ପାରାଦୀପ : ପାରାଦୀପ ବନ୍ଦରକୁ ମିଳିଲା ‘ମେଗା ପୋର୍ଟ’ ମାନ୍ୟତା, ଘୋଷଣା କଲେ କେନ୍ଦ୍ର ସରକାର । ଭାରତୀୟ ବନ୍ଦର ଆଇନ-୨୦୨୫, ଧାରା ୭୩ର ଉପ-ଧାରା (୧) ଅନୁଯାୟୀ ନିର୍ଦ୍ଧାରିତ ମାନଦଣ୍ଡ ଅନୁସରଣ କରି ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଏନେଇ ଗେଜେଟ ବିଜ୍ଞପ୍ତି ଜାରି କରିଛନ୍ତି । କାର୍ଯ୍ୟକ୍ଷମ ମାନଦଣ୍ଡର ମୂଲ୍ୟାଙ୍କନ ପରେ ୪ଟି ବନ୍ଦରକୁ ମେଗା ପୋର୍ଟ ମାନତ୍ୟତା ଦିଆଯାଇଛି । ଏଗୁଡ଼ିକ ହେଉଛି ଗୁଜରାଟର କାଣ୍ଡଲା ଦୀନଦୟାଲ ବନ୍ଦରଏବଂ ମୁନ୍ଦ୍ରା ବନ୍ଦର । ମହାରାଷ୍ଟ୍ରର ଜବାହରଲାଲ ନେହରୁ ବନ୍ଦର ଏବଂ ପାରାଦୀପ ବନ୍ଦର ।
ପାରାଦୀପ ବନ୍ଦରକୁ ‘ମେଗା ବନ୍ଦର ଭାବରେ ମାନ୍ୟତା ମିଳିବା ଭାରତର ପୂର୍ବ ଉପକୂଳରେ ଏକ ପ୍ରଥମ ବନ୍ଦର ଭାବେ ଏହି ମାନ୍ୟତା ପାଇବାରେ ପ୍ରଥମ । ସାମୁଦ୍ରିକ ପ୍ରବେଶପଥ ଭାବରେ ଏହାର ନିରନ୍ତର ଅଭିବୃଦ୍ଧି ଏବଂ ବିକାଶରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ବିବେଚନା କରାଯାଉଛି । ଏନେଇ ପାରାଦୀପ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ପାରାଦୀପ ବନ୍ଦରକୁ ମେଗା ବନ୍ଦର ଘୋଷଣା ବନ୍ଦରର ବିକାଶ ଯାତ୍ରାରେ ଏକ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ ।










