ବାଲେଶ୍ୱର: ସୋର ବ୍ଲକ୍ ସବିରା ପଞ୍ଚାୟତ ମାଝୀସାହି ଗ୍ରାମରେ ଗତ ୧ ତାରିଖରେ ହୋଇଥିବା ସ୍ୱାମୀ ସ୍ତ୍ରୀଙ୍କ ଗଳାକାଟି ହତ୍ୟା ଘଟଣାରେ ବ୍ୟବହୃତ ହୋଇଥିବା ଏସିଡ୍କୁ ବିକ୍ରି କରିଥିବା ବ୍ୟକ୍ତିଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ପୁଲିସ ଗିରଫ କରିଥିଲା । ଏହି ଘଟଣାରେ ମୋଟ ୩ ଜଣଙ୍କୁ ଗିରଫ କରି ଶନିବାର ଅପରାହ୍ଣରେ କୋର୍ଟଚାଲାଣ କରାଯାଇଛି । ଘଟଣାସ୍ଥଳରୁ ମିଳିଥିବା ମଦ ବୋତଲରୁ ପୁଲିସ ହତ୍ୟାକାଣ୍ଡର ପର୍ଦାଫାଶ୍ କରିଥିବା ବେଳେ ଜମି ବିକ୍ରି ଟଙ୍କାକୁ ନେଇ ଭାଇଭାଇ ମଧ୍ୟରେ ବିବାଦ ଲାଗିରହିଥିଲା । ଫଳରେ ସାନଭାଇ ଓ ଅନ୍ୟ ଜଣେ ସହଯୋଗୀ ବଡ଼ ଭାଇ ଓ ଭାଉଜକୁ ଅତି ନିର୍ମମ ଭାବେ ପ୍ରଥମେ ଏସିଡ୍ ଫିଙ୍ଗିବା ପରେ ଉଭୟଙ୍କୁ ଗଳାକାଟି ହତ୍ୟା କରିଥିବା ସ୍ୱୀକାର କରିଥିଲେ ।
ଏହି ଗ୍ରାମର ରଘୁନାଥ ବେହେରା ଏବଂ ତାଙ୍କ ସ୍ତ୍ରୀ ପ୍ରଭାତୀ ବେହେରାଙ୍କୁ ତାଙ୍କ କୁକୁଡ଼ା ଫାର୍ମ ସାମ୍ନାରେ ଗଳାକାଟି ହତ୍ୟା କରାଯାଇଥିଲା। ସୋର ପୁଲିସ ଶବ ଜବତ କରିବା ସହିତ ରଘୁନାଥଙ୍କ ମା’ଙ୍କ ନା’ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ରଘୁନାଥଙ୍କ ସାନ ଭାଇ ମଧୁସୂଦନଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ପଚରା ଉଚରା କରିଥିଲା । ପଚରା ଉଚରା ସମୟରେ ମଧୁସୂଦନ ଓ ତାଙ୍କ ସହଯୋଗୀ ମାନସ ରଞ୍ଜନ ଦାସ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ହତ୍ୟାରେ ବ୍ୟବହୃତ ଏସିଡ୍ ମଧୁସୂଦନପୁର ପଞ୍ଚାୟତ ନହରପଦା ଗ୍ରାମର ବିଜୁଳି ବେହେରା ଠାରୁ କିଣିଥିବା ଅଭିଯୁକ୍ତ ମାନେ କହିବା ପରେ ପୁଲିସ ଶୁକ୍ରବାର ଉକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା । ଏଥିସହିତ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।