ମୁମ୍ବାଇ: ଭାରତର ପାଞ୍ଚ ଶୀର୍ଷସ୍ଥାନୀୟ କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନି, ଯୁବରାଜ ସିଂହ, ସୁରେଶ ରାଇନା, ମିତାଲି ରାଜ ଓ ଝୁଲନ୍ ଗୋସ୍ୱାମୀଙ୍କୁ ବୁଧବାର ସମ୍ମାନଜନକ ମେରିଲବୋନ୍ କ୍ରିକେଟ୍ କ୍ଲବ୍ (ଏମ୍ସିସି)ର ଆଜୀବନ ସଦସ୍ୟତା ପ୍ରଦାନ କରାଯାଇଛି । ଏମ୍ସିସି ପକ୍ଷରୁ ଘୋଷଣା କରାଯାଇଥିବା ଚଳିତ ବର୍ଷର ତାଲିକାରେ ଟେଷ୍ଟ୍ ଖେଳୁଥିବା ଆଠଟି ଦେଶର ୧୯ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ଏହି ସୂଚୀରେ ଭାରତ ଏବଂ ଇଂଲଣ୍ଡର ପାଞ୍ଚଜଣ ଲେଖାଏଁ ପୂର୍ବତନ ଖେଳାଳି ସାମିଲ ହୋଇଥିବା ବେଳେ ନ୍ୟୁଜିଲାଣ୍ଡର ଦୁଇଜଣ, ଅଷ୍ଟ୍ରେଲିଆ, ବାଂଲାଦେଶ, ପାକିସ୍ତାନ, ସାଉଥ୍ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ର ଜଣେ ଲେଖାଏଁ ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି । ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ ଆଇସିସି ଟି-୨୦ ବିଶ୍ୱକପ୍ ଏବଂ ୨୦୧୧ ବିଶ୍ୱକପ୍ ଜିତିଥିବା ବେଳେ ଉଭୟ ଟିମ୍ର ଅଭିନ୍ନ ଅଙ୍ଗ ଥିବା ଯୁବରାଜ ସିଂହ ମ୍ୟାଚ୍ ବିଜୟୀ ପ୍ରଦର୍ଶନ କରିଥିଲେ ।
ଅନ୍ୟପକ୍ଷରେ ରାଇନା ତାଙ୍କ ୧୩ ବର୍ଷର କ୍ୟାରିୟର୍ରେ ୫,୫୦୦ ଦିନିକିଆ ରନ୍ କରିଛନ୍ତି । ଗତବର୍ଷ ଲର୍ଡ୍ସରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆରେ କ୍ୟାରିୟର୍ର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଝୁଲନ୍ ଗୋସ୍ୱାମୀ ମହିଳା ଦିନିକିଆରେ ବିଶ୍ୱର ସର୍ବାଧିକ ୱିକେଟ୍ ହାସଲକାରୀ । ଅନ୍ୟପକ୍ଷରେ ବିଶ୍ୱର ସର୍ବାଧିକ ରନ୍ ସଂଗ୍ରହକାରୀ ମିତାଲି ରାଜ୍ ୨୧୧ ଇନିଂସ୍ରେ ୭,୮୦୫ ରନ୍ କରିଛନ୍ତି । ଏହି ସମ୍ମାନର ଅଧିକାରୀ ହୋଇଥିବା ପାଞ୍ଚ ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଇଅନ୍ ମୋର୍ଗାନ୍, ଜେନି ଗୁନ୍, ଲୌରା ମାର୍ସ, ଆନ୍ୟା ଶ୍ରୁବ୍ସୋଲ୍ ଓ କେଭିନ୍ ପିଟର୍ସନ୍ ।
ସେହିପରି ତାଲିକାରେ ୱେଷ୍ଟଇଣ୍ଡିଜ୍ର ମେରିସା ଅଗୁଇଲେଇରା, ବାଂଲାଦେଶ ମାସ୍ରାଫେ ମୋର୍ତ୍ତାଜା, ପାକିସ୍ତାନର ମହମ୍ମଦ ହାଫିଜ୍, ସାଉଥ୍ ଆଫ୍ରିକା ପେସର୍ ଡେନ୍ ଷ୍ଟେନ୍, ଅଷ୍ଟ୍ରେଲିଆର ପୂର୍ବତନ ମହିଳା ବ୍ୟାଟର୍ ରାଚେଲ୍ ହେନ୍ସ ଏବଂ ନ୍ୟୁଜିଲାଣ୍ଡର ଆମି ସାଟର୍ଥୱେଟ୍ ଓ ରସ୍ ଟେଲର୍ ମଧ୍ୟ ସାମିଲ । ୧୭୮୭ରେ ଅସ୍ଥିତ୍ୱକୁ ଆସିଥିବା ଏମ୍ସିସି ଅନ୍ତର୍ଜାତୀୟ କ୍ୟାରିୟର୍ରେ ଆକର୍ଷଣୀୟ ପ୍ରଦର୍ଶନ ପାଇଁ କେତେକ ମହାନ୍ କ୍ରିକେଟର୍ଙ୍କୁ ଆଜୀବନ ସଦସ୍ୟତାରେ ସମ୍ମାନିତ କରିଥାଏ । ସେହିପରି ଯେଉଁମାନଙ୍କର ଏମ୍ସିସି ଅଥବା କ୍ରିକେଟ୍ରେ ଅସାଧାରଣ ଯୋଗଦାନ ଥାଏ, ସେମାନଙ୍କୁ ମଧ୍ୟ ଆଜୀବନ ସଦସ୍ୟତା ପ୍ରଦାନ କରାଯାଇଥାଏ । ଶେଷଥର ପାଇଁ ୨୦୨୧ରେ ଏମ୍ସିସି ୧୮ ଜଣ ନୂଆ ସଦସ୍ୟଙ୍କୁ ଆଜୀବନ ସଦସ୍ୟତା ପ୍ରଦାନ କରିଥିଲା । ଏହା ମଧ୍ୟରେ ଭାରତୀୟ ସ୍ପିନର୍ ହରଭଜନ ସିଂହ ଏବଂ ପୂର୍ବତନ ଫାଷ୍ଟ୍ ବୋଲର୍ ଜଭାଗଲ୍ ଶ୍ରୀନାଥ ମଧ୍ୟ ସାମିଲ ହୋଇଥିଲେ ।