜ ବନ୍ଧୁମାନଙ୍କ ସହିତ ରାତିରେ ପାର୍ଟି କରୁଥିବା ସମୟରେ ଅତ୍ୟଧିକ ମଦ୍ୟ ପାନ କରିଥିଲେ । ସେ ନିଶାସକ୍ତ ଅବସ୍ଥାରେ ରହିଥିବା ବେଳେ ଅଭିଯୁକ୍ତ ଭାରତୀୟ ଛାତ୍ର ପ୍ରୀତ ଭିକାଲ ପୀଡ଼ିତାଙ୍କୁ ଟେକି ନେଇଥିଲେ ।
ପ୍ରୀତ ଜଣେ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି । କାର୍ଡିଫରେ ଜଣେ ଅପରିଚିତଙ୍କ ଦ୍ୱାରା ଦୁଷ୍କର୍ମ ଘଟଣାକୁ ଅସାଧାରଣ ବୋଲି କହିଛନ୍ତି କନଷ୍ଟେବଳ ନିକ ଉଡଲ୍ୟାଣ୍ଡ । ଜଣେ ମହିଳା ନିଜ କାବୁରେ ନଥିବା ବେଳେ ଏହାର ଫାଇଦା ଉଠାଇଥିଲା ଅଭିଯୁକ୍ତ । ପୀଡ଼ିତା ଜଣକ ସାଙ୍ଗସାଥୀଙ୍କଠୁ ଅଲଗା ହେବା ପରେ ଏହାର ସୁଯୋଗ ନେଇ ଅଭିଯୁକ୍ତ ତାକୁ ଫ୍ଲାଟକୁ ନେଇ ଦୁଷ୍କର୍ମ କରିଥିଲା ବୋଲି ସେ କହିଛନ୍ତି । ପୀଡ଼ିତାଙ୍କୁ ଅଭିଯୁକ୍ତ ଟେକି ନେଇ ଯାଉଥିବାର ସିସିଟିଭି ଭିଡିଓ କୋର୍ଟରେ ଦାଖଲ ହୋଇଥିଲା । ଏଥିରେ ଦେଖିବାକୁ ମିଳିଛି ଯେ ପୀଡ଼ିତା ଓ ଅଭିଯୁକ୍ତ ନିଜ ନିଜ ବନ୍ଧୁମାନଙ୍କ ସହିତ କାର୍ଡିଫ ସିଟି ସେଣ୍ଟରକୁ ଆସିଥିଲେ । ପୀଡ଼ିତା ଜଣକ ନିଶା ସେବନ ପରେ ହୋସରେ ନଥିବା ବେଳେ ଏହାର ସୁଯୋଗ ନେଇଥିଲା ଅଭିଯୁକ୍ତ । ରାତି ପ୍ରାୟ ୪ଟା ସମୟରେ ସେ ମହିଳାଙ୍କୁ ରାସ୍ତାରେ ନେଇ ଫ୍ଲାଟ ଆଡ଼କୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।