22.1 C
Bhubaneswar
Thursday, January 23, 2025
Homeଓଡିଶାମାନସ ହତ୍ୟାକାଣ୍ଡ: ମାରିବା ମାନିଲେ, କାହିଁକି ମାରିଲେ କହୁନାହାନ୍ତି

ମାନସ ହତ୍ୟାକାଣ୍ଡ: ମାରିବା ମାନିଲେ, କାହିଁକି ମାରିଲେ କହୁନାହାନ୍ତି

ଭୁବନେଶ୍ୱର: ମାନସଙ୍କୁ କିଏ କିଏ ମାରିଲେ, କେଉଁଠି ମାରିଲେ, କେଉଁଠି ନେଇ ପୋତିଥିଲେ ସବୁ ଘଟଣା ସାମ୍ନାକୁ ଆସିଯାଇଛି । ହେଲେ କାହିଁକି ତାଙ୍କୁ ହତ୍ୟା କରାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ମାନସ ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣି ଜେରା କରିବା ପରେ ବି ଏସମ୍ପର୍କରେ କୌଣସି ସୂଚନା ଦେଉନାହିଁ । ତେଣୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ସାଧାରଣ ଲୋକେ ଏବେ ସନ୍ଦେହଘେରରେ ଦେଖିବା ଆରମ୍ଭ କରିଦେଇଛନ୍ତି । ମାମଲାକୁ ଚାନ୍ଦବାଲି ପୁଲିସ ତଦନ୍ତ କରି ମଧ୍ୟ ଶର୍ମିଷ୍ଠାଙ୍କୁ ଗିରଫ କରିପାରିଥାନ୍ତା । କାହିଁକି ନା ଶର୍ମିଷ୍ଠାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ରାଜ୍ୟ ବାହାରୁ ଗିରଫ କରିନାହିଁ । ବରଂ ସେ ଆତ୍ମସମର୍ପଣ କରିବାକୁ ଭୁବନେଶ୍ୱର ଫେରୁଥିବାବେଳେ ଧରାପଡ଼ିଥିଲେ । ତେଣୁ କ୍ରାଇମବ୍ରାଞ୍ଚ ଜାଣିଶୁଣି ଏହି ଘଟଣାର ତଦନ୍ତ କରି କିଛି ଗୁମର ଲୁଚାଉଥିବା ଚର୍ଚ୍ଚା ଜୋର୍ ଧରିଛି । ହତ୍ୟାକାଣ୍ଡର କାରଣ ଓ ଉଦ୍ଦେଶ୍ୟ ଯଦି କୋର୍ଟଙ୍କୁ ସ୍ପଷ୍ଟ କରାନଯାଏ ତା’ହେଲେ ରାୟ ଅଭିଯୁକ୍ତଙ୍କ ସପକ୍ଷରେ ଯିବ ବୋଲି ଆଇନଜୀବୀମାନେ ମତ ଦେଇଛନ୍ତି । ତେବେ ଏକ ମେମୋରି ଚିପ୍ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା ଚାନ୍ଦବାଲି ପୁଲିସ କହିଥିବାବେଳେ କ୍ରାଇମବ୍ରାଞ୍ଚ କାହିଁକି ଏବେ ଚୁପ୍ ରହିଛି, ତାହା ଆଲୋଚନାର ବିଷୟ ପାଲଟିଛି । ସେପଟେ ଶର୍ମିଷ୍ଠା, ରାଜ୍ ଓ ଅନ୍ୟ ଅଭିଯୁକ୍ତମାନେ ନିଜ ଦୋଷ ସ୍ୱୀକାର କରିଥିବାବେଳେ ମାମଲାର ଅନ୍ୟତମ ଅଭିଯୁକ୍ତ ନିରଞ୍ଜନ ସେଠୀ ମଧ୍ୟ ନିଜ ଅପରାଧ କଥା କ୍ରାଇମବ୍ରାଞ୍ଚ ଆଗରେ ବଖାଣିଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଟିମ୍‌କୁ ସହଯୋଗ କରିବା ସହ ହତ୍ୟାକାଣ୍ଡର କାହାଣୀ ପୁରା କହିଛନ୍ତି । ମାନସ ହତ୍ୟାକାଣ୍ଡରେ ସେ ସମ୍ପୃକ୍ତ ଥିବା ସ୍ୱୀକାର କରିବା ସହ ଦୟାଲ ଆଶ୍ରମକୁ ସମାଜସେବୀ ହିସାବରେ ନିୟମିତ ଯାଉଥିଲେ ବୋଲି ମାନିଛନ୍ତି । ଖାଲି ଦୟାଲ ଆଶ୍ରମ ନୁହେଁ, ସ୍କାଏ ଟାୱାର ଆପାର୍ଟମେଣ୍ଟରେ ଥିବା ଶର୍ମିଷ୍ଠାଙ୍କ ‘ସମ୍ପୂର୍ଣ୍ଣ’ ୱେବପୋର୍ଟାଲ ଅଫିସକୁ ମଧ୍ୟ ନିରଞ୍ଜନ ଯାଉଥିଲେ । ମାନସଙ୍କୁ ଫେବୃୟାରୀ ୭ ତାରିଖ ସକାଳେ ଅପହରଣ କରାଯାଇଥିଲା । ସେହିଦିନ ସନ୍ଧ୍ୟା ୭ଟାବେଳେ ନିରଞ୍ଜନ ‘ସମ୍ପୂର୍ଣ୍ଣ’ ଅଫିସ୍‌କୁ ଯାଇଥିଲେ । ଏହି ସମୟରେ ଶର୍ମିଷ୍ଠା, ଝୁନା, ଝୁନାଙ୍କ ସ୍ୱାମୀ, ରାଜ୍‌, କମ୍ପ୍ୟୁଟର ଅପରେଟର୍ ଓ ଶର୍ମିଷ୍ଠାଙ୍କ ଭାଉଜ ଉପସ୍ଥିତ ଥିଲେ । ଏହାପରେ ମାନସଙ୍କୁ ଆଶ୍ରମରୁ ଅଫିସକୁ ଅଣାଯାଇଥିଲା । ସେଠାରେ ନିରଞ୍ଜନ ତାଙ୍କୁ ନିସ୍ତୁକ ପିଟିଥିଲେ । ମାଡ଼ ମାରିସାରି ରାତି ୧୦ଟାରେ ନିରଞ୍ଜନ‘ସମ୍ପୂର୍ଣ୍ଣ’ ଅଫିସ୍ ଛାଡ଼ି ଘରକୁ ଫେରିଥିଲେ । ମାର୍ଚ୍ଚ ୮ତାରିଖରେ ଶର୍ମିଷ୍ଠା ନିରଞ୍ଜନଙ୍କ ପ୍ରଶାନ୍ତିବିହାର ସ୍ଥିତ ବାସଭବନକୁ ଯାଇଥିଲେ । ଏହାପରେ ନିରଞ୍ଜନ ତାଙ୍କୁ ୧୦ହଜାର ଟଙ୍କା ଦେବା ସହ ଫେରାର୍ ହେବାର ବନ୍ଦୋବସ୍ତ କରାଇଦେଇଥିଲେ । ଟଙ୍କା ଧରି ଶର୍ମିଷ୍ଠା ଓ ଝୁନା କାଳିଆପାଣି ଚାଲିଯାଇଥିବା ନିରଞ୍ଜନ କ୍ରାଇମବ୍ରାଞ୍ଚ ଆଗରେ କହିଛନ୍ତି । ଅନ୍ୟପକ୍ଷରେ ଶନିବାର ନିରଞ୍ଜନ ଓ ଶର୍ମିଷ୍ଠାଙ୍କୁ ଏକାଠି ନେଇ କ୍ରାଇମବ୍ରାଞ୍ଚ ପୁଣି କ୍ରାଇମ୍‌ସିନ ରିକ୍ରିଏସନ୍ କରାଇଛି । କ୍ରାଇମବ୍ରାଞ୍ଚ ଡିଏସ୍‌ପି କଳ୍ପନା ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ଧରି ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସ୍କାଏ ଟାୱାର ଆପାର୍ଟମେଣ୍ଟରେ ଥିବା ‘ସମ୍ପୂର୍ଣ୍ଣ’ ଅଫିସକୁ ଯାଇଥିଲେ । ସେଠାରେ ମାନସଙ୍କୁ କେଉଁଠି ରଖିଥିଲେ, ତାଙ୍କୁ ନିରଞ୍ଜନ କିପରି ମାଡ ମାରିଥିଲେ, ସବୁ ଦୃଶ୍ୟକୁ ନିରଞ୍ଜନ ଓ ଶର୍ମିଷ୍ଠା ଗୋଟିଗୋଟି କରି ଦେଖାଇଥିଲେ । ସେଠାରୁ କାମ ସରିବା ପରେ ନିରଞ୍ଜନଙ୍କୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା ।
ଏହାପରେ ସେହି ଆପାର୍ଟମେଣ୍ଟରେ ଥିବା ଶର୍ମିଷ୍ଠାଙ୍କ ୨୦୪ ନମ୍ବର ଫ୍ଲାଟ୍‌କୁ ତଦନ୍ତକାରୀ ଟିମ୍ ଯାଇଥିଲେ । ସେଠାରୁ ଶର୍ମିଷ୍ଠାଙ୍କ ମୋବାଇଲ ଫୋନ ଓ ନିରଞ୍ଜନଙ୍କ ହାତ ଲେଖାଥିବା ଗୋଟେ ଡାଏରୀ ମିଳିଥିଲା । ଅନ୍ୟାନ୍ୟ କେତେକ ଦଲିଲ୍ ମଧ୍ୟ କ୍ରାଇମବ୍ରାଞ୍ଚ ଜବତ କରିଛି । ଏଥିସହ ଶର୍ମିଷ୍ଠାଙ୍କ ନଣନ୍ଦ ଶୁକ୍ରବାର ଆପାର୍ଟମେଣ୍ଟକୁ ଆସି ବହୁ ଦସ୍ତାବିଜ୍‌, ଆପତ୍ତିଜନକ ଜିନିଷ ନେଇ ଖସି ଯାଉଥିଲେ । ଏହାଦେଖି ଆପାର୍ଟମେଣ୍ଟର ଲୋକମାନେ ତାଙ୍କୁ ଅଟକାଇବା ସହ ତାଙ୍କଠାରୁ ଜିନିଷ ନେବା ସମ୍ପର୍କରେ ଏକ ଅଣ୍ଡରଟେକିଂ ଲେଖି ରଖିଥିବା କହିଛନ୍ତି । ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଟିମ୍‌କୁ ଗଣମାଧ୍ୟମ ପ୍ରତିନିଧି କହିବା ପରେ ଆମକୁ ଯାହା ଦରକାର, ତାହା ମିଳିଯାଇଥିବା ସେମାନେ ଉତ୍ତର ଦେଇଥିଲେ । ପ୍ରଥମ ପର୍ଯ୍ୟାୟ ୫ ଦିନିଆ ରିମାଣ୍ଡ ଅବଧି ଶନିବାର ଶେଷ ହୋଇଯାଇଛି । ରବିବାର ରଞ୍ଜନ, ଶର୍ମିଷ୍ଠା, ନିରଞ୍ଜନ ଓ ଝୁନାକୁ କୋର୍ଟରେ କ୍ରାଇମବ୍ରାଞ୍ଚ ହାଜର କରିବ । ପ୍ରଥମ ପର୍ଯ୍ୟାୟ ରିମାଣ୍ଡରେ ଆଣିବା ପରେ ବି ହତ୍ୟାକାଣ୍ଡର କାରଣ କ୍ରାଇମବ୍ରାଞ୍ଚ ଜାଣିପାରିନାହିଁ । ତେଣୁ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ଅଣାଯିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking