ଦେଶ ଛାଡ଼ି ପଳାଇଯିବାର ସମ୍ଭାବନା ରହିଛି
ଭୁବନେଶ୍ୱର: ଶହେ କୋଟି ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ କିଣ୍ଡୋଙ୍କ ପାଇଁ ଅଡୁଆ ବଢ଼ିଛି । ଦେଶ ଛାଡ଼ି ପଳାଇଯିବାର ସମ୍ଭାବନା ଥିବାରୁ ତାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ(ଅର୍ଥନୈତିକ ଅପରାଧ ଶାଖା) ଲୁକ୍ ଆଉଟ୍ ସର୍କୁଲାର୍ ଜାରିକରି ୱାଣ୍ଟେଡ ଘୋଷଣା କରିଛି । ଏନେଇ ଗୁରୁବାର ଇଓଡବ୍ଲ୍ୟୁ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଦୀପକଙ୍କ ବିରୋଧରେ ଇଓଡବ୍ଲ୍ୟୁ କେସ୍ ନଂ.୧୭/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ମାମଲାରେ ଦୀପକଙ୍କ ପତ୍ନୀ ଅମ୍ରିତା କିଣ୍ଡୋ ଗିରଫ ହୋଇଥିବାବେଳେ ସେ ଏବେ ଫେରାର୍ ଅଛନ୍ତି । ଦୀପକ ଦେଶ ଛାଡ଼ିଯିବାର ସମ୍ଭାବନା ଥିବାରୁ ସମସ୍ତ ଚେକ୍ ପୋଷ୍ଟ, ବନ୍ଦର, ଏୟାର୍ପୋର୍ଟକୁ ଆଲର୍ଟ କରାଯାଇଛି । ଏହି ଲୁକ୍ ଆଉଟ ସର୍କୁଲାର ନୋଟିସ୍ ସମସ୍ତଙ୍କ ପାଖକୁ ପଠାଇ ଦିଆଯାଇଛି ।
ଦୀପକଙ୍କୁ ଦେଖିବା ମାତ୍ରକେ ଗିରଫ କରିବାକୁ ପୁଲିସ ଏବଂ ଅନ୍ୟ ତଦନ୍ତକାରୀ ସଂସ୍ଥାକୁ କୁହାଯାଇଛି । ଅନ୍ୟପକ୍ଷେ କେହି ଯଦି ଦୀପକଙ୍କୁ ଦେଖନ୍ତି, ତା’ହେଲେ ତାଙ୍କ ସମ୍ପର୍କରେ ଏହି ନମ୍ବରରେ -୯୪୩୭୪୪୪୮୭୦ ସୂଚନା ଦେଇପାରିବେ । ଯିଏ ସୂଚନା ଦେବ ତାଙ୍କ ନାମକୁ ଗୋପନ ରଖାଯିବ । ଏଥିସହ ସମ୍ପୃକ୍ତ ସୂଚନାଦାତାଙ୍କୁ ଉଚିତ୍ ପୁରସ୍କାର ଦିଆଯିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ, ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି)କୁ ଋଣ ଦେବା ନାଁରେ ଜାଲ କାଗଜପତ୍ର ଦେଇ ବିଭିନ୍ନ ବ୍ୟାଙ୍କ୍ରୁ ଦୀପକ ଓ ତାଙ୍କ ପତ୍ନୀ ଅମ୍ରିତା ଋଣ ଆଣିଥିଲେ । ହେଲେ କୌଣସି ଋଣ ପ୍ରଦାନ ନକରି ସେହି ଟଙ୍କାକୁ ନିଜେ ଆତ୍ମସାତ୍ କରୁଥିଲେ ।
ଏଭଳି ଭାବେ ବିଭିନ୍ନ ବ୍ୟାଙ୍କ୍ରୁ ଶହେ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକିଛନ୍ତି । ଏହି ଘଟଣାରେ ଇଓଡବ୍ଲ୍ୟୁ ଦିଭ୍ୟା ଡେଆରି ଏଗ୍ରୋ ପ୍ରୋସେସର ପ୍ରାଇଭେଟ ଲିମିଟେଡର ଏମ୍ଡି ତଥା ଦୀପକଙ୍କ ପତ୍ନୀ ଅମ୍ରିତାଙ୍କୁ ଗିରଫ କରିଥିଲା । ମାମଲାରେ ଦୀପକ ମୁଖ୍ୟଅଭିଯୁକ୍ତ । ତେଣୁ ତାଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ଚେଷ୍ଟା ଚଳାଇଛି । ପୂର୍ବରୁ ଏହି ଦମ୍ପତି ହାଇଦ୍ରାବାଦ, କର୍ଣ୍ଣାଟକର ବିଭିନ୍ନ ବ୍ୟାଙ୍କ୍ରୁ ଋଣ ଠକେଇ କରିଛନ୍ତି । ଗତବର୍ଷ ଦୀପକଙ୍କୁ ହାଇଦ୍ରାବାଦ ପୁଲିସ ଗିରଫ ମଧ୍ୟ କରିଥିଲା । ଏଥିସହ କର୍ଣ୍ଣାଟକ ପୁଲିସର ବିଭିନ୍ନ ଥାନାରେ ଏମାନଙ୍କ ବିରୋଧରେ ଏକାଧିକ ମାମଲା ରହିଛି ।