ଭୁବନେଶ୍ୱର: ଫଟୋ ସାମ୍ବାଦିକ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ଜଣେ ସାପ୍ତାହିକ ଖବରକାଗଜ ମାଲିକାଣୀଙ୍କ ହାତଥିବା ପୁଲିସ ଜାଣିବାକୁ ପାଇଛି । ପୁଲିସ ସମ୍ପୃକ୍ତ ଖବରକାଗଜ ମାଲିକାଣୀ ସର୍ମିଷ୍ଠା ରାଉତଙ୍କୁ ଖୋଜୁଥିବାବେଳେ ସେ ଫେରାର ହୋଇଯାଇଛନ୍ତି । ତାଙ୍କ ମୋବାଇଲ ଫୋନ୍ ସୁଇଚ୍ ଅଫ୍ ରହିଛି । ସେ ଧରାପଡିବା ପରେ ଘଟଣାର ରହସ୍ୟ ଜଣାପଡିବ ବୋଲି ପୁଲିସ କହିଛି । ଏନେଇ ଦୁଇଦିନ ତଳେ ଚାନ୍ଦବାଲି ପୁଲିସ ଭୁବନେଶ୍ୱର ଉପକଣ୍ଠ ପୁହା କଣ୍ଟିଲୋଠାରେ ଥିବା ଦୟାଲ ବୃଦ୍ଧାଶ୍ରମରେ ଚଢ଼ଉ କରି ଯାଞ୍ଚ କରିଥିଲା । ତଳ ମହଲା ବୃଦ୍ଧାଶ୍ରମ ହୋଇଥିବାବେଳେ ଉପର ମହଲାରେ ୱେବପୋର୍ଟାଲ କାର୍ଯ୍ୟ ଚାଲିଥିଲା । ସେଠାରେ କିଛି ବେଆଇନ କାର୍ଯ୍ୟ ଚାଲୁଥିବା ପୁଲିସ ସନ୍ଦେହ କରୁଛି ।
ତେବେ ଏକ ମେମୋରି ଚିପ୍ କାର୍ଡ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି । ଉକ୍ତ ମେମୋରି ଚିପ୍ ପାଇଁ ମାନସଙ୍କୁ ସର୍ମିଷ୍ଠା ଲୋକ ଲଗାଇ ହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେଣୁ ସର୍ମିଷ୍ଠା ଧରାପଡ଼ିଲେ ହତ୍ୟା ପଛର ପ୍ରକୃତ କାରଣ ପଦାକୁ ଆସିବ ବୋଲି ପୁଲିସ କହିଛି । ଏହି ଘଟଣାରେ ସୋମବାର ଚାନ୍ଦବାଲି ପୁଲିସ ୩ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭାଗ୍ୟଧର ନାୟକ, ବିବେକ ନାୟକ ଓ କୃଷ୍ଣଚନ୍ଦ୍ର ନାୟକ । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶ୍ରୀଘ୍ର ଗିରଫ କରାଯିବ ବୋଲି ଚାନ୍ଦବାଲି ଏସ୍ଡିପିଓ ଦେବୀଶଙ୍କର ପ୍ରତାପ ଗଣମାଧ୍ୟମକୁ କହିଛନ୍ତି ।
ସୂଚନା ଅନୁଯାୟୀ, ନୟାଗଡ ଜିଲ୍ଲା ରଣପୁର ଥାନା ଗୋଡିପୋଖରୀ ଗାଁର ମାନସ ସ୍ୱାଇଁ ଭୁବନେଶ୍ୱରରେ ଥିବା ଏକ ସାପ୍ତାହିକ ଖବରକାଗଜ ଏବଂ ‘ସମ୍ପୂର୍ଣ୍ଣା’ ୱେବପୋର୍ଟାଲରେ କାମ କରୁଥିଲେ । ଏହି ସମୟରେ ସେ କିଛି ଆପତ୍ତିଜନକ ଓ ଗୁରୁତ୍ୱପୂର୍ଣ୍ଣ ଫଟୋ ଉଠାଇଥିଲେ । ପରେ ଯେତେବେଳେ ସେ ଚାକିରୀ ଛାଡିଲେ, ମାଲିକାଣୀ ସର୍ମିଷ୍ଠା ତାଙ୍କୁ ଚିପ୍କାର୍ଡ ଫେରସ୍ତ କରିବାକୁ କହିଥିଲେ । ହେଲେ ସେ ଚିପ୍ ନଦେଇ ପଳାଇଯାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପରେ ମାନସକୁ ଅପହରଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା ।
ଗତ ଫେବୃଆରୀ ୭ ତାରିଖରେ ମାନସ ଭଦ୍ରକ ଜିଲ୍ଲା ଚାନ୍ଦବାଲିକୁ ଏକ ଫଟୋସୁଟ୍ କରିବାକୁ ଯାଇଥିଲେ । ସେହି ଦିନ ୫ଜଣ ଦୁର୍ବୃତ୍ତ ମାନସଙ୍କୁ ଚାନ୍ଦବାଲି ଥାନା ନାଲୁଗୁଣ୍ଡାର ପଳାସପୁର ଛକ ନିକଟରୁ ଅପହରଣ କରି ନେଇଥିଲେ । ପରେ ତାଙ୍କୁ ଭୁବନେଶ୍ୱରରେ ଥିବା ଖବରକାଗଜ ମାଲିକାଣୀଙ୍କ ଦ୍ୱାରା ପରିଚାଳିତ ଏକ ବୃଦ୍ଧାଶ୍ରମକୁ ନିଆଯାଇଥିଲା । ସେଠାରେ ଉପର ମହଲାରେ ଥିବା ଏକ କୋଠରୀରେ ବନ୍ଦି କରି ରଖାଯାଇଥିଲା ।
ମାନସ ଘରକୁ ନଫେରିବାରୁ ପରିବାର ପକ୍ଷରୁ ଫେବୃଆରୀ ୧୪ରେ ଚାନ୍ଦବାଲି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଚାନ୍ଦବାଲି ପୁଲିସ କେସ୍ ନଂ ୬୩/୨୨ରେ ଏକ ମାମଲା ରୁଜୁ କରିଥିଲା । ପରେ ପୁଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଛାନଭିନ୍ ଆରମ୍ଭ କରିଥିଲେ । ତଦନ୍ତ ବେଳେ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଠାବ କରିଥିଲା । ଜେରା ବେଳେ ସେମାନେ ଅପହରଣ ପରେ ତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ସେମାନଙ୍କ ବୟାନକୁ ଆଧାର କରି ପୁଲିସ ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅଧୀନ ବଧିପାଟଣା ନିକଟ ପାହାଡ ନିକଟରୁ ମାନସଙ୍କ ଗଳିତ ଶବ ଉଦ୍ଧାର ହୋଇଥିଲା । ତେବେ ଏହି ହତ୍ୟାକାଣ୍ଡରେ ଖବରକାଗଜ ମାଲିକାଣୀଙ୍କ ହାତ ଥିବା ଗିରଫ ଅଭିଯୁକ୍ତମାନେ ପୁଲିସକୁ ବୟାନ ଦେଇଛନ୍ତି । ସେମାନଙ୍କ ବୟାନକୁ ଆଧାର କରି ପୁଲିସ ଭୁବନେଶ୍ୱରସ୍ଥିତ ବୃଦ୍ଧାଶ୍ରମରେ ଚଢାଉ କରିଥିଲା । ଚଢାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡିଛି ।