25.1 C
Bhubaneswar
Thursday, October 9, 2025
Homeଓଡିଶାପୁରୁଷ ହକି ବିଶ୍ୱକପ୍‌: ଆଜିଠାରୁ ପଡ଼ିଆରେ ଆକ୍‌ସନ୍

ପୁରୁଷ ହକି ବିଶ୍ୱକପ୍‌: ଆଜିଠାରୁ ପଡ଼ିଆରେ ଆକ୍‌ସନ୍

ଭୁବନେଶ୍ୱର: ବୁଧବାର କଟକ ବାରବାଟୀ ଷ୍ଟାଡିୟମ୍‌ରେ ପୁରୁଷ ହକି ବିଶ୍ୱକପ୍‌ର ପଞ୍ଚଦଶ ସଂସ୍କରଣ ବିଧିବଦ୍ଧ ଉଦ୍‌ଘାଟିତ ହେବା ସହ ବିଶ୍ୱକପ୍ ବିଗୁଲ୍ ବାଜିସାରିଛି । ଓଲିଉଡ୍ ସହ ବଲିଉଡ୍‌ର ନାମୀଦାମୀ କଳାକାର ମଞ୍ଚରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିବା ସହ ହକି ବିଶ୍ୱକପ୍‌ର ଭୁବନେଶ୍ୱର-ରାଉରକେଲା ସଂସ୍କରଣର ଜବରଦସ୍ତ ଶୁଭାରମ୍ଭ କରିଛନ୍ତି । ଶୁକ୍ରବାରଠାରୁ ପଡ଼ିଆରେ ଆରମ୍ଭ ହେବ ଅସଲ ଆକ୍ସନ୍ । ବିଶ୍ୱର ଶୀର୍ଷ ୧୬ଟି ଦଳ ପଡ଼ିଆରେ ନିଜ ଷ୍ଟିକ୍‌ର ଯାଦୁକରୀ ସ୍ପର୍ଶରେ ଦର୍ଶକଙ୍କୁ ବାନ୍ଧି ରଖିବା ସକାଶେ ଉଦ୍ୟମ କରିବେ । ଦଳଗୁଡ଼ିକ ବିଶ୍ୱକପ୍ ପାଇଁ କରିଥିବା ପ୍ରସ୍ତୁତିର ଅସଲ ନମୁନା ପ୍ରଦର୍ଶନ କରିବେ । ଆୟୋଜକ ଭାରତ ସମେତ ବିଶ୍ୱର ଶୀର୍ଷ ୧୬ଟି ଦଳ ମଧ୍ୟରେ ଟାଇଟଲ୍ ପାଇଁ ହେବ ଜବରଦସ୍ତ ଲଢ଼େଇ । ପ୍ରଥମ ଥର ପାଇଁ ଓଡ଼ିଶାରେ ଏକକାଳୀନ ଦୁଇଟି ଷ୍ଟାଡିୟମ୍‌ରେ ବିଶ୍ୱକପ୍ ଖେଳାଯିବ । ଏଠାକାର କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରତିଯୋଗିତାଟି ଆର୍ଜେଣ୍ଟିନା-ସାଉଥ୍ ଆଫ୍ରିକା ମ୍ୟାଚ୍‌ରୁ ଆରମ୍ଭ ହେବ । ଦିନର ପ୍ରଥମ ଦୁଇଟି ମ୍ୟାଚ୍ ଏଠାରେ ଖେଳାଯିବା ପରେ ଅପରାହ୍ଣରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଅନ୍ୟ ଦୁଇଟି ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ରାଉରକେଲାରେ ରାଜ୍ୟ ସରକାର ସ୍ୱଳ୍ପ ସମୟ ମଧ୍ୟରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ କରିବାରେ ସକ୍ଷମ ହୋଇଥିବା ବେଳେ ଇଂଲଣ୍ଡ ଓ ୱେଲ୍ସ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ମାଧ୍ୟମରେ ଏହା ବିଶ୍ୱ ହକି ଇତିହାସରେ ସାମିଲ୍ ହେବ । ସେହିପରି ସନ୍ଧ୍ୟାରେ ଭାରତ ସଂସ୍କରଣରେ ସ୍ପେନ୍ ବିପକ୍ଷରୁ ତା’ର ଅଭିଯାନ ଆରମ୍ଭ କରିବ । ରାଜ୍ୟରେ ବେଶ୍ କିଛିଦିନ ତଳୁ ହକି ଫିଭର୍ ଆରମ୍ଭ ହୋଇଯାଇଥିବା ବେଳେ ପଡ଼ିଆକୁ ଖେଳାଳିମାନେ ଓହ୍ଲାଇଲେ, ସେମାନଙ୍କୁ ଭବ୍ୟ ସ୍ୱାଗତ ପାଇଁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ବିଶେଷକରି ପ୍ରଥମ ଥର ପାଇଁ ରାଉରକେଲାରେ ଅନ୍ତର୍ଜାତୀୟ ହକି ମ୍ୟାଚ୍ ଖେଳାଯିବାକୁ ଥିବାରୁ ସେଠାକାର ଦର୍ଶକ ଏହି ସୁଯୋଗକୁ ଆଦୌ ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ତେଣୁ ଏହି ଐତିହାସିକ ମୁହୂର୍ତ୍ତକୁ ଜୀବନ୍ତ ଓ ସ୍ମରଣୀୟ କରିବା ସକାଶେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ।

ଅନ୍ୟପକ୍ଷରେ ହକି ବିଶ୍ୱକପ୍‌ର ପଞ୍ଚଦଶ ସଂସ୍କରଣରେ ଭାଗ ନେବାକୁ ଥିବା ପ୍ରତି ଦଳ ଅନ୍ୟ ଦଳକୁ ଟପି ପୋଡିୟମ୍ ଫିନିଶ୍ ପାଇଁ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିବା ଆଶା ନେଇ ପଡ଼ିଆକୁ ଓହ୍ଲାଇବେ । ପୂର୍ବରୁ ୨୦୧୮ରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍ ଖେଳାଯାଇଥିଲା, ଯେଉଁଥିରେ ନେଦରଲାଣ୍ଡ୍‌ସକୁ ପେନାଲ୍‌ଟି ଶୁଟ୍‌ଆଉଟ୍‌ରେ ହରାଇ ଚାମ୍ପିଅନ୍ ହୋଇଥିଲା । ପୁଲ୍‌-ବି’ରେ ସାମିଲ୍ ଥିବା ଏହି ଦଳକୁ ନିଶ୍ଚିତ ଭାବେ ଟୁର୍ଣ୍ଣାମେଣ୍ଟ୍‌ରେ ଅନ୍ୟତମ ଫେବରିଟ୍ ମନେ କରାଯାଉଥିବା ବେଳେ ଏଫ୍‌ଆଇଏଚ୍ ର‌୍ୟାଙ୍କିଙ୍ଗ୍‌ରେ ଏକ ନମ୍ବରରେ ଥିବା ଅଷ୍ଟ୍ରେଲିଆ ଓ ଗତ ସଂସ୍କରଣରେ ସୁଯୋଗ ହାତଛଡ଼ା କରିଥିବା ନେଦରଲାଣ୍ଡ୍‌ସ ମଧ୍ୟ କଡ଼ା ଚାଲେଞ୍ଜ୍ ଦେବେ । ଗତ ୨୦୨୧-୨୨ ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ରେ ଟାଇଟଲ୍ ଜିତିଥିବା ନେଦରଲାଣ୍ଡ୍‌ସ ପୁଲ୍‌-ସି’ରେ ସ୍ଥାନ ପାଇଛି, ଯେଉଁଥିରେ ସଂସ୍କରଣର ଦୁଇଟି ଡେବ୍ୟୁଟାଣ୍ଟ୍ ମଧ୍ୟରୁ ଚିଲି ରହିଛି । ଏହି ସାଉଥ୍ ଆମେରିକୀୟ ଦଳକୁ ଅନ୍ୟ ଦଳମାନେ ଡେବ୍ୟୁଟାଣ୍ଟ୍ ଭାବିବାର ଭୁଲ୍ ନ କରିବାକୁ ଚିଲି ମୁଖ୍ୟ କୋଚ୍ ଜର୍ଜ ଡାବାଞ୍ଚ୍ ଚେତାବନୀ ଦେଇସାରିଛନ୍ତି । ଅନ୍ୟପକ୍ଷରେ ଗତ ସଂସ୍କରଣରେ ତୃତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ପାଇଁ ପୁଲ୍‌-ଏ’ର ଅନ୍ୟତମ ଦଳ ସପ୍ତମ ର‌୍ୟାଙ୍କ୍‌ର ଦଳ ଆର୍ଜେଣ୍ଟିନା କଷ୍ଟସାଧ୍ୟ ପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇପାରେ । ଉପରୋକ୍ତ ଦଳମାନଙ୍କୁ ବାଦ୍ ଦେଲେ ପୁଲ୍‌-ଡି’ରେ ରହିଥିବା ଭାରତ ଉପରେ ସମସ୍ତଙ୍କ ନଜର ରହିବ । ଏହି ଟୁର୍ଣ୍ଣାମେଣ୍ଟ୍ ସହ ବିଶ୍ୱ ହକି ଜଗତର ଅନେକ ଐତିହାସିକ ମୁହୂର୍ତ୍ତ ଯୋଡ଼ି ହେବାକୁ ଥିବା ବେଳେ ଏଥିରେ ଆୟୋଜକ ଭାବେ ଭାରତ ଯୋଡ଼ିହେବାକୁ ପ୍ରଚେଷ୍ଟା କରିବ । ହରମନ୍‌ପ୍ରୀତ୍ ସିଂହଙ୍କ ନେତୃତ୍ୱରେ ଦଳ ପୁଣିଥରେ ବିଶ୍ୱକପ୍ ଜିତି ପାଖାପାଖି ଅର୍ଦ୍ଧଶତାବ୍ଦୀ ଧରି ରହିଥିବା ଅପେକ୍ଷାର ଅନ୍ତ ଘଟାଇବା ଲକ୍ଷ୍ୟରେ ରହିବ । ଗତ ୧୪ଟି ସଂସ୍କରଣ ମଧ୍ୟରୁ ଭାରତ କେବଳ ଥରୁଟିଏ (୧୯୭୫) ଟ୍ରଫି ଧରିବାର ସୁଯୋଗ ପାଇଥିଲା । ବିଶେଷକରି ଦଳ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପାଇଁ ପଦକ ମରୁଡ଼ିର ଅନ୍ତ ଘଟାଇଥିବାରୁ ବିଶ୍ୱକପ୍‌ର ଭୁବନେଶ୍ୱର-ରାଉରକେଲା ସଂସ୍କରଣ ଭାରତ ପାଇଁ ସବୁଠାରୁ ଅବିସ୍ମରଣୀୟ ହେବ ବୋଲି ଦର୍ଶକ ଆଶା ବାନ୍ଧିଛନ୍ତି । ପୁଲ୍ ପର୍ଯ୍ୟାୟରେ ଭାରତକୁ ସ୍ପେନ୍ ଓ ଇଂଲଣ୍ଡ ପଛରେ ପକାଇବାକୁ ଉଦ୍ୟମ କଲେ ମଧ୍ୟ ଦଳକୁ ଘରୋଇ ଦର୍ଶକଙ୍କ ସମର୍ଥନ ବଳଶାଳୀ କରିବ । ପୁଲ୍‌ରେ ଅନ୍ତିମ ଦଳ ଭାବେ ଅନ୍ୟତମ ଡେବ୍ୟୁଟାଣ୍ଟ୍ ୟୁରୋପୀୟ ଦଳ ୱେଲ୍ସ ରହିଛି ।

ରାଉରକେଲାରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ରାଉର୍‌କେଲାରେ ହକି ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍ ଶୁକ୍ରବାର ଅପରାହ୍ଣରେ ଖେଳାଯିବାକୁ ଥିବା ବେଳେ ଏହାକୁ ଦର୍ଶକମାନେ ଅପଲକ ନୟନରେ ଅପେକ୍ଷା କରିଛନ୍ତି । ଦର୍ଶକ ବସିବା କ୍ଷମତା ଦୃଷ୍ଟିରୁ ବିଶ୍ୱର ଏହି ସର୍ବବୃହତ୍ ହକି ଷ୍ଟାଡିୟମ୍‌ରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିବେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ଗତ ୬ ତାରିଖରେ ଏହି ଷ୍ଟାଡିୟମ୍‌ର ଲୋକର୍ପଣ ଉତ୍ସବରେ ଯୋଗଦେଇଥିଲେ । ଶୁକ୍ରବାର ଶ୍ରୀ ପଟ୍ଟନାୟକଙ୍କ ସହ ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ୍ ମଧ୍ୟ ଅନ୍ୟତମ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ୱତନ୍ତ୍ର ଭାବେ ବିଶ୍ୱକପ୍‌ରେ ଅତିଥି ଭାବେ ସାମିଲ୍ ହେବା ସକାଶେ ଆମନ୍ତ୍ରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking