32.1 C
Bhubaneswar
Sunday, April 28, 2024
Homeଓଡିଶାପୁଲିସ ଆଗରେ ହାଇଡ୍ରାମା : ମତେ ବାହା ହେବୁ, ନହେଲେ ଛାଡ଼ିବିନି

ପୁଲିସ ଆଗରେ ହାଇଡ୍ରାମା : ମତେ ବାହା ହେବୁ, ନହେଲେ ଛାଡ଼ିବିନି

ଭୁବନେଶ୍ୱର : ପୁଲିସ ଆଗରେ ହାଇଡ୍ରାମା, ମତେ ବାହା ହେବୁ, ନହେଲେ ଛାଡ଼ିବିନି । ଯାହା କରୁଛୁ, କିଛି ଭଲ କରୁନୁ । ମୋ ସହିତ ୪ବର୍ଷ ମିଶିଲୁ । ଚିହ୍ନିପାରିଲୁନି ମତେ । ଶେଷରେ ଧୋକା ଦେଲୁ । ତୁ ମତେ ହିଁ ବାହାହେବୁ । ଦେଖିବା କୁଆଡ଼େ ଯିବୁ । ଛାଡ଼ିବିନି ତତେ। ମୋର ନୁହଁ ତ କାହାର ନୁହଁ… । ଜଣେ ନର୍ସିଂହୋମ୍ ମାଲିକ ଜନୈକ ଯୁବତୀଙ୍କୁ ଏଭଳି ଧମକ ଦେବା ସହ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀର ପଳାଶୁଣି ଅଞ୍ଚଳରେ । ଖବରପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୁଲିସ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ମାନସ ସାହୁ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ତେବେ ମାନସଙ୍କୁ ବୁଧବାର କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ସୁଧୀର କୁମାର ସାହୁ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଟାଉନ୍‌ରେ ଅଭିଯୁକ୍ତ ମାନସଙ୍କର  ‘ସାଇ ସଞ୍ଜୀବନି’ ନାମକ ଏକ ନର୍ସିଂହୋମ୍ ଥିଲା । ମାନସ ବିବାହିତ ଥିବାବେଳେ ତାଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି । ଏହି ନର୍ସିଂହୋମ୍‌ରେ ପୁରୀ ଜିଲା ଗଡ଼ିଶାଗୋଦା ଥାନା ଅଞ୍ଚଳର ଜଣେ ଯୁବତୀ ୪ବର୍ଷ ଧରି ଲ୍ୟାବ୍ ଆସିଷ୍ଟାଣ୍ଟ୍ ଭାବେ କାମ କରୁଥିଲେ । ଯୁବତୀ ଜଣକ କାମ କରୁଥିବା ସମୟରେ ମାନସ ତାଙ୍କୁ ବାରମ୍ବାର ପ୍ରେମ ନିବେଦନ କରୁଥିଲେ । ତାଙ୍କ ପାଖେ ଚାକିରୀ କରୁଥିବା ଯୋଗୁଁ ଯୁବତୀ କିଛି କହିପାରୁନଥିଲେ । ମାନସଙ୍କ ପ୍ରେମ ନିବେଦନକୁ ସେ ଗ୍ରହଣ କରିନଥିଲେ ।

ପରେ ନର୍ସିଂହୋମ୍ ବନ୍ଦ ହୋଇଯାଇଥିଲା । ଏହାପରେ ଯୁବତୀ ତାଙ୍କ ଚାକିରୀ ହରାଇ ୫ମାସ ତଳେ ଭୁବନେଶ୍ୱର ଚାଲିଆସିଥିଲେ । ଏଠାରେ ସେ ପଳାଶୁଣି ଅଞ୍ଚଳରେ ଥିବା ମେଡି ହେଲ୍‌ଥ କେୟାର କ୍ଲିନିକ୍‌ରେ ଚାକିରୀ କଲେ । ଏସମ୍ପର୍କରେ ଖବରପାଇ ମାନସ ସଙ୍ଗେସଙ୍ଗେ କ୍ଲିନିକ୍‌କୁ ଆସି ଭଙ୍ଗାରୁଜା କରିବା ସହ ଯୁବତୀଙ୍କୁ ମାର୍‌ପିଟ କରିଥିଲେ । ପରେ ଏହି ଘଟଣା ଥାନାରେ ବିଚାର କରାଯାଇ ଆପୋଷ ସମାଧାନ ହେବା ସହ ମାନସକୁ ପୁଲିସ ତାଗିଦ୍ କରିଥିଲା ।

ହେଲେ ପୁଣି ମଙ୍ଗଳବାର ମଧ୍ୟାହ୍ଣରେ ହଠାତ୍ ମାନସ କ୍ଲିନିକ୍ ଭିତରକୁ ଆସିଥିଲେ । ଏହାପରେ କ୍ଲିନିକ୍ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ଭଙ୍ଗାରୁଜା କରିଥିଲେ । ଏହାସହ ଯୁବତୀଙ୍କୁ  ଜୋର୍ ଜବରଦସ୍ତ ସାଙ୍ଗରେ ନେବା ପାଇଁ ଚେଷ୍ଟା କରିଥିଲେ । ଏହାଦେଖି ପଡ଼ୋଶୀ ଦୋକାନ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସକୁ ଦେଖି ମାନସ ଆହୁରି ଉତ୍ତେଜିତ ହୋଇପଡ଼ିଥିଲେ । ଏହାପରେ ସେ ପୁଲିସ ଆଗରେ କ୍ଲିନିକ୍‌ରେ ପଶି ସମ୍ପୃକ୍ତ ଯୁବତୀଙ୍କୁ ଗୋଇଠା, ବିଧା ମାରି ଆକ୍ରମଣ କରିଥିଲେ । ଏମିତିକି ପୁଲିସ ରୋକିବା ବେଳେ ମଧ୍ୟ ଆକ୍ରମଣର ସମ୍ମୁଖୀନ ହୋଇଛି । ଏହାପରେ ୨ରୁ ୩ପୁଲିସ କର୍ମଚାରୀ ମାନସଙ୍କୁ କାବୁ କରି ଥାନାକୁ ନେଇଥିଲେ । ପରେ ଯୁବତୀ ଜଣକ ଥାନାରେ ପହଞ୍ଚି ମାନସ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ପୁଲିସ ୧୬୧ରେ ଯୁବତୀଙ୍କ ବୟାନ ରେକର୍ଡ କରିବା ସହ ମାନସଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking