କଟକ: କଳାହାଣ୍ଡିର ଇଷ୍ଟଦେବୀ ମାଣିକେଶ୍ୱରୀଙ୍କ ମନ୍ଦିରରେ ଭକ୍ତଙ୍କ ପାଇଁ ବ୍ୟବସ୍ଥିତ ଦର୍ଶନ, ମା’ଙ୍କ ସେବା ପୂଜାରେ ହେଉଥିବା ଅବ୍ୟବସ୍ଥତା ଦୂର କରିବା ସହ ମନ୍ଦିର ସୁରକ୍ଷା ନିମନ୍ତେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ଆବେଦନକାରୀ ସାରଦା ପ୍ରସନ୍ନ ମିଶ୍ରଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି । ମାଣିକେଶ୍ୱରୀ ମନ୍ଦିରକୁ ଦୈନିକ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଆସିଥାନ୍ତିି । ତେବେ ମନ୍ଦିର କର୍ତ୍ତୃପକ୍ଷ ଓ ସେବାୟତଙ୍କ ଶୋଷଣ ଓ ଖରାପ ବ୍ୟବହାରରେ ଶ୍ରଦ୍ଧାଳୁ ଅତିଷ୍ଠ ହୋଇପଡିଛନ୍ତିି ବୋଲି ମାମଲାରେ ଦର୍ଶାଯାଇଛି । ମନ୍ଦିର ସମ୍ପୂର୍ଣ୍ଣ ରାଜକୀୟ ପରିବାର ନିୟନ୍ତ୍ରଣରେ ରହୁଛି । ସେହିପରି ମନ୍ଦିର ଖୋଲିବା ଓ ବନ୍ଦ ହେବାର କୌଣସି ନିର୍ଦ୍ଧିଷ୍ଠ ସମୟ ନିର୍ଘଣ୍ଟ କରାଯାଇନାହିିଁ ।
ମନଇଛା କର୍ତ୍ତୃପକ୍ଷ ମନ୍ଦିର ଖୋଲୁଛନ୍ତି ଓ ସେବା ପୂଜାରେ ମଧ୍ୟ ମାଆଙ୍କର ବ୍ୟତିକ୍ରମ ହେଉଛି । ଏଣୁ ଏହି ମନ୍ଦିରର ପରିଚାଳନା ଭାର ଦେବୋତ୍ତର କମିଶନର୍ଙ୍କ ନିୟନ୍ତ୍ରଣରେ ରଖାଯିବାକୁ ରୁଜୁ ମାମଲାରେ ଆବେଦନ କରାଯାଇଛି । ଆବେଦନକାରୀ ରାଜ୍ୟ ସରକାରଙ୍କ ଗୃହ ବିଭାଗ ସଚିବ,ରାଜ୍ୟ ଦେବୋତର କମିଶନର୍, କଳାହାଣ୍ଡି ଜିଲ୍ଲାପାଳ, କଳହାଣ୍ଡି ଉପ ଜିଲ୍ଲାପାଳ,କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ,ମାଣିକେଶ୍ୱରୀ ମନ୍ଦିର ଟ୍ରଷ୍ଟ୍ର ସମ୍ପାଦକ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ଆଶିଷ ମିଶ୍ର ପରିଚାଳନା କରୁଛନ୍ତି ।