ତୁର୍କୀ: ତୁର୍କୀ ଏବଂ ସିରିୟାରେ ବିନାଶକାରୀ ଭୂମିକମ୍ପ ପରେ ସୋସିଆଲ ମିଡିଆରେ ଅନେକ ଫଟୋ ସାମ୍ନାକୁ ଆସୁଛି। ପ୍ରତ୍ୟେକ ଫଟୋ ହୃଦୟ ବିଦାରକ ଥିବାବେଳେ ଚାରିଆଡ଼େ ପଡ଼ିଛି ଗଦାଗଦା ମୃତଦେହ। ହସ୍ପିଟାଲରେ ମୃତଦେହ ରଖିବାକୁ ଜାଗା ନାହିଁ। କାହାର ପୂରା ପରିବାର ଧ୍ୱଂସ ହୋଇଯାଇଛି ତ କେଉଁଠି କେହି ଜଣେ ନିରୀହ ଘରେ ଏକୁଟିଆ ହିଁ ବଞ୍ଚିଛି। ଏପରି ଭୟାବହ ସ୍ଥିତିରେ ତୁର୍କୀ ଏବଂ ସିରିୟାକୁ ବିଶ୍ୱର ୧୦୦ରୁ ଅଧିକ ଦେଶ ସହାୟତାର ହାତ ବଢ଼ାଇଛନ୍ତି। ବିଭିନ୍ନ ଦେଶରୁ ଆସିଥିବା ଉଦ୍ଧାରକାରୀ ଟିମ୍ ଦିନରାତି ଏକାକାର କରି ଭଗ୍ନାବଶେଷ ଭିତରୁ ଲୋକଙ୍କୁ ବାହାର କରିବାରେ ଲାଗି ପଡ଼ିଛନ୍ତି। ଏ ଭିତରେ ଅନେକ ଆଶ୍ଚର୍ଯ୍ୟଜନକ ତଥା ଚମତ୍କାର ଘଟଣା ବି ଦେଖିବାକୁ ମିଳୁଛି। ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖାଯାଉଛି କି, ପାଖାପାଖି ଦୁଇ ମାସର ଏକ ଶିଶୁ ଦୀର୍ଘ ୧୨୮ ଘଣ୍ଟା ଧରି ଭଗ୍ନାବଶେଷ ଭିତରେ ରହିବା ପରେ ଜୀବନ୍ତ ବାହାରକୁ ବାହାରିଛି। ଯେତେବେଳେ ଏହି ଶିଶୁକୁ ବାହାରକୁ ବାହାର କରାଯାଇଥିଲା, ତ ସେଠାରେ ଉପସ୍ଥିତ ଲୋକମାନେ କାନ୍ଦିବାକୁ ଲାଗିଥିଲେ। କେହି କେହି ଖୁସିରେ ତାଳି ମଧ୍ୟ ମାରିଥିଲେ ଏବଂ ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ।