ଭୁବନେଶ୍ୱର: ଭକ୍ତିଭାବପୂର୍ଣ୍ଣ ପରିବେଶରେ ଶନିବାର ସାରା ରାଜ୍ୟରେ ମହାଶିବରାତ୍ରୀ ପାଳିତ ହୋଇଯାଇଛି । ରାଜ୍ୟର ଶିବାଳୟଗୁଡ଼ିକ ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହୋଇଛି । ଶିବଭକ୍ତମାନଙ୍କ ଦ୍ୱାରା ପ୍ରଜ୍ୱଳିତ ଦୀପ ଆଲୋକରେ ସାରା ପରିବେଶ ଆଲୋକିତ ହୋଇଉଠିଛି । ଶ୍ରୀ ଶ୍ରୀ ଲିଙ୍ଗରାଜ, ଶ୍ରୀଲୋକନାଥ, ହରିଶଙ୍କର, ଧବଳେଶ୍ୱର, ବାବା ଲଡ଼ୁକେଶ୍ୱର, ବାବା ଉମାମହେଶ୍ୱର, କପିଳାଶର ବାବା ଚନ୍ଦ୍ରଶେଖରଙ୍କ ପୀଠରେ ଜାଗର ଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଛି । ଯଦିଓ ରାଜ୍ୟର ଅନ୍ୟାନ୍ୟ ଶୈବପୀଠରେ ମହାଦୀପ ଉଠିବା କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ହୋଇଥିଲା କିନ୍ତୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ମହାଦୀପ ଉଠିପାରି ନଥିଲା । ମହାଦେବଙ୍କ ସାକ୍ଷାତ ସ୍ୱରୂପ ମହାଦୀପଙ୍କ ଦର୍ଶନ ପାଇଁ ମନ୍ଦିର ବେଢ଼ାରେ ହଜାର ହଜାର ଭକ୍ତ ଚାତକ ପରି ଚାହିଁ ରହିଥିଲେ । ରାତି ୧୦ଟାରେ ମହାଦୀପ ଉଠିବା ନେଇ ମନ୍ଦିର ପ୍ରଶାସନ ସମୟ ନିର୍ଦ୍ଧାରଣ କରିଥିଲେ ମଧ୍ୟ ନୀତିକାନ୍ତି ପ୍ରାୟ ୨ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବାରୁ ମହାଦୀପ ମଧ୍ୟ ବିଳମ୍ବରେ ଉଠିଥିଲା ।
ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ସହ ଆଲୋଚନା କରି ମହାଦୀପ ଉଠିବା ନୀତିକୁ ତ୍ୱରାନ୍ୱିତ କରିଥିଲେ । ପ୍ରଭୁ ଲିଙ୍ଗରାଜଙ୍କ ବେଢ଼ା ପରିକ୍ରମା ପରେ ରାତି ୧୨ଟା ୩୦ରେ ମହାଦୀପ ଉଠିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ରାତି ୧ଟା ୫ରେ ମହାଦୀପ ଧାରଣ କରିଥିବା ସେବାୟତ ମନ୍ଦିର ଉପରକୁ ଚଢ଼ିଥିଲେ । ରାତି ୧ଟା ୮ରେ ମହାଦୀପ ନୀଳଚକ୍ରକୁ ଉଠିଥିଲେ । ମହାଦୀପ ଉଠିବା ସମୟରେ ଅଗଣିତ ଭକ୍ତଙ୍କ ହରିବୋଲ ହୁଳହୁଳି ମଧ୍ୟରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା । ସେବାୟତମାନେ ମହାଦୀପଙ୍କୁ ମନ୍ଦିର ଚୁଡ଼ାରେ ପରିକ୍ରମା କରାଇ ସ୍ଥାପନ କରିଥିଲେ । ଦିନତମାମ ଶଙ୍ଖଧ୍ୱନି, ବେଦପାଠ, ଶିବ ସହସ୍ର ନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମଚରିତ୍ର ମାନସ ପାରାୟଣ, ପ୍ରବଚନ ଆଦି କାର୍ଯ୍ୟକ୍ରମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ।
ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଜାରି କାର୍ଯ୍ୟକ୍ରମ ଅନୁସାରେ ଶନିବାର ପ୍ରାତଃ ୩ଟାରୁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା । ପ୍ରାତଃ ୩ଟାରୁ ୩ଟା୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ହେବା ସହ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହୋଇଥିଲା । ମହାପ୍ରଭୁଙ୍କ ଦର୍ଶନ ଲାଗି ସହର ତଥା ସହର ବାହାରୁ ଶ୍ରଦ୍ଧାଳୁ ଆସି ମନ୍ଦିର ପରିସରରେ ଭିଡ଼ ଜମାଇଥିଲେ । ରୀତିନୀତି ଅନୁସାରେ ରୋଷ ହୋମ, ଛାମୁ ପରିସ୍କାର, ମହାସ୍ନାନ ଓ ବେଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉଙ୍କ ଠାକୁରାଣୀ ବଲ୍ଲଭ ଓ ସକାଳ ଧୂପ, ଶ୍ରୀଭୁବନେଶ୍ୱରୀଙ୍କ ସକାଳ ଧୂପ ଆଦି ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଏହି ସମୟ ମଧ୍ୟରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି ଲାଗି ସର୍ବସାଧାରଙ୍କ ଦର୍ଶନ ବନ୍ଦ ରହିଥିଲା । ପରେ ପୁଣି ଅପରାହ୍ଣ ୩ଟା୪୫ରୁ ୪ଟା ୪୫ ପର୍ଯ୍ୟନ୍ତ ସାହାଣ ମେଳା ଦର୍ଶନ ଓ ପରେ ଛାମୁ ପରିସ୍କାର, ଶ୍ରୀଜୀଉଙ୍କ ବେଶ, ବୀରକିଶୋର ବଲ୍ଲଭ, ଦ୍ୱିପ୍ରହର ଧୂପ, ଶ୍ରୀଜିଉଙ୍କ ପହୁଡ, ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି କରାଯାଇଥିଲା ।
ଏହି ଦିବ୍ୟ ଦୃଶ୍ୟ ଦେଖିବାକୁ ଶ୍ରଦ୍ଧାଳୁମାନେ ଅପେକ୍ଷା କରି ରହିଥିଲେ । ହରିବୋଲ ହୁଳହୁଳିରେ ମନ୍ଦିର ବେଢ଼ା ପ୍ରକମ୍ପିତ ହୋଇଥିଲା । ପରେ ସାହାଣମେଲା ଦର୍ଶନ, ଭୁବନେଶ୍ୱରୀଙ୍କ ସନ୍ଧ୍ୟା ଧୂପ ଓ ପୂଜା, ଶ୍ରୀଜୀଉଙ୍କ ଛାମୁ ପରିସ୍କାର, ଚାରି ପ୍ରହର ପୂଜା, ହରିହର ଭେଟ ଏବଂ ବଡ଼ ସିଂହାର ଓ ପହୁଡ଼ ନୀତି ସମ୍ପର୍ଣ୍ଣ ହୋଇଥିଲା । ମନ୍ଦିର ବାହାରେ ଆୟୋଜିତ ଭଜନ ସମାରୋହରେ ସୁପ୍ରସିଦ୍ଧ ଗାୟିକା ଅନୁରାଧା ପଡୁୱାଲ୍, ବାବୁଲ ସୁପ୍ରିୟୋ, ରାଜ୍ୟର ବହୁ କଳାକାର ଅଂଶ ଗ୍ରହଣ କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ପୁଲିସ କମିସନରଙ୍କ ପକ୍ଷରୁ ମନ୍ଦିର ଭିତର ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।