27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଜମ୍ମୁ-କାଶ୍ମୀରରେ ଲୋକସଭା ନିର୍ବାଚନ; ପିଡିପିକୁ ବାଦ୍ ଦେଇ ଆସନ ବାଣ୍ଟିନେଲେ ଏନ୍‌ସି-କଂଗ୍ରେସ

ଜମ୍ମୁ-କାଶ୍ମୀରରେ ଲୋକସଭା ନିର୍ବାଚନ; ପିଡିପିକୁ ବାଦ୍ ଦେଇ ଆସନ ବାଣ୍ଟିନେଲେ ଏନ୍‌ସି-କଂଗ୍ରେସ

ଶ୍ରୀନଗର: ଇଣ୍ଡିଆ ମେଣ୍ଟରେ ଥିବା ସତ୍ତ୍ୱେ ମେହବୁବା ମୁଫ୍‌ତିଙ୍କ ଦଳ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି)କୁ ବାଦ୍ ଦେଇଛନ୍ତି କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସ (ଏନ୍‌ସି) । ରିପୋର୍ଟ ଅନୁସାରେ ଜମ୍ମୁକାଶ୍ମୀରରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଆଜି ଏନ୍‌ସି ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ହୋଇଥିଲେ ମଧ୍ୟ ଏଥିରେ ପିଡିପିକୁ ସାମିଲ କରାଯାଇନାହିଁ । ଅର୍ଥାତ୍ ପିଡିପିକୁ ଗୋଟିଏ ହେଲେ ଆସନ ଆବଣ୍ଟିତ କରାଯାଇନାହିଁ । ଲଦାଖର ଏକମାତ୍ର ଲୋକସଭା ଆସନ ସହ ଜମ୍ମୁ-କାଶ୍ମୀରର ୫ ଆସନକୁ ମିଶାଇ ମୋଟ୍ ୬ଟି ଲୋକସଭା ଆସନ ପାଇଁ ଉଭୟ କଂଗ୍ରେସ ଏବଂ ଏନ୍‌ସି ସମାନ ଆସନ (୩:୩ ଫର୍ମୁଲା) ଆଧାରରେ ବାଣ୍ଟି ନେଇଛନ୍ତି । କଂଗ୍ରେସ ଲଦାଖ ସହ ଜମ୍ମୁ ଏବଂ ଉଦ୍ଧମପୁର ଆସନରେ ପ୍ରାର୍ଥୀ ଦେବା ଚୂଡାନ୍ତ ହୋଇଥିବା ବେଳେ ଏନ୍‌ସି ଅନନ୍ତନାଗ, ବାରାମୁଲ୍ଲା ଏବଂ ଶ୍ରୀନଗର ଆସନରେ ପ୍ରାର୍ଥୀ ଦେବ ।
ପ୍ରକାଶ, ଦୁଇ ଦିନ ପୂର୍ବେ ପିଡିପି ପକ୍ଷରୁ ଜମ୍ମୁ-କାଶ୍ମୀର ଓ ଲଦାଖର ମୋଟ୍ ୬ ଲୋକସଭା ଆସନ ମଧ୍ୟରୁ ୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଯେଉଁଥିରେ ଅନନ୍ତନାଗ-ରଜୌରୀ ଆସନରୁ ନିଜେ ପ୍ରାର୍ଥୀ ହୋଇଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି । ପ୍ରାର୍ଥୀଙ୍କ ସମ୍ପର୍କରେ ଘୋଷଣା କରିବା ସମୟରେ ମେହବୁବା କହିଥିଲେ ଯେ, ତାଙ୍କ ଦଳ ଏନ୍‌ସି ସହ ମେଣ୍ଟ କରିବାକୁ ଚାହୁଁଥିଲା । କିନ୍ତୁ ଏନ୍‌ସି ପକ୍ଷରୁ ଏପର୍ଯ୍ୟନ୍ତ ତାଙ୍କ ସହ କୌଣସି ଆଲୋଚନା କରାଯାଇନଥିବାରୁ ସେ ୩ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି । ତେବେ ଆଜି ଯେତେବେଳେ କଂଗ୍ରେସ ଏବଂ ଏନ୍‌ସି ମଧ୍ୟରେ ଆସନ ଭାଗବଣ୍ଟା ଶେଷ ହୋଇଛି ସେତେବେଳେ ପିଡିପି ମଧ୍ୟ ଖୁବ୍‌ଶୀଘ୍ର ବାକି ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ସହ ଲୋକସଭା ନିର୍ବାଚନ ସମ୍ପୂର୍ଣ୍ଣ ଏକାକୀ ଲଢ଼ିବ ବୋଲି ଅନୁମାନ କରାଯାଉଛି ।
ଉଲ୍ଲେଖଯୋଗ୍ୟ, ଜମ୍ମୁ କାଶ୍ମୀରର ମୋଟ୍ ୫ଟି ଲୋକସଭା ଆସନ ପାଇଁ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏପ୍ରିଲ୍ ୧୯ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ କେବଳ ଉଦମପୁର ଲୋକସଭା ଆସନରେ ହିଁ ଅନୁଷ୍ଠିତ ହେବ । ସେହିପରି ୨୬ ଏପ୍ରିଲ୍‌ରେ ୨ୟ ପର୍ଯ୍ୟାୟ ମତଦାନରେ କେବଳ ଜମ୍ମୁ ଆସନରେ ମତଦାନ ଗ୍ରହଣ କରାଯିବ । ମେ ୭ରେ ୩ୟ ପର୍ଯ୍ୟାୟ ମତଦାନ ପ୍ର୍ରକିୟାରେ ଅନନ୍ତନାଗ ଆସନକୁ ସାମିଲ କରାଯାଇଛି । ଏତଦ୍‌ବ୍ୟତୀତ ମେ ୧୩ରେ ଅର୍ଥାତ୍ ଚତୁର୍ଥ ପର୍ଯ୍ୟାୟରେ ଶ୍ରୀନଗର ଆସନରେ ଏବଂ ମେ ୨୦ରେ ୫ମ ପର୍ଯ୍ୟାୟରେ ବାରାମୁଲା ଆସନ ସହ ଲଦାଖ ଆସନ ପାଇଁ ମଧ୍ୟ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ସେହିପରି ଭୋଟଗଣତି ସହ ଫଳାଫଳ ଜୁନ୍ ୪ରେ ଘୋଷଣା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking