ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ରଣଞ୍ଜିତ ପାତ୍ର ମ୍ୟାଜିକସିଆନ ଇଜ କମ୍ପ୍ରମାଇଜଡ ଶୀର୍ଷକରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀଙ୍କୁ ମ୍ୟାଜିକସିଆନ ଭାବେ ଦର୍ଶାଯାଇଛି ଏବଂ ଏହି ମ୍ୟାଜିକସିଆନ ସଲାସୁତରା ହୋଇଛନ୍ତି ବୋଲି କୁହାଯାଇଛି । ବିଭିନ୍ନ ପ୍ରସଙ୍ଗରେ ବାହାସପୋଟ ମାରି ବଡ଼ ବଡ଼ କଥା କହି ନିଜ ମୁହଁରେ ନିଜ ପ୍ରଶଂସା କରୁଥିବା ପ୍ରଧାନମନ୍ତ୍ରୀଙ୍କ ଭିତର ରୂପଟି ଅଲଗା । ନିଜର ବିଫଳତା, କୁଶାସନ, ସାଧାରଣ ଜନତାଙ୍କ ଅସନ୍ତୋଷ ଓ ଦୁର୍ନୀତିକୁ ଲୋକଲୋଚନରୁ ଏଡାଇବାକୁ ବହୁ ପ୍ରସଙ୍ଗ ସୃଷ୍ଟି କରିପାରନ୍ତି । ବିମୁଦ୍ରୀକରଣ, ପାଲାକୋର୍ଟ ଆକ୍ରମଣ, ଅପରେସନ ସିନ୍ଦୁର ଭଳି ବହୁ ପ୍ରସଙ୍ଗ ରାତାରାତି ତିଆରି କରିବାରେ ସେ ମାହିର । ଅନ୍ୟପକ୍ଷରେ ମହିଳା ସ୍ଥାନ ସଂରକ୍ଷଣ ଲାଗୁ ପାଇଁ ସମସ୍ତ ରାଜନୈତିକ ଦଳଙ୍କର ସହମତି ଥିବା ବେଳେ ଏହାକୁ ଡିଲିମିଟେସନ ସହ ଯୋଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କଲେ । ମହିଳା ସଂରକ୍ଷଣ ନିମନ୍ତେ ତାଙ୍କର ଆନ୍ତରିକତା ନାହିଁ । ଯଦି ଆନ୍ତରିକତା ଥା’ନ୍ତା ତେବେ ୫୪୩ ଲୋକସଭା ସିଟ ଥାଇ ମହିଳା ସଂରଣକ୍ଷ କରାଯାଉ ନାହିଁ କାହିଁକି? ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ହତ୍ୟା କରି ରାଜନୈତିକ ଫାଇଦା ଉଠାଇବା ପାଇଁ ୮୫୦ ଲୋକସଭା ସିଟ ଯେଉଁ ପ୍ରକ୍ରିୟାରେ କରାଯାଉଛି ସେଥିରେ ଓଡ଼ିଶା ସମେତ ବହୁ ରାଜ୍ୟ କ୍ଷତିଗ୍ରସ୍ତ ହେବେ । ୨୦୧୧ ସେନସକୁ ନେଇ ଡିଲିମଟେସନ କରିବା କେତେ ଯୁକ୍ତିଯୁକ୍ତ । ମହିଳାଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କର ଆଚରଣ ଓ ଉଚାରଣ କେବେ ଠିକ ନଥାଏ । ସୁତରାଂ ମ୍ୟାଜିକ ସିଆନ ଇଜ କମ୍ପ୍ରମାଇଜଡି ବୋଲି ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ।
ଆଇଟି ମନ୍ତ୍ରୀଙ୍କୁ ଯୁବ କଂଗ୍ରେସର ଜବାବ
ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓକାକର ଟେଣ୍ଡର ଦୁର୍ନୀତିକୁ ନେଇ ଯେଉଁ ଉତ୍ତର ରଖିଲେ ତାହା ହାସ୍ୟାସ୍ପଦ ବୋଲି ଭୁବନେଶ୍ୱର ଲୋକସଭା କଂଗ୍ରେସ ପ୍ରାର୍ଥୀ ୟାସିର ନୱାଜ କହିଛନ୍ତି । ସ୍କୁଲରେ ଏଆଇ କ୍ଲାସରୁମ ସ୍ଥାପନ ପାଇଁ ୧୦୦୦ କୋଟି, ଆଦର୍ଶ ବିଦ୍ୟାଳୟରେ କମ୍ପ୍ୟୁଟର ଲ୍ୟାବ ପାଇଁ ୭୦ କୋଟି ଏବଂ ପୌରାଞ୍ଚଳ କାର୍ଯ୍ୟାଳୟ, ସହରାଞ୍ଚଳ ବିକାଶ ବିଭାଗ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଭିଡିଓ କନଫରେସିଂ ଇନଫ୍ରାଷ୍ଟଚର ସ୍ଥାପନ ପାଇଁ ୭୦ କୋଟିର କାର୍ଯ୍ୟାଦେଶ ଯେଉଁ ଠକ କମ୍ପାନୀମାନଙ୍କୁ ଦିଆଯାଇଛି ସେଥିରେ ତ ନିଜେ ମନ୍ତ୍ରୀ ଓ ଆଇଟି ମନ୍ତ୍ରୀ ବିଶାଳ ଦେବ ସାମିଲ । ମନ୍ତ୍ରୀ ଇସ୍ତଫା ଦେବା ବଦଳରେ ଆକ୍ସନ ଟେକେନ ରିପୋର୍ଟ ମାଗିବା ପ୍ରସଙ୍ଗ ଯୋଗ୍ୟ ନୁହେଁ । ଓକାକର ଅଧିକାଂଶ ଟେଣ୍ଡରରେ କିପରି କୋଟି କୋଟି ଟଙ୍କା ଆତ୍ମସାତ ହେବ ତାର ଦାୟୀତ୍ୱ ନେଇଛନ୍ତି ଆଇଟି ସଚିବ ବିଶାଳ ଦେବ । ତେଣୁ ବିଶାଳ ଦେବ ଏ ଘଟଣାର ତଦନ୍ତ କ’ଣ କରିବେ? ଏହା ଶୁଣ୍ଢି ଶାଖି ମାତାଲ ସଦୃଶ । ମନ୍ତ୍ରୀ ମହାଲିଙ୍ଗ ଓକାକୁ ଏକ ସ୍ୱୟଂଶାସିତ ଅନୁଷ୍ଠାନ କହି ବଡ଼ କାଇଦାରେ ଖସି ଯିବାକୁ ଚେଷ୍ଟା କରୁଛନ୍ତି । ତାହାହେଲେ ୨୦୨୧ ମସିହାରେ ୫୯୩ ପୋଲିସ ଷ୍ଟେସନ ପାଇଁ ସିସିଟିଭି କ୍ୟାମେରା ଯୋଗାଣ, ସ୍ଥାପନ ଏବଂ ପରିଚାଳନା କରିବାକୁ ୧୦୫ କୋଟି ଟଙ୍କା ବ୍ୟୟ ନିମନ୍ତେ ଏକ ଟେଣ୍ଡର କରାଯାଇଥିଲା ସେତେବେଳେ ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଛି । ଏବେ ବିଜେପି ସରକାରକୁ ଆସିଗଲା ପରେ ଦୁର୍ନୀତି ଅଭିଯୋଗକୁ ହଜମ କରିପାରୁ ନାହିଁ । ଅନ୍ୟପକ୍ଷରେ ଆଜି ଶକ୍ତି ସଚିବ ବିଶାଳ ଦେବ କିପରି ଠକ ଶିଳ୍ପପତି ଅନିଲ ଅମ୍ବାନୀକୁ ଓଡ଼ିଶା ରାଜକୋଶରୁ ୧୦ ହଜାର କୋଟି ଟଙ୍କା ଦେବାକୁ ଅଣ୍ଟା ଭିଡ଼ିଛନ୍ତି ତାହା ସବୁ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ସୁତରାଂ ୧୦୦୦ କୋଟି ଟଙ୍କାର ଦୁର୍ନୀତିର ସତ ଚାଣିବା ପାଇଁ ଏହାର ବିଚାର ବିଭାଗୀୟ ତଦନ୍ତ ଏବଂ ତଦନ୍ତ ପ୍ରକ୍ରିୟାକୁ ସହଜ କରିବାପାଇଁ ଆଇଟି ମନ୍ତ୍ରୀଙ୍କ ଇସ୍ତଫା, ଆଇଟି ସଚିବଙ୍କୁ ଦାୟୀତ୍ୱରୁ ଅନ୍ତର କରାଯାଉ, ସମସ୍ତ ଟେଣ୍ଡର ବାତିଲ କରାଯାଉ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେର ସାଧାରଣ ସମ୍ପାଦକ ଜାଭେଦ ଅକତର ଉପସ୍ଥିତ ଥିଲେ ।










