22.1 C
Bhubaneswar
Wednesday, January 15, 2025
Homeଆଇପିଏଲ୍‌-୨୦୨୩ରାଜସ୍ଥାନକୁ ୧୦ ରନ୍‌ରେ ହରାଇଲା ଲକ୍ଷ୍ନୌ

ରାଜସ୍ଥାନକୁ ୧୦ ରନ୍‌ରେ ହରାଇଲା ଲକ୍ଷ୍ନୌ

ଜୟପୁର: କାଇଲ ମେୟର୍ସଙ୍କ ଅର୍ଦ୍ଧଶତକ ଏବଂ ଅନ୍ତିମ ଓଭର୍‌ରେ ଆଭେସ୍ ଖାନ୍‌ଙ୍କ ଦୁଇଟି ୱିକେଟ୍ ଅକ୍ତିଆର ଫଳରେ ସ୍ଥାନୀୟ ସୱାଇ ମାନ୍‌ସିଂହ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଇଥିବା ଚଳିତ ଆଇପିଏଲ୍‌ର ୨୬ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ୧୦ ରନ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି । ଚାରିବର୍ଷ ପରେ ହୋମ୍ ଗ୍ରାଉଣ୍ଡ୍‌ରେ ମ୍ୟାଚ୍ ଖେଳୁଥିବା ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ଲକ୍ଷ୍ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଲକ୍ଷ୍ନୌ କାଇଲ୍ ମେୟର୍ସଙ୍କ ଅର୍ଦ୍ଧଶତକ ବଳରେ ୭ ୱିକେଟ୍ ହରାଇ ୧୫୪ ରନ୍ କରିଥିଲା । ଜବାବରେ ରାଜସ୍ଥାନ ୬ ୱିକେଟ୍ ବିନିମୟରେ ୧୪୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହା ରାଜସ୍ଥାନ ବିପକ୍ଷରେ ଲକ୍ଷ୍ନୌର ପ୍ରଥମ ବିଜୟ ହୋଇଥିବା ବେଳେ ଟିମ୍ ୬ ମ୍ୟାଚ୍‌ରୁ ୪ ବିଜୟ ସହ ୮ ପଏଣ୍ଟ୍ ନେଇ ପଏଣ୍ଟ୍ ଟେବଲ୍ ଦ୍ୱିତୀୟରେ ରହିଛି । ଅନ୍ୟପକ୍ଷରେ ଲଗାତାର ତିନିଟି ମ୍ୟାଚ୍ ଜିତିଥିବା ରାଜସ୍ଥାନର ବିଜୟ ଧାରାରେ ବ୍ରେକ୍ ଲାଗିଛି । ଏହା ସତ୍ତ୍ୱେ ଟିମ୍ ଟେବଲ୍ ଶୀର୍ଷରେ ରହିଛି ।

୧୫୫ ରନ୍‌ର ପିଛା କରୁଥିବା ରାଜସ୍ଥାନ ପକ୍ଷରୁ ଯଶସ୍ୱୀ ଜୈସ୍ୱାଲ୍ (୪୪) ଓ ଜୋସ୍ ବଟ୍‌ଲର୍ (୪୦) ପ୍ରଥମ ୱିକେଟ୍ ପାଇଁ ୮୭ ରନ୍‌ର ଭାଗୀଦାରୀ କରି ଟିମ୍‌କୁ ଭଲ ମୂଳଦୁଆ ଦେଇଥିଲେ । ତେବେ ଜୈସ୍ୱାଲ୍‌ଙ୍କ ଆଉଟ୍ ପରେ କ୍ୟାପ୍‌ଟେନ୍ ସଞ୍ଜୁ ସାମ୍‌ସନ୍ ମାତ୍ର ୨ ରନ୍‌ରେ ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ୍ ହୋଇଥିଲେ । ଷ୍ଟୋଇନିସ୍‌ଙ୍କ ବଲ୍‌ରେ ଆଭେସ୍ ଖାନ୍‌ଙ୍କୁ କ୍ୟାଚ୍ ଦେଇ ଆଉଟ୍ ହେବା ପୂର୍ବରୁ ଜୈସ୍ୱାଲ୍ ୩୫ ବଲ୍‌ରେ ୪ ଚୌକା ଓ ଦୁଇଟି ଛକା ଲଗାଇଥିଲେ । ସାମ୍‌ସନ୍‌ଙ୍କ ପରେ ଷ୍ଟୋଇନିସ୍‌ଙ୍କ ବଲ୍‌ରେ ବଟ୍‌ଲର୍ କ୍ୟାଚ୍ ଆଉଟ୍ ହୋଇଥିଲେ । ୪୧ ବଲ୍‌ର ତାଙ୍କର ଇନିଂସ୍‌ରେ ୪ ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ସିମ୍‌ରନ୍ ହେଟମେୟର୍ ମଧ୍ୟ ୨ ରନ୍‌ରେ ଆଉଟ୍ ହେବାପରେ ଦେବଦତ୍ତ ପାଡିକ୍କଲ୍ ଓ ରିୟାନ୍ ପରାଗ କିଛିଟା ଆଶା ଦେଇଥିଲେ । ତେବେ ଅନ୍ତିମ ଓଭର୍‌ରେ ୧୯ ରନ୍ ଆବଶ୍ୟକ ଥିବାବେଳେ ଆଭେସ୍ ଖାନ୍ ଲଗାତାର ବଲ୍‌ରେ ପାଡିକ୍କଲ୍ ଓ ଧ୍ରୁବ ଜୁରେଲ୍‌ଙ୍କୁ ଆଉଟ୍ କରି ରାଜସ୍ଥାନ ବିଜୟଧାରାରେ ବ୍ରେକ୍ ଲଗାଇଥିଲେ । ପାଡିକ୍କଲ୍ ୨୧ ବଲ୍‌ରେ ୪ ଚୌକା ସହାୟତାରେ ୨୬ ରନ୍ କରିଥିବା ବେଳେ ପରାଗ ୧୫ ରନ୍‌ରେ ଅପରାଜିତ ଥିଲେ । ଲକ୍ଷ୍ନୌ ପକ୍ଷରୁ ଆଭେସ୍ ଖାନ୍ ୩ଟି ସଫଳତା ପାଇଥିବା ବେଳେ ମାର୍କସ୍ ଷ୍ଟୋଇନିସ୍‌ଙ୍କୁ ୨ଟି ୱିକେଟ୍ ମିଳିଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ପକ୍ଷରୁ ଇନିଂସ୍ ଓପନ୍ କରିଥିବା କ୍ୟାପ୍‌ଟେନ୍ କେଏଲ୍ ରାହୁଲ ଓ କାଇଲ୍ ମେୟର୍ସ ୬୫ ବଲ୍‌ରେ ୮୨ ରନ୍‌ର ଭାଗଦାରୀ କରିଥିଲେ । ଏହି ଭାଗୀଦାରୀ ଟିମ୍‌କୁ ମନ୍ଥର ହେଲେ ମଧ୍ୟ ମଜଭୁତ ଷ୍ଟାର୍ଟ ଦେଇଥିଲା ।

୩୨ ବଲ୍‌ରୁ ଚାରିଟି ଚୌକା ଓ ଗୋଟିଏ ଛକା ବଳରେ ୩୯ ରନ୍ କରିଥିବା ବେଳେ ରାହୁଲ ଏକାଦଶ ଓଭର୍‌ରେ ଜାସନ୍ ହୋଲ୍ଡର୍‌ଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ । ଏହା ପରେ ପରେ ଆୟୁଷ ବଦୋନୀ ମାତ୍ର ୧ ରନ୍‌ରେ ଟ୍ରେଣ୍ଟ୍ ବୋଲ୍ଟଙ୍କ ଶିକାର ହୋଇଥିଲେ । ୧୪ଶ ଓଭର୍‌ରେ ଆର୍ ଅଶ୍ୱିନ୍ ଦୀପକ ହୁଡ୍ଡା (୨) ଏବଂ ମେୟର୍ସ (୫୧)ଙ୍କୁ ପ୍ୟାଭିଲିୟନ୍ ପଠାଇ ଦେଇଥିଲେ । ଏହା ପୂର୍ବରୁ ମେୟର୍ସ ୪୦ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ । ଚଳିତ ସିଜନ୍‌ରେ ଏହା ତାଙ୍କର ତୃତୀୟ ଅର୍ଦ୍ଧଶତକ । ୫୧ ରନ୍‌ର ଇନିଂସ୍‌ରେ ସେ ୪୨ ବଲ୍‌ରେ ୪ ଚୌକା ଓ ୩ ଛକା ଲଗାଇଥିଲେ । ମାର୍କସ୍ ଷ୍ଟୋଇନିସ୍ ୧୬ ବଲ୍‌ରେ ଦୁଇଟି ଚୌକା ସହାୟତାରେ ୨୧ ରନ୍ କରିଥିବା ବେଳେ ସନ୍ଦୀପ ଶର୍ମାଙ୍କ ବଲ୍‌ରେ ୱିକେଟ୍ ପଛରେ କ୍ୟାଚ୍ ଦେଇ ଫେରିଥିଲେ । ନିକୋଲାସ୍ ପୂରନ୍ ୨୯ ରନ୍‌ରେ ରନ୍‌ଆଉଟ୍ ହୋଇଥିଲେ । ୨୦ ବଲ୍‌ର ଇନିଂସ୍‌ରେ ତାଙ୍କର ଦୁଇଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା । କୃଣାଳ ପାଣ୍ଡ୍ୟା ୪ ରନ୍‌ରେ ଅପରାଜିତ ଥିବା ବେଳେ ଅନ୍ତମ ବଲ୍‌ରେ ଯୁଦ୍ଧବୀର ସିଂହ (୧) ରନ୍ ଆଉଟ୍ ହୋଇଥିଲେ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଅଶ୍ୱିନ ଦୁଇଟି ୱିକେଟ୍ ନେଇଥିବା ବେଳେ ବୋଲ୍ଟ, ସନ୍ଦୀପ ଶର୍ମା ଓ ହୋଲ୍ଡରଙ୍କ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking