29.1 C
Bhubaneswar
Saturday, July 27, 2024
Homeଖେଳବେଙ୍ଗାଲୁରୁକୁ ୨୮ ରନ୍‌ରେ ହରାଇଲା ଲକ୍ଷ୍ନୌ

ବେଙ୍ଗାଲୁରୁକୁ ୨୮ ରନ୍‌ରେ ହରାଇଲା ଲକ୍ଷ୍ନୌ

ବେଙ୍ଗାଲୁରୁ: କେଏଲ୍ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ (ଏଲ୍‌ଏସ୍‌ଜି) ଚଳିତ ଆଇପିଏଲ୍‌ର ୧୫ତମ ମ୍ୟାଚ୍‌ରେ ମଙ୍ଗଳବାର ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ ୨୮ ରନ୍‌ରେ ହରାଇ ଦେଇଛି । ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଲକ୍ଷ୍ନୌ ଓପ୍ନର୍ କ୍ୱିଣ୍ଟନ୍ ଡି କକ୍‌ଙ୍କ ୮୧ ଓ ନିକୋଲାସ୍ ପୂରନ୍‌ଙ୍କ ଅପରାଜିତ ୪୦ ରନ୍ ଦମ୍‌ରେ ୫ ୱିକେଟ୍ ହରାଇ ୧୮୧ ରନ୍ କରିଥିଲା । ଜବାବରେ ବେଙ୍ଗାଲୁରୁ ୧୯.୪ ଓଭର୍‌ରେ ସମସ୍ତ ୱିକେଟ୍ ହରାଇ ୧୫୩ ରନ୍ କରିବାକୁ ସମର୍ଥ ହୋଇଥିଲା । ଏହା ଚଳିତ ସିଜନ୍‌ରେ ଲକ୍ଷ୍ନୌର ତିନିଟି ମ୍ୟାଚ୍‌ରୁ ଦ୍ୱିତୀୟ ବିଜୟ ହୋଇଥିବା ବେଳେ ବେଙ୍ଗାରୁରୁର ଚାରିଟି ମ୍ୟାଚ୍‌ରୁ ତୃତୀୟ ପରାଜୟ ।

ଘରୋଇ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ୧୮୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଙ୍ଗାଲୁରୁ ୪୦ ରନ୍‌ର ସ୍କୋର୍‌ରେ ପ୍ରଥମେ ବିରାଟ କୋହଲିଙ୍କୁ ହରାଇଥିଲା । କୋହଲି ୧୬ ବଲ୍‌ରେ ୨ ଚୌକା ଓ ଗୋଟିଏ ଛକା ସହାୟତାରେ ୨୨ ରନ୍ କରିଥିବା ବେଳେ ଏମ୍ ସିଦ୍ଧାର୍ଥଙ୍କ ବଲ୍‌ରେ ପାଡିକ୍କଲ୍‌ଙ୍କ ଦ୍ୱାରା କ୍ୟାଚ୍‌ଆଉଟ୍ ହୋଇଥିଲେ । କୋହଲିଙ୍କ ପରେ ପରେ କ୍ୟାପ୍‌ଟେନ୍ ଫାପ୍ ଡୁପ୍ଲେସିସ୍ ୧୯ ରନ୍‌ରେ ରନ୍‌ଆଉଟ୍ ହୋଇଥିଲେ । ଗ୍ଲେନ୍ ମାକ୍ସୱେଲ୍ ପୁଣିଥରେ ଫ୍ଲପ୍ ହୋଇ ଖାତା ଖୋଲିବା ପୂର୍ବରୁ ମୟଙ୍କ ଯାଦବଙ୍କ ଶିକାର ହୋଇଥିଲେ । କାମେରନ୍ ଗ୍ରୀନ୍ ୯ ରନ୍ କରିଥିବା ବେଳେ ମୟଙ୍କ ଯାଦବ ତାଙ୍କୁ ବୋଲ୍ଡ କରି ପ୍ୟାଭିଲିୟନ୍ ଫେରାଇଥିଲେ ।

ଅନୁଜ ରାୱତ୍ ୧୧ ରନ୍ କରି ମାର୍କସ୍ ଷ୍ଟୋଇନିସ୍‌ଙ୍କ ବଲ୍‌ରେ ପାଡିକ୍କଲ୍‌ଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ରଜତ ପାଟିଦାର ୨୧ ବଲ୍‌ରୁ ଦୁଇଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୨୯ ରନ୍ କରିଥିବା ବେଳେ ମୟଙ୍କ ଯାଦବଙ୍କ ବଲ୍‌ରେ ପାଡିକ୍କଲ୍‌ଙ୍କ ହାତରେ ଧରାପଡ଼ିଥିଲେ । ଇମ୍ପାକ୍ଟ ପ୍ଲେୟର୍ ମହିପାଲ୍ ଲୋମରର୍ ୩ଟି ଲେଖାଏଁ ଚୌକା ଓ ଛକା ସହ ୧୩ ବଲ୍‌ରୁ ଧୂଆଁଧାର ସର୍ବାଧିକ ୩୩ ରନ୍ କରିଥିଲେ ମଧ୍ୟ ତାଙ୍କୁ ଅନ୍ୟପଟୁ ସହଯୋଗ ମିଳିନଥିଲା ଏବଂ ଟିମ୍ ୧୯.୪ ଓଭର୍‌ରେ ମାତ୍ର ୧୫୩ ରନ୍ ମଧ୍ୟରେ ଅଲ୍‌ଆଉଟ୍ ହୋଇଯାଇଥିଲା । ମହମ୍ମଦ ସିରାଜ୍ ୮ ବଲ୍‌ରୁ ଦୁଇଟି ଛକା ସହାୟତାରେ ୧୨ ରନ୍ କରି ଶେଷରେ ଆଉଟ୍ ହୋଇଥିଲେ ।

ରିସି ଟପ୍ଲେ ୩ ରନ୍‌ରେ ଅପରାଜିତ ରହିଥିଲେ । ଲକ୍ଷ୍ନୌ ପକ୍ଷରୁ ମୟଙ୍କ ଯାଦବ ୧୪ ରନ୍‌ରେ ସର୍ବାଧିକ ୩ଟି ଏବଂ ନବୀନ୍‌-ଉଲ୍‌-ହକ୍ ୨ଟି ୱିକେଟ୍ ନେଇଥିବା ବେଳେ ୟଶ୍ ଠାକୁର, ଷ୍ଟୋଇନିସ୍ ଏବଂ ଏମ୍ ସିଦ୍ଧାର୍ଥଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ପୂର୍ବରୁ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ ପକ୍ଷରୁ ଇନିଂସ୍ ଓପନ୍ କରି କ୍ୱିଣ୍ଟନ୍ ଡି କକ୍ ଓ କ୍ୟାପ୍‌ଟେନ୍ କେଏଲ୍ ରାହୁଲ ପାୱାର୍ ପ୍ଲେରେ ୫୩ ରନ୍ ଉଠାଇଥିଲେ । ତେବେ ରାହୁଲଙ୍କୁ ମୟଙ୍କ ଡାଗରଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ଗ୍ଲେନ୍ ମାକ୍ସୱେଲ୍ ବେଙ୍ଗାଲୁରୁକୁ ପ୍ରଥମ ସଫଳତା ଦେଇଥିଲେ । ରାହୁଲ ୧୪ ବଲ୍‌ରୁ ଦୁଇଟି ଛକା ସହାୟତାରେ ୨୦ ରନ୍ କରିଥିଲେ । ଏହାପରେ ଦେବଦତ୍ତ ପାଡିକ୍କଲ୍ ମାତ୍ର ୬ ରନ୍ କରିଥିବା ବେଳେ ମହମ୍ମଦ ସିରାଜ୍ ବଲ୍‌ର ଶିକାର ହୋଇଥିଲେ ।

ପାଡିକ୍କଲ୍‌ଙ୍କ ପରେ ବ୍ୟାଟିଂ ପାଇଁ ଆସିଥିବା ମାର୍କସ୍ ଷ୍ଟୋଇନିସ୍ ୧୫ ବଲ୍‌ରୁ ଗୋଟିଏ ଚୌକା ଓ ୩ ଛକା ସହାୟତାରେ ୨୪ ରନ୍ କରି ଆଉଟ୍ ହୋଇଥିଲେ । ସେ ଡି କକ୍‌ଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୫୬ ରନ୍‌ର ଭାଗୀଦାରି କରିଥିଲେ । ସ୍କୋର୍‌ରେ ଆଉ ୧୪ ରନ୍ ଯୋଗହେବା ପରେ ରିସି ଟପ୍ଲେ ଡି କକ୍‌ଙ୍କୁ ମୟଙ୍କ ଡାଗର୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ପ୍ୟାଭିଲିୟନ୍ ଫେରିଥିଲେ । ୩୬ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ଡି କକ୍ ୫୬ ବଲ୍‌ରୁ ୮ ଚୌକା ଓ ୫ ଛକା ସହାୟତାରେ ୮୧ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ । ଇତିମଧ୍ୟରେ ଆଇପିଏଲ୍‌ରେ ତାଙ୍କର ତିନି ହଜାର ରନ୍ ମଧ୍ୟ ପୂରଣ ହୋଇଥିଲା । ଆୟୁଷ ବଡ଼ୋନି ଖାତା ଖୋଲିବା ପୂର୍ବରୁ ୟଶ୍ ଦୟାଲ୍‌ଙ୍କ ବଲ୍‌ରେ ଡୁ ପ୍ଲେସିସ୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ । ନିକୋଲାସ୍ ପୂରନ୍ ୨୧ ବଲ୍‌ରୁ ଗୋଟିଏ ଚୌକା ଓ ଦୁଇଟି ଛକା ସହାୟତାରେ ୪୦ ରନ୍‌ର ଅପରାଜିତ ଇନିଂସ୍ ଖେଳି ଲକ୍ଷ୍ନୌ ସ୍କୋର୍ ୧୮୧ରେ ପହଞ୍ଚାଇଥିଲେ । ଆର୍‌ସିବି ପକ୍ଷରୁ ମାକ୍ସୱେଲ୍ ଦୁଇଟି ୱିକେଟ୍ ନେଇଥିବା ବେଳେ ଟପ୍ଲେ, ଦୟାଲ୍ ଓ ସିରାଜ୍ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking