ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ ସନ୍ତରା ପଞ୍ଚାୟତର ପତଡ଼ା ଗ୍ରାମରେ ୨୦୧୩ ମସିହାରେ ଘଟିଥିବା ଏକ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ଜଣଙ୍କ ହେଲେ ଚୁଇଁ ଓରଫ୍ ଫକୀର ଖାଁ । ୨୦୧୩ ଅକ୍ଟୋବର ୨୮ରେ ଏହି ଘଟଣା ଘଟିଥିଲା । ପତଡ଼ା ଗ୍ରାମର ଛଚିନ୍ଦ୍ର ଗିରିଙ୍କ ପୁତ୍ର ଅନୀଲ ଗିରି ଓ ତାର ସ୍ତ୍ରୀ ଗ୍ରାମର କିଛି ଦୂର ଏକ ପରିତ୍ୟକ୍ତ ଜରାଶ୍ରମରେ ରହୁଥିଲେ । ଅନୀଲ ଡ୍ରାଇଭିଂ କରୁଥିବା ବେଳେ ଅଭିଯୁକ୍ତ ବଳିଆ ଦଣ୍ଡପାଟ ନିକଟରୁ କିଛି ଟଙ୍କା ନେଇ ଥିଲା । ଏହି ଟଙ୍କା ନେଣ ଦେଣକୁ ନେଇ କିଛିଦିନ ପୂର୍ବରୁ ବଚସା ହୋଇଥିଲା ।ଏହି ଘଟଣାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ଅନୀଲ ଘରେ ଥିବା ଜାଣି ୨୦୧୩ ମସିହା ଅକ୍ଟୋବର ୨୮ ତାରିଖ ରାତିରେ ଏକ ଷଡଯନ୍ତ୍ର ରଚନା କରି ବଳିଆ ଦଣ୍ଡପାଟ, ଠକୁରୁ ସେଠୀ ଓ ଫକୀର ଖାଁ ଅନୀଲ ଘରେ ପହଞ୍ଚି ଟଙ୍କା ମାଗିବା ପରେ ଯୁକ୍ତିତର୍କ ହେବାରୁ ଅନୀଲ କୁ ଧାରୁଆ ଅସ୍ତ୍ରରେ ବିଭତ୍ସ ଭାବେ ହତ୍ୟା କରିଥିଲେ । ପାଖ କୋଠରୀରେ ଥିବା ତାର ଗର୍ଭବତୀ ସ୍ତ୍ରୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ । ଏହି ଘଟଣାରେ ଦୁଇ ଅଭିଯୁକ୍ତ ବଳିଆ ଓ ଠକୁରୁ ଧରାପଡ଼ିଥିବା ବେଳେ ଫକୀର ଖାଁ ଓରଫ ଚୁଇଁ ଖସିଯାଇଥିଲା । ଶୁଳିଆପଦାରେ ରହୁଥିବା ଖବର ପାଇ ବୈଶିଙ୍ଗା ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ର ସଦଳବଳ ଚଢ଼ଉ ଗୁରୁବାର ରାତିରେ ଗିରଫ କରିଥିବା ଜଣାପଡ଼ିଛି । ପରେ କୋର୍ଟ ଚାଲାଣ କରାଯାଇଛି ।