ଯାଜପୁର: ଏକ ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ଦାସ ଓରଫ ପୁନିଆ (୪୨) ଓ ଅଭିମନ୍ୟୁ ଦାସ ଓରଫ ମଣ୍ଟୁଆ (୪୦)ଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଓ ପରେ ଶତ୍ରୁତା ହୋଇଥିଲା । ଗତ ୨୦୧୭ରେ ମଣ୍ଟୁଆଙ୍କ ପତ୍ନୀ ରଶ୍ମିତା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା । ୨୦୧୭ ଜୁଲାଇ ୯ରେ ଦଳେଇ ସାହି ନିକଟରେ ମଣ୍ଟୁଆର ଅନୁପସ୍ଥିତିରେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଗାଳିଗୁଲଜ କରିଥିଲା । ଏହା ଜାଣିବା ବରେ ମଣ୍ଟୁଆ ରାତିରେ ଅନ୍ୟତମ ସହଯୋଗୀ ବିପିନ ଓରପଂ ଖୋକନକୁ ଧରି ପୂର୍ଣ୍ଣ ଘର ପାଖରେ ପହଞ୍ଚିଥିଲା । ମଣ୍ଟୁଆ ଗାଳିଗୁଲଜ କରିବାରୁ ଛାତ ଉପରୁ ଥାଇ ପୂର୍ଣ୍ଣଚନ୍ଦ୍ର ସେମାନଙ୍କ ଉପରକୁ ୪ଟି ବୋମା ପିଂଙ୍ଗିଥିଲା ।
ସେଥିମଧ୍ୟରୁ ୨ଟି ବୋମା ମଣ୍ଟୁଆ ଛାତିରେ ବାଜିଥିବା ବେଳେ ଗୋଟିଏ ଖୋକନ ଗୋଡ଼ରେ ବାଜିଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରଯାଇଥିବା ବେଳେ ସେଠାରେ ମଣ୍ଟୁଆର ମୃତ୍ୟୁ ହୋଇଥିଲା । ଏ ନେଇ ମଣ୍ଟୁଆର ମା’ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଓରଫ ପୁନିଆକୁ ଗିରଫ କରିଥିଲା । ଶୁକ୍ରବାର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସୁନୀଲ କୁମାର ଦାସ ମୋଟ ୨୨ ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ଆଜୀବନ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ନାୟକ ପରିଚାଳନା କରିଥିଲେ ।