ଭୁବନେଶ୍ବର : ଦକ୍ଷିଣ ଚୀନ ସାଗରରୁ ଆସନ୍ତା ୨୫ ତାରିଖ ବେଳକୁ ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୬ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହିତ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ ସାଗରରେ ୨୭ ତାରିଖ ବେଳକୁ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭାବ୍ୟ ଅବପାତ ପରବର୍ତ୍ତୀ ସମୟରେ ଗଭୀର ଅବପାତ ଏବଂ ବାତ୍ୟା ରୂପ ନେବ କି ନାହିଁସେ ସଂକ୍ରାନ୍ତରେ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। କିନ୍ତୁ କେତେକ ଘରୋଇ ମଡେଲ ଆକଳନ କରିଛନ୍ତି ଯେ, ସମ୍ଭାବ୍ୟ ଅବପାତଟି ପରବର୍ତ୍ତୀ ସମୟରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଏପରିକି ଜିଏଫଏସ୍, ସିଏମ୍ସି, ଏନ୍ଏଭିଜିଏମ୍ ଏବଂ ଇସିଏମ୍ଡବ୍ଲ୍ୟୁଏଫ ପରି କେତେକ ମଡେଲ ଆକଳନ କରି କହିଛନ୍ତି ଯେ, ସମ୍ଭାବ୍ୟ ଅବପାତ ପରବର୍ତ୍ତୀ ସମୟରେ ବାତ୍ୟା ରୂପ ନେଇପାରେ। ଯଦି ବାତ୍ୟା ହୁଏ ତେବେ ପୂର୍ବ ଭାରତ କିମ୍ବା ବାଂଲାଦେଶ ଉପରେ ପ୍ରଭାବ ପକାଇପାରେ। କେଉଁଠାରେ ସ୍ଥଳଭାଗ ଛୁଇଁବ ଏବଂ କେତେ ପ୍ରଭାବ ରହିବ ସେ ସମ୍ବନ୍ଧରେ କିଛି ସ୍ପଷ୍ଟ କରାଯାଇ ନାହିଁ। ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ଆକଳନ କରାଯାଇ ପାରିବ ବୋଲି ମଡେଲ ଗୁଡିକ ସ୍ପଷ୍ଟ କରିଛନ୍ତି। ସମ୍ଭାବ୍ୟ ଲଘୁଚାପ ପ୍ରଭାବ ରାଜ୍ୟ ଉପରେ ପଡିବ କି ନାହିଁ ଏଯାବତ୍ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ।