27.1 C
Bhubaneswar
Sunday, July 6, 2025
Homeଓଡିଶାମନୀଷ ହତ୍ୟା ମାମଲା : ଖାକି ଖୋଳପାରେ ବାହୁବଳି କନ୍‌ଷ୍ଟେବଳ

ମନୀଷ ହତ୍ୟା ମାମଲା : ଖାକି ଖୋଳପାରେ ବାହୁବଳି କନ୍‌ଷ୍ଟେବଳ

ଭୁବନେଶ୍ୱର:  ପୁଲିସ ଆଢୁଆଳରେ ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡ଼ାରେ ଥିବା ‘ସାଉଥ୍‌ସିଟି’ ବାର୍ ବେଆଇନ ଭାବେ ଚାଲୁଥିଲା । ସେପ୍ଟେମ୍ବର ୩୧ ତାରିଖରୁ ଲାଇସେନ୍ସ ସରିଯାଇଥିଲା । ତଥାପି ବାର୍‌କୁ ପୁଲିସ ବିଭାଗର ବାହୁବଳି କନ୍‌ଷ୍ଟେବଳ ତଥା ଭୁବନେଶ୍ୱର ହାବିଲ୍‌ଦାର ଓ କନ୍‌ଷ୍ଟେବଳ ସଙ୍ଘ ସଭାପତି ପ୍ରସନ୍ନ ବେହେରା ଚଳାଇଆସୁଥିଲେ । ଏମିତିକି ରାତିତମାମ୍ ବାର୍ ଚାଲିବା ସହ ନାଚଗୀତର ଆସର ଜମୁଥିଲା । ୧୦୦ରୁ ଆରମ୍ଭ କରି ୨ହଜାର ଟଙ୍କିଆ ନୋଟ୍ ଡ୍ୟାନ୍ସରଙ୍କ ଉପରେ ଉଡୁଥିଲା । ଯାହା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ହତ୍ୟାର ବଡ଼ କାରଣ ବୋଲି ଜଣାପଡ଼ିଛି ।

ତେବେ କୋଭିଡ୍ ଗାଇଡ୍‌ଲାଇନ୍ ଉଲ୍ଲଙ୍ଘନ ଅଭିଯୋଗ ଏବଂ ବେଆଇନ ଭାବେ ବାର୍ ଚଳାଇ ଆସୁଥିବାରୁ କନ୍‌ଷ୍ଟେବଳ ପ୍ରସନ୍ନ ଓ ‘ସାଉଥ୍‌ସିଟି’ ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନାଙ୍କୁ ପୁଲିସ ଅଟକ ରଖିଛି । ଏଥିସହ କନ୍‌ଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ପ୍ରସନ୍ନଙ୍କ ସମେତ ହୋଟେଲ ମାଲିକଙ୍କୁ ଥାନାରେ ଅଟକ ରଖି ଜେରା ଚାଲିଛି । ଆବଶ୍ୟକସ୍ଥଳେ ସେମାନଙ୍କୁ ଗିରଫ କରାଯିବ ବୋଲି ଭୁବନେଶ୍ୱର ଡିସିପି ଡ଼. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ତେବେ ଖାକିର ଲାଭ ଉଠାଇ ପ୍ରସନ୍ନ ବାର୍ ଚଳାଇ ବେପାର କରୁଥିଲେ । ହାବିଲଦାର ଓ କନ୍‌ଷ୍ଟେବଳ ସଙ୍ଘ ସଭାପତି ହୋଇଥିବାରୁ ତାଙ୍କୁ କେହି ହାତ ଦେଇପାରୁନଥିଲେ ।

ଏମିତିକି ବଡ଼ବାବୁମାନେ ମଧ୍ୟ ପଛଘୁଞ୍ଚା ଦେଉଥିଲେ । ନେଡ଼ି ଗୁଡ଼ କହୁଣିକୁ ବୋହିଯିବାରୁ ଶେଷରେ ପ୍ରସନ୍ନଙ୍କୁ ଡିସିପି ସ୍କାନରକୁ ଆଣିଛନ୍ତି। ଖାକିର ଖୋଳପା ବ୍ୟବହାର କରି ପ୍ରସନ୍ନ ବହୁତ୍ କମଦିନରେ ବାହୁବଳୀ ପାଲଟିଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ଗତ ୯ତାରିଖ ରାତିରେ ମନୀଷ ଅନୁରାଗଙ୍କ ହତ୍ୟାକାଣ୍ଡର ରଚନା ସାଉଥ୍‌ସିଟି ହୋଟେଲ୍‌ରେ କରାଯାଇଥିଲା । ବାର୍‌ରେ ବିଲ୍ ନଦେବାରୁ ମନୀଷଙ୍କୁ ବାର୍ କର୍ତ୍ତୁପକ୍ଷ ଅଟକ ରଖିଥିଲେ । ସେ ଟଙ୍କା ଦେବା ପରେ ତାଙ୍କୁ ଛାଡ଼ିଥିଲେ । ଏହାପରେ ମନୀଷ ଓ ତାଙ୍କ ସାଙ୍ଗଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏତିକିବେଳେ ମନୀଷଙ୍କୁ ତାଙ୍କ ସାଙ୍ଗ ଅମ୍ରିତ ଓ ୨ସହଯୋଗୀ ହତ୍ୟା କରି ପୋଖରୀରେ ଫିଙ୍ଗିଦେଇଥିଲେ । ଏନେଇ ୧୦ତାରିଖରେ ଇନ୍‌ଫୋସିଟି ଥାନାରେ ଅପହରଣ ଅଭିଯୋଗ ହୋଇଥିଲା ।

ଅଭିଯୋଗର କିଛି ସମୟ ପରେ ପାତ୍ରପଡ଼ା ସ୍ଥିତ ଏକ ପୋଖରୀରୁ ମନୀଷଙ୍କ ଶବ ମିଳିଥିଲା । ପରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଏହି ସମୟରେ ‘ସାଉଥ୍‌ସିଟି ହୋଟେଲ୍ ଆଣ୍ଡ୍ ବାର୍‌ର’ କଳା କାରନାମା ପଦାକୁ ଆସିଥିଲା । କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ କରି ରାତିତମାମ୍ ବାର୍ ଚାଲିଆସୁଥିଲା । ଏମିତିକି ପୁଲିସ ମଧ୍ୟ କିଛି କରିପାରୁନଥିଲା । ସାଉଥ୍‌ସିଟି ବାର୍‌କୁ କନ୍‌ଷ୍ଟେବଳ ପ୍ରସନ୍ନ ତାଙ୍କ ଭାଇ ନିରଞ୍ଜନ ବେହେରାଙ୍କ ନାଁରେ ଲାଇସେନ୍ସ ଆଣି ଚଳାଉଥିଲେ । ବାର୍‌ରେ ପୁରା ଦବ୍‌ଦବା ପ୍ରସନ୍ନଙ୍କ ଥିଲା । ଯେଉଁଥିପାଇଁ ପୁଲିସ ମଧ୍ୟ ବାର୍ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିଲା ।

ଏମିତିକି ପୁଲିସ ଚଢ଼ଉ ପୂର୍ବରୁ ପ୍ରସନ୍ନ ବାର୍ କର୍ମଚାରୀଙ୍କୁ ଖବର ଦେଇଦେଉଥିଲେ । ବାର୍ ମାଲିକ ଜଣେ ପୁଲିସ ହୋଇଥିବାରୁ ବାର୍ କର୍ମଚାରୀମାନେ ଇନ୍ଦ୍ରଚନ୍ଦ୍ର ମାନୁନଥିଲେ । ସେଦିନ ରାତିରେ ଜୋର୍ ଜବରଦସ୍ତ ମନୀଷଙ୍କୁ ବାର୍‌ରେ ଅଟକ ରଖିଥିଲେ । ସେମାନେ ଯଦି ମନୀଷଙ୍କୁ ସେଦିନ ଜଲ୍‌ଦି ଛାଡ଼ିଦେଇଥାନ୍ତେ, ତା’ହେଲେ ଏଭଳି ଘଟିନଥାନ୍ତା ବୋଲି କୁହାଯାଉଛି । ଜଣେ ପୁଲିସ କର୍ମଚାରୀ ବାର୍ ଚଳାଉଥିବାରୁ କମିଶନରେଟ୍ ପୁଲିସକୁ ନିନ୍ଦା ସହିବାକୁ ପଡ଼ିଛି । ଯେଉଁଥିପାଇଁ ଭୁବନେଶ୍ୱର ଡିସିପି ଏଦିଗରେ ଏକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଜଣେ ଅତିରିକ୍ତ ଡିସିପି ର‌୍ୟାଙ୍କର ଅଫିସର ବାର୍‌ରେ ପୁଲିସ କନ୍‌ଷ୍ଟେବଳଙ୍କ ସମ୍ପୃକ୍ତି ନେଇ ତଦନ୍ତ କରିଥିଲେ ।

ଗୁରୁବାର ଡିସିପିଙ୍କ ନିକଟରେ ତଦନ୍ତ ରିପୋର୍ଟ ହସ୍ତଗତ ହୋଇଥିଲା । ରିପୋର୍ଟ ଅନୁସାରେ, ଉକ୍ତ ବାର୍‌କୁ ପ୍ରସନ୍ନ ବେହେରା ତାଙ୍କ ଭାଇଙ୍କ ନାଁରେ ଚଳାଇଆସୁଥିଲେ । ଗତ ସେପ୍ଟମ୍ବର ୩୦ତାରିଖରୁ ବାର୍ ଲାଇସେନ୍ସ ଅବଧି ସରିଗଲାଣି । ଏହାସତ୍ତ୍ୱେ ବି ବାର୍‌ରେ ମଦ ବିକ୍ରି ହେବା ସହ ନାଚଗୀତ ଆସର ଜମୁଥିଲା । ଏମିତିକି କନ୍‌ଷ୍ଟେବଳ ବାର୍‌ରେ ନିଶାରେ ଯୁବତୀଙ୍କ ସହ ନାଚୁଥିବା ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା । ଏହିସବୁ ତଥ୍ୟପ୍ରମାଣ ସଂଗ୍ରହ ପରେ ପୁଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।

ଏକ ମାମଲା ରୁଜୁକରି ଶୁକ୍ରବାର ସାଉଥ୍‌ସିଟି ବାର୍‌ରେ ଅତିରିକ୍ତି ଡିସିପି, ସ୍ଥାନୀୟ ଏସିପି ଓ ଇନ୍ସିପେକ୍ଟର ଚଢ଼ଉ କରିଥିଲା । ସେଠାରୁ ବିପୁଳ ପରିମାଣର ମଦ ଜବତ ହୋଇଥିଲା । ଏମିତିକି ଅଢ଼େଇଲକ୍ଷ ଟଙ୍କାର ନକଲି ନୋଟ୍ ମିଳିଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡ଼ିଛି । ଏହାପରେ ପୁଲିସ କନ୍‌ଷ୍ଟେବଳ ଓ ବାର୍ ମାଲିକଙ୍କୁ ହେପାଜତକୁ ନେଇଛି ।

ତମାଣ୍ଡୋ ଥାନାଧିକାରୀଙ୍କୁ ବଦଳି
ମନୀଷ ହତ୍ୟାକାଣ୍ଡ ପରେ ତମାଣ୍ଡୋ ଥାନାଧିକାରୀ ପ୍ରମୋଦ କୁମାର ପଟ୍ଟନାୟକ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ଅଞ୍ଚଳରେ ରାତିତମାମ୍ ବାର୍ ଖୋଲାଯିବା ସହ ନାଚଗୀତ ଆସର ଜମୁଥିଲା । ସେ କାହିଁକି ଏହା ଯାଞ୍ଚ କରିନଥିଲେ, ବାର୍ ମାଲିକ ଠାରୁ କିଛି ନେଇଥିଲେ କି, ନା ପୁଲିସ କନ୍‌ଷ୍ଟେବଳ ବାର୍ ମାଲିକ ଜାଣି ଚୁପ୍ ରହିଥିଲେ, ଏଭଳି ଅନେକ ପ୍ରଶ୍ନ ସାଧାରଣରେ ସୃଷ୍ଟି ହୋଇଥିଲା । ଯାହା କମିଶନରେଟ୍ ପୁଲିସ ପାଇଁ ଚିନ୍ତାର ବିଷୟ ପାଲଟିଥିଲା । ତେବେ ମାମଲାର ତଦନ୍ତ ସରିବା ପରେ କାର୍ଯ୍ୟରେ ଅବହେଳା ଯୋଗୁ ତମାଣ୍ଡୋ ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଥାନାଧିକାରୀ ପ୍ରମୋଦ ପଟ୍ଟନାୟକଙ୍କୁ ଭୁବନେଶ୍ୱର ଡିସିପି ମୁଖ୍ୟାଳୟକୁ ପୁଲିସ କମିଶନର ବଦଳି କରିଛନ୍ତି । ଅନ୍ୟପକ୍ଷେ ତମାଣ୍ଡୋ ଥାନାଅଧିକାରୀ ଭାବେ ଚନ୍ଦକା ଥାନାର ଏସ୍‌ଆଇ ଶୁଭ୍ରାଂଶୁ ଜେନାଙ୍କୁ ଦାୟିତ୍ୱ ଦିଆଯାଇଥିବା ଭୁବନେଶ୍ୱର ଡିସିପି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking