ଗୁଆହାଟୀ : ଆସାମର ଗୋଲାଘାଟ ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସମେତ ଶ୍ୱଶୁର ଓ ଶାଶୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ଏବଂ ତାଙ୍କ ୯ ମାସର ଶିଶୁକୁ ନେଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । ଅଭିଯୁକ୍ତ ଯୁବକର ନାଁ ନଜିବୁର ରେହମାନ ବୋଲି ପୁଲିସ କହିଛି । ଅଭିଯୁକ୍ତଙ୍କ ପତ୍ନୀଙ୍କ ନାମ ସଂଘମିତା ଘୋଷ ବୋଲି ଜଣାପଡ଼ିଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କରୋନା ସମୟରେ ଲକଡାଉନ ସମୟରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଦୁହେଁ ସୋସିଆଲ ମିଡିଆ ସାହାଯ୍ୟରେ ସାକ୍ଷାତ କରିଥିଲେ । ଏହାପରେ ଦୁହେଁ ପ୍ରେମରେ ପଡ଼ିଯାଇଥିଲେ ଏବଂ ଏହା ପରେ ଦୁହେଁ ଏକାଠି ପଳାଇ ଯାଇଥିଲେ ।
ତେବେ ଏହାର କିଛି ଦିନ ପରେ ପରେ ସଂଘମିତା ଘୋଷଙ୍କ ପିତାମାତା ତାଙ୍କୁ ଫେରାଇ ଆଣିଥିଲେ । କିନ୍ତୁ ତାପୂର୍ବରୁ ଦୁହେଁ କୋର୍ଟରେ ବିବାହ କରିସାରିଥିଲେ । ଯୁବତୀ କିଛି ଦିନ ଘରେ ରହିବା ପରେ ପୁଣି ଉକ୍ତ ଯୁବକ ସହ ଚେନ୍ନାଇ ଫେରାର ହୋଇଯାଇଥିଲେ । ୫ ମାସ ପରେ ୨୦୨୨ ମେ ମାସରେ ପୁଣି ଉଭୟ ଆସାମ ଫେରିଆସିଥିଲେ । କିନ୍ତୁ ସେତେବେଳକୁ ଯୁବତୀ ଗର୍ଭବତୀ ହୋଇସାରିଥିଲେ । ସେହିବର୍ଷ ଡିସେମ୍ବରରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଏହା ପରେ ସେ ପୁଅକୁ ନେଇ ନିଜ ପିତାମାତାଙ୍କ ନିକଟକୁ ପୁଣି ପଳାଇ ଆସିଥିଲେ । ଏହା ପରେ ସଂଘମିତ୍ରା ନିଜ ସ୍ୱାମୀ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜ୍ଜୁ କରିଥିଲେ । ଏହା ପରେ ପୁଲିସ ଯୁବକକୁ ଗିରଫ କରିଥିଲା । ୨୮ ଦିନ ଜେଲରେ ରହିବା ପରେ ସେ ଜାମିନରେ ଆସିଥିଲା ଓ ନିଜ ପତ୍ନୀକୁ ଭେଟିବାକୁ ଦାବି କରୁଥିଲା । ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା । ଗତ ସୋମବାରରେ ନଜିବୁର ନିଜ ପତ୍ନୀ ଓ ଶାଶୁ ଶ୍ୱଶୂରଙ୍କୁ ହତ୍ୟା କରିଦେଇଥିଲା ।