ଚଣ୍ଡିଗଡ: ପଞ୍ଜାବରେ ସାଧାରଣ ଖାଉଟୀଙ୍କୁ ଏଣିକି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ଆଉ ଲାଇନରେ ଛିଡା ହେବାକୁ ପଡିବ ନାହିଁ । ଅର୍ଡର କରିବାପରେ ଏହି ସାମଗ୍ରୀ ଉପଭୋକ୍ତାଙ୍କ ଘରେ ପହଞ୍ଚାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ ସୋମବାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ଏହି ସୁବିଧା ହିତାଧିକାରୀଙ୍କ ଇଚ୍ଛା ଉପରେ ନିର୍ଭର କରେ ବୋଲି କୁହାଯାଇଛି । ପୁନଶ୍ଚ ଉପଭୋକ୍ତାଙ୍କୁ ଯେପରି ଉନ୍ନତ ମାନର ରାସନ୍ ସାମଗ୍ରୀ ଯୋଗାଇ ଦିଆଯିବ, ସେଥିପ୍ରତି ସତର୍କ ରହିବାକୁ ମାନ୍ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଲୋକଙ୍କୁ ଏଣିକି କାମଦାମ ଛାଡି ଦୋକାନ ଆଗରେ ଲାଇନ ଲଗାଇବାକୁ ପଡିବ ନାହିଁ । ଯଦି ରାସନ୍ ଦୋକାନଟି ଉପଭୋକ୍ତା ରହୁଥିବା ସ୍ଥାନର ନିକଟବର୍ତ୍ତୀ ହୋଇଥିବ, ତାହାହେଲେ ସଂପୃକ୍ତ ଉପଭୋକ୍ତା ଚାହିଁଲେ ସେଠାକୁ ବ୍ୟକ୍ତିଗତଭାବେ ଯାଇ ସାମଗ୍ରୀ ମଧ୍ୟ ଆଣିପାରିବେ । ଆପ୍ ସରକାର ଦିଲ୍ଲୀରେ ଏଭଳି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥିଲେ ସୁଦ୍ଧା ଅନିବାର୍ଯ୍ୟ କାରଣବଶତଃ ପରବର୍ତ୍ତୀ ସମୟରେ ଏହାକୁ ବନ୍ଦ କରିଦେଇଥିଲେ । ତେବେ ପଞ୍ଜାବରେ ପ୍ରଥମଥର କ୍ଷମତାକୁ ଆସିଥିବା ଆପ୍ ଏହି ଯୋଜନାକୁ ନିଶ୍ଚିତଭାବେ ବଳବତ୍ତର ରଖିବ ବୋଲି ମାନ୍ କହିଛନ୍ତି ।