29.1 C
Bhubaneswar
Thursday, May 29, 2025
Homeଦେଶ ବିଦେଶମହାରାଷ୍ଟ୍ର ରାଜନୈତିକ ସଂକଟ: କୁର୍ଲା ବିଧାୟକଙ୍କ ଅଫିସ୍ ଭଙ୍ଗାରୁଜା, ସିନ୍ଧେଙ୍କ ପୋଷ୍ଟର୍ ଉପରକୁ କାଳି ଫିଙ୍ଗିଲେ

ମହାରାଷ୍ଟ୍ର ରାଜନୈତିକ ସଂକଟ: କୁର୍ଲା ବିଧାୟକଙ୍କ ଅଫିସ୍ ଭଙ୍ଗାରୁଜା, ସିନ୍ଧେଙ୍କ ପୋଷ୍ଟର୍ ଉପରକୁ କାଳି ଫିଙ୍ଗିଲେ

ମୁମ୍ବାଇ: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ସଂକଟ ଏବେ ହିଂସାତ୍ମକ ରୂପ ନେଇଛି । ଶୁକ୍ରବାର କୁର୍ଲାରେ ଶିବସେନାର ବିଦ୍ରୋହୀ ବିଧାୟକ ମଙ୍ଗେଶ କୁଣ୍ଡାଲକରଙ୍କ ଅଫିସ୍ ଉପରେ କେତେକ ଲୋକ ଆକ୍ରମଣ କରି ମୁଖ୍ୟ ଫାଟକ ଭଙ୍ଗାରୁଜା କରିଛନ୍ତି । ସେହିପରି ତାଙ୍କ ପୋଷ୍ଟର ଓ ନେମ୍‌ପ୍ଲେଟ୍ ଭାଙ୍ଗି ଦେଇଛନ୍ତି । ଅହମ୍ମଦନଗରରେ ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଧେଙ୍କ ଫଟୋ ଉପରକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସମର୍ଥକ ଉତ୍ତ୍ୟକ୍ତ ଶିବସେନା କର୍ମୀ କାଳି ଫିଙ୍ଗିଛନ୍ତି । ସେହିପରି ସିନ୍ଧେଙ୍କ ବିରୋଧରେ ଜୋର୍‌ଦାର ସ୍ଳୋଗାନ ଦେବା ସହ ତାଙ୍କୁ ଗଦ୍ଦାର ବୋଲି କହିଛନ୍ତି । ସାକିନାନା ଅଞ୍ଚଳରେ ବିଦ୍ରୋହୀ ବିଧାୟକ ଦିଲୀପ ଲାଣ୍ଡେଙ୍କ ପୋଷ୍ଟର ଚିରାଯାଇଛି । ଲାଣ୍ଡେ ଗୁରୁବାର ଗୁଆହାଟୀ ପଞ୍ଚିବା ସହ ସିନ୍ଧେଙ୍କୁ ନିଜ ସମର୍ଥନ ଜଣାଇଛନ୍ତି । ଭଙ୍ଗାରୁଜା କରୁଥିବା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସମର୍ଥକ ବୋଲି ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଅଭିଯୋଗ କରାଯାଇଛି । ଭଙ୍ଗାରୁଜା ଘଟଣା ପରେ ମହାରାଷ୍ଟ୍ର ପୁଲିସ ସାରା ରାଜ୍ୟରେ ହାଇଆଲର୍ଟ ଜାରି କରିଛି ।

ଅନ୍ୟପକ୍ଷରେ ମାତୋଶ୍ରୀରେ ମହାବିକାଶ ଅଗାଡ଼ି ମେଣ୍ଟର ପ୍ରମୁଖ ସହଯୋଗୀ ଏନ୍‌ସିପି ଏବଂ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ଦୁଇଘଣ୍ଟା ଧରି ଚାଲିଥିବା ବୈଠକ ଶେଷ ହୋଇଛି । ବୈଠକରେ ଏନ୍‌ସିପି ମୁଖ୍ୟ ଶରଦ ପାୱାର, ଡେପୁଟି ମୁଖ୍ୟମନ୍ତ୍ରୀ ଅଜିତ ପାୱାର୍‌, କ୍ୟାବିନେଟ୍ ମନ୍ତ୍ରୀ ଜୟନ୍ତ ପାଟିଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ ପଟେଲ୍ ଏବଂ ସଞ୍ଜୟ ରାଉତ ସାମିଲ ଥିଲେ । ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୪୦ରୁ ଅଧିକ ଥିବାରୁ ଫ୍ଲୋର୍ ଟେଷ୍ଟ୍ ପରିବର୍ତ୍ତେ ଉଦ୍ଧବ ଠାକ୍‌ରେ ଇସ୍ତଫା ଦେବାକୁ ଶରଦ ପାୱାର ପରାମର୍ଶ ଦେଇଥିବା ମିଡିଆ ରିପୋର୍ଟରୁ ଜଣାପଡ଼ିଛି । ସୂତ୍ର ଅନୁସାରେ ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଠାକ୍‌ରେ ଭବିଷ୍ୟତ ରଣନୀତି ଉପରେ ଆଲୋଚନା ପାଇଁ ଶନିବାର ଅପରାହ୍ଣରେ ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି । ସେହିପରି ଗୁରୁବାର ମୁମ୍ବାଇ ଆସୁଥିବା କୁହାଯାଉଥିବା ବିଦ୍ରୋହୀ ବିଧାୟକ ଗୋଷ୍ଠୀ ମୁଖ୍ୟ ଏକନାଥ ସିନ୍ଧେ ୩ ଘଣ୍ଟା ଗୁଆହାଟୀ ସହରରେ ବୁଲିବା ପରେ ହୋଟେଲ୍‌କୁ ଫେରିଥିଲେ ।

ଅନ୍ୟ ଏକ ଘଟଣାକ୍ରମରେ ସିନ୍ଧେ ଗୋଷ୍ଠୀର ଦୁଇଜଣ ସ୍ୱାଧୀନ ବିଧାୟକ ମଶେ ବଲଦୀ ଏବଂ ବିନୋଦ ଅଗ୍ରସ୍ୱାଲ୍ ଡେପୁଟି ସ୍ପିକର୍ ନରହାରି ଜିରୱାଲ୍‌ଙ୍କ ପଦରୁ ହଟାଇବା ପାଇଁ ନୋଟିସ୍ ଦେଇଛନ୍ତି । ବିନା ପରାମର୍ଶରେ ଡେପୁଟୀ ସ୍ପିକର୍ ଅଜୟ ଚୌଧୁରୀଙ୍କୁ ଶିବସେନା ବିଧାୟକ ଦଳ ନେତା ନିଯୁକ୍ତ କରିଥିବା ସେମାନେ ଅଭିଯୋଗ କରିଛନ୍ତି । ଏକ ସୂତ୍ର ଅନୁସାରେ ସିନ୍ଧେ ମୁମ୍ବାଇ ଆସି ଡେପୁଟୀ ସ୍ପିର୍ ନରହରି ଜରିୱାଲ୍‌ଙ୍କ ସହ ସାକ୍ଷାତ କରିପାରନ୍ତି । ସେହିପରି ବିଧାୟକଙ୍କ ସମର୍ଥନ ପତ୍ର ମଧ୍ୟ ସିନ୍ଧେ ତାଙ୍କୁ ପ୍ରଦାନ କରିପାରନ୍ତି । ଅନ୍ୟପକ୍ଷରେ ଉଦ୍ଧବ ସରକାର ବିଦ୍ରୋହୀ ୪୦ ବିଧାୟକଙ୍କ ବ୍ୟକ୍ତିଗତ ସଚିବ, ଅଧିକାରୀ, କମାଣ୍ଡୋ ଏବଂ କନ୍‌ଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇଛନ୍ତି । ସେହିପରି ଅନ୍ୟ ଏକ ଘଟଣାକ୍ରମେର ଶିବସେନା ଆଉ ୪ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନିମନ୍ତେ ବିଧାନସଭା ଡେପୁଟି ସ୍ପିକର୍‌ଙ୍କୁ ପତ୍ର ଲେଖିଛି । ଗୁରୁବାର ୧୨ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଶିବସେନା ପତ୍ର ଲେଖିଥିଲ । ଶୁକ୍ରବାର ଶିବସେନାର ଲିଗାଲ୍ ଟିମ୍ ବିଧାନସଭା ଯାଇଥିଲା ।

ରାଜ୍ୟର ରାଜନୈତିକ ସଙ୍କଟକୁ ନେଇ ଶୁକ୍ରବାର ଶରଦ ଯାଦବଙ୍କୁ ଭେଟିବା ପରେ ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଆଲୋଚନାର ସମୟ ଶେଷ ହୋଇଛି । ଏବେ ଆମେ ବିଦ୍ରୋହୀଙ୍କୁ ଜଣାଇଦେବୁ ଶିବସେନା କ’ଣ । ଆମେ ପରାଜୟ ମାନିବୁ ନାହିଁ, ଫ୍ଲୋର୍ ଟେଷ୍ଟ ପରେ ସବୁ ସ୍ପଷ୍ଟ ହୋଇଯିବ । ସେ ବିଦ୍ରୋହୀ ଗୋଷ୍ଠୀଙ୍କୁ ଚ୍ୟାଲେଞ୍ଜ୍ ଦେଇ କହିଛନ୍ତି, ମୁମ୍ବାଇ ଆସି ଲଢ଼େଇ କର ପୁଣି ପରିଣାମ ଜଣାପଡ଼ିବ । ମୁଖ୍ୟମନ୍ତ୍ରୀଙ୍କ ପୁତ୍ର ତଥା ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକ୍‌ରେ ଆଜି ପାର୍ଟିର ଜିଲ୍ଲା ଏବଂ ତହସିଲ ସଭାପତିଙ୍କ ବୈଠକରେ କହିଛନ୍ତି, କଂଗ୍ରେସ ଧୋକା ଦେଇଥିଲେ ଏବେ ଖରାପ ଲାଗିନଥାନ୍ତା, ମାତ୍ର ଆମ ଲୋକମାନେ ହାତ ଛାଡ଼ି ଦେଇଛନ୍ତି । ଯେଉଁମାନେ ଯିବାକୁ ଚାହୁଁଛନ୍ତି, ସେମାନଙ୍କ୍‌ୁ ଯିବାକୁ ଦିଅ ବୋଲି ଉଦ୍ଧବ ଜୀ କହିଥିବା ସେ ପାର୍ଟି ନେତାଙ୍କୁ କହିଥିଲେ ।

ଗୁଆହାଟୀର ହୋଟେଲ୍‌ରେ ଅବସ୍ଥାନ କରୁଥିବା ବିଦ୍ରୋହୀ ଶିବସେନା ବିଧାୟକ ଗୋଷ୍ଠୀର ନେତା ଏକନାଥ ସିନ୍ଧେ ଅଭିଯୋଗ କରିଛନ୍ତି, ଅଳ୍ପମତକୁ ଖସିଆସିଥିବା ଉଦ୍ଧବ ସରକାର ଆମ ବିଧାୟକମାନଙ୍କୁ ଭୟଭୀତ କରାଇବାକୁ ଉଦ୍ୟମ ଚଳାଇଛନ୍ତି । ଆମ ପାଖରେ ଶିବସେନା ୩୯ ଏବଂ ୧୪ ସ୍ୱାଧୀନ ବିଧାୟକ ଅଛନ୍ତି ବୋଲି ସିନ୍ଧେ କହିଥିଲେ । ଅନ୍ୟପକ୍ଷରେ ରାଜ୍ୟର ରାଜନୈତିକ ସଂକଟରେ ହସ୍ତକ୍ଷେପ କରିବା ନିମନ୍ତେ ବିଜେପି ପକ୍ଷରୁ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ପତ୍ର ଲେଖାଯାଇଛି । ଏଥିରେ ପାର୍ଟି ସରକାରଙ୍କ ପକ୍ଷରୁ ଲଗାତାର ନିଆଯାଉଥିବା ନିଷ୍ପତ୍ତି ଉପରେ ରାଜ୍ୟପାଳଙ୍କ ହସ୍ତକ୍ଷେପ କରିବାକୁ ଦାବି ହୋଇଛି । ପତ୍ରରେ ଦର୍ଶାଯାଇଛି ୪୮ ଘଣ୍ଟା ମଧ୍ୟରେ ୧୬୦ରୁ ଅଧିକ ସରକାରୀ ଆଦେଶ ଜାରି କରାଯାଇଛି । ବିକାଶ ଯୋଜନା ଆଳରେ ହେଉଥିବା ଏପରି ଘଟଣା ସନ୍ଦେହ ସୃଷ୍ଟି କରୁଛି ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking