ରାୟପୁର: ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ବୁଧବାର ମାଓବାଦୀ ଆକ୍ରମଣରେ ୧୦ ଜଣ ଡିଆରଜି (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ) ଯବାନ ସହିଦ ହୋଇଥିବାବେଳେ ସେମାନଙ୍କ ଗାଡିର ଡ୍ରାଇଭର ମଧ୍ୟ ପ୍ରାଣ ହରାଇଛନ୍ତି । ବିସ୍ଫୋରଣରେ ଯବାନଙ୍କୁ ନେଇ ଯାଉଥିବା ଗାଡି ୨୦ ଫୁଟ ଉପରକୁ ଛିଟ୍କିପଡି ସମ୍ପୂର୍ଣ୍ଣ ଧ୍ୱଂସ ପାଇଥିବାବେଳେ ଘଟଣାସ୍ଥଳରେ ୧୨ ଫୁଟ ଗଭୀର ଗର୍ତ୍ତ ମଧ୍ୟ ସୃଷ୍ଟି ହୋଇଛି । ମାଓବାଦୀମାନେ ଏଥିପାଇଁ ୫୦ କିଲୋ ଓଜନର ଆଇଇଡି ବିସ୍ଫୋରକ ବ୍ୟବହାର କରିଥିବା ଅନୁମାନ କରାଯାଉଛି । ସଂପୃକ୍ତ ଯବାନମାନେ ମାଓ ଦମନ ଅଭିଯାନ ଶେଷକରି କ୍ୟାମ୍ପକୁ ଫେରୁଥିବାବେଳେ ଏଭଳି ମର୍ମନ୍ତୁଦ ବିସ୍ଫୋରଣ ଘଟିଛି । ତେବେ ମାଓ ଦମନ ଅଭିଯାନରେ ବ୍ୟବହୃତ ସ୍ୱତନ୍ତ୍ର ଯାନ ପରିବର୍ତ୍ତେ ଏକ ଭଡା ଗାଡିରେ (ମିନି ଭ୍ୟାନ୍)ରେ କାହିଁକି ଯବାନମାନେ ଯାଉଥିଲେ ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ଯବାନଙ୍କ ବଳିଦାନ ବୃଥା ଯିବ ନାହିଁ ଏବଂ ଏଭଳି ହୀନ କାର୍ଯ୍ୟରେ ଲିପ୍ତ ଥିବା ମାଓବାଦୀଙ୍କୁ ଉଚିତ ଦଣ୍ଡ ମିଳିବ ବୋଲି ମଧ୍ୟ ସେ କହିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହି ଘଟଣାରେ ଦୁଃଖପ୍ରକାଶ କରିଛନ୍ତି । ସେ ଏହି ପ୍ରସଙ୍ଗରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ ଫୋନ୍ରେ ଆଲୋଚନା କରି କେନ୍ଦ୍ର ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ ଗତ ସପ୍ତାହରେ ଛତିଶଗଡର ବିଜାପୁରରେ ମାଓବାଦୀମାନେ କଂଗ୍ରେସ ବିଧାୟକ ବିକ୍ରମ ମାଣ୍ଡଭୀଙ୍କ କାର୍କେଡ୍ ଉପରକୁ ଗୁଳି ଚଳାଇଥିଲେ ସୁଦ୍ଧା ସୌଭାଗ୍ୟବଶତଃ କେହି ମୃତାହତ ହୋଇନଥିଲେ । ଛତିଶଗଡରେ ମାଓବାଦୀଙ୍କୁ ଦମନ କରିବାକୁ ପୁଲିସ ପକ୍ଷରୁ ଡିଆର୍ଜି ଗଠନ କରାଯାଇଛି ।
ଏଥିରେ ଆଦିବାସୀଙ୍କୁ ଅଧିକ ସଂଖ୍ୟାରେ ସାମିଲ କରାଯାଇଛି । ମାଓବାଦୀଙ୍କ ମୁକାବିଲା କରିବାକୁ ସେମାନଙ୍କୁ ସ୍ୱତନ୍ତ୍ରଭାବେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଛି । ବିଗତ ଛଅ ଦଶନ୍ଧି ଧରି ଛତିଶଗଡର ଦାନ୍ତେୱାଡା, କାଙ୍କେର, ବିଜାପୁର ଇତ୍ୟାଦି ଅଞ୍ଚଳରେ ମାଓ ତାଣ୍ଡବ ଲାଗି ରହିଛି । ତେବେ କିଛିବର୍ଷ ହେଲା ମାଓବାଦୀମାନେ ଶତାଧିକ ସଂଖ୍ୟାରେ ଆତ୍ମସମର୍ପଣ କରୁଥିବାରୁ ଛତିଶଗଡରେ ସେମାନଙ୍କ କାର୍ଯ୍ୟକଳାପ ହ୍ରାସ ପାଉଛି ବୋଲି ବସ୍ତର ରେଞ୍ଜ୍ ପୁଲିସ ଆଇଜି ପି.ସୁନ୍ଦରରାଜ କହିଛନ୍ତି । ତେବେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ସୀମାକୁ ଲାଗିଥିବା ଏହି ଅଞ୍ଚଳରେ ସେହି ସବୁ ରାଜ୍ୟର ମାଓ ନେତା ସଂଗଠନ ଚଳାଇଥିବା ସେ କହିଛନ୍ତି ।
ପ୍ରମୁଖ ମାଓ ଆକ୍ରମଣ ଘଟଣା
ଏପ୍ରିଲ ୨୦୧୦: ୨୦୧୦ ଏପ୍ରିଲ ୬ରେ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ମାଓବାଦୀଙ୍କ ଆକ୍ରମଣରେ ସିଆରପିଏଫ୍ର ୭୫ ଜଣ ଯବାନ ସହିଦ ହୋଇଥିଲେ । ଦେଶର ମାଓ ଇତିହାସରେ ଏହା ସବୁଠାରୁ ଭୟାବହ ମାଓ ଆକ୍ରମଣଭାବେ ବିବେଚନା କରାଯାଇଥାଏ ।
ମେ’ ୨୦୧୩: ୨୦୧୩ ମେ’ ୧୫ରେ ଛତିଶଗଡର ଜଗଦଲପୁରଠାରେ କଂଗ୍ରେସ ର୍ୟାଲି ଆୟୋଜିତ ହେଉଥିବାବେଳେ ସାଧାରଣ ଲୋକଙ୍କ ପୋଷାକରେ ଆସିଥିବା ପ୍ରାୟ ୨୫୦ ସଶସ୍ତ୍ର ମାଓବାଦୀ ଆକ୍ରମଣ କରିଥିଲେ । ଏଥିରେ ଛତିଶଗଡ ପିସିସି ସଭାପତି ନନ୍ଦକୁମାର ପଟେଲ ଓ ବରିଷ୍ଠ ନେତା ମହେନ୍ଦ୍ର କର୍ମାଙ୍କ ସମେତ ୨୫ ଜଣ ପ୍ରାଣ ହରାଇଥିଲେ ।
ଏପ୍ରିଲ ୨୦୧୭: ୨୦୧୭ ଏପ୍ରିଲ ୨୪ରେ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ଶତାଧିକ ମାଓବାଦୀମାନେ ସଂଘବଦ୍ଧଭାବେ ଆକ୍ରମଣ କରିବାରୁ ଜଣେ କମ୍ପାନୀ କମାଣ୍ଡରଙ୍କ ସମେତ ୨୫ ଯବାନ ସହିଦ ହୋଇଥିଲେ ।
ମାର୍ଚ୍ଚ ୨୦୨୦: ୨୦୨୦ ମାର୍ଚ୍ଚ ୧ରେ ଛତିଶଗଡର ସୁକ୍ମା ଜଙ୍ଗଲରେ ମାଓବାଦୀଙ୍କ ସହ ଏନ୍କାଉଣ୍ଟରରେ ଡିଆରଜି ଓ ସ୍ପେଶାଲ ଟାସ୍କ୍ ଫୋର୍ସର ୧୭ ଯବାନ ସହିଦ ହୋଇଥିଲେ ।
ଏପ୍ରିଲ ୨୦୨୧: ୨୦୨୧ ଏପ୍ରିଲ ୪ରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ମାଓବାଦୀ ବସ୍ତର ଜିଲ୍ଲାରେ ତିନିପଟରୁ ମିଳିତଭାବେ ଆକ୍ରମଣ କରିବାରୁ ୨୨ ଯବାନ ସହିଦ ହୋଇଥିଲେ ।
ଜୁନ୍ ୨୦୨୨: ୨୦୨୨ ଜୁନ୍ ୨୧ରେ ଛତିଶଗଡ-ଓଡିଶା ସୀମାନ୍ତରେ ମାଓବାଦୀଙ୍କ ଆକ୍ରମଣରେ ୩ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ ।