ମାଲକାନଗିରି : ମିଠାରେ ନିଶା ଔଷଧ ମିଶାଇ କଳା କନା ବୁଲାଇଛନ୍ତି ଅପରିଚିତ ଦମ୍ପତି । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ବଣ୍ଡାବାକଲିଗୁଡ଼ା ସାହିରେ । ଜଣେ ଗହଣା ବ୍ୟବସାୟୀଙ୍କ ଘରୁ ବହୁ ପରିମାଣର ସୁନା ଗହଣା ଓ ନଗଦ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି । ମାଲକାନଗିରି ସହରର ଡିଏନ୍କେ୍ ମୁଖ୍ୟ ରାସ୍ତାରେ ଥିବା ପ୍ର୍ରସାଦ ଜୁଏଲର୍ସ ନାମକ ଗହଣା ଦୋକାନର ମାଲିକ ସୁବାସ ପାଟିନ ଅପରିଚିତ ଦମ୍ପତିଙ୍କୁ ଗତ ୩ ମାସ ହେଲା ଘର ଭଡ଼ାରେ ଦେଇଥିଲେ । ଦମ୍ପତି ଭଡ଼ାରେ ରହି ଗହଣା ବ୍ୟବସାୟୀଙ୍କ ସମସ୍ତ କାର୍ଯ୍ୟ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖି ଆସୁଥିଲେ । ପ୍ରତିଦିନ ବ୍ୟବସାୟୀ ଜଣକ ଦୋକାନ ବନ୍ଦ କରି ସମସ୍ତ ଗହଣା ଘରେ ନେଇ ରଖୁଥିବା ଦମ୍ପତି ନଜର ରଖିଥିଲେ । ଗତକାଲି ରାତ୍ରିରେ ଉକ୍ତ ଦମ୍ପତି ଚାକିରି ପାଇଥିବା କହି ଖୁସି ପ୍ରକଟ କରିବା ସହ ଏହି ଖୁସିରେ ଘର ମାଲିକଙ୍କ ସହ ପଡ଼ୋଶୀଙ୍କୁ ମିଠା ବାଣ୍ଟିଥିଲେ । ମିଠା ଖାଇବା ପରେ ପଡ଼ୋଶୀ ଓ ଘର ମାଲିକ ତଥା ଗହଣା ବ୍ୟବସାୟୀ ଘୋର ନିଦ୍ରାରେ ଶୋଇ ପଡ଼ିଥିଲେ । ଏହା ପରେ ଦମ୍ପତି ଘରର ସିସିଟିଭି ସଂଯୋଗ କାଟିବା ସହ ଘରର ଝରକାକୁ ମେସିନ୍ରେ କାଟି ଭିତରକୁ ପଶିଥିଲେ । ଘରେ ଥିବା ଆଇରନ୍ ଚେଷ୍ଟରୁ ପ୍ରାୟ ୨୩ ଲକ୍ଷ ଟଙ୍କାର ସମସ୍ତ ଗହଣା ଓ ନଗଦ ପ୍ରାୟ ୨ ଲକ୍ଷ ଟଙ୍କା ଚୋରି କରି ନେଇ ଉକ୍ତ ଦମ୍ପତି ଫେରାର ହୋଇଯାଇଛନ୍ତି । ସକାଳେ ଉଠି ଦେଖିବା ବେଳେ ଘରୁ ଚୋରି ହୋଇଥିବା ଜଣାପଡ଼ିବା ପରେ ସୁବାସ ଥାନାରେ ଏତଲା ଦେଇଛନ୍ତି । ମାଲକାନଗିରି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉଦ୍ଧବ ଚରଣ ନାୟକଙ୍କ ନେତୃତ୍ୱରେ ଏସ୍ଡିପିଓ ଅଂଶୁମାନ ଦ୍ୱିବେଦୀ, ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗଙ୍କ ସମେତ ପୁଲିସ ସଦଳବଳେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।