ଭୁବନେଶ୍ୱର : କଟକ ସହର ଯେତିକି ପୁରୁଣା, ଏହାର ଐତିହ୍ୟ ଓ ପରମ୍ପରା ମଧ୍ୟ ସେତିକି ସମୃଦ୍ଧ । ପ୍ରାୟ ୫ ଶହ ବର୍ଷ ପୂର୍ବେ କଟକରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା । କୁହାଯାଏ ପ୍ରଥମେ ବାଲୁବଜାର ବିନୋଦ ବିହାରୀ ପୂଜା ମଣ୍ଡପରେ ୧୫୦୯ ମସିହାରେ ଆରମ୍ଭ ହୋଇଥିଲା ସାର୍ବଜନୀନ ଦୁର୍ଗାପୂଜା । ଶ୍ରୀ ଚୈତନ୍ୟ ଦେବ ଏଠାରେ ଘଟ ସ୍ଥାପନ କରି ଦୁର୍ଗାପୂଜା ଆରମ୍ଭ କରିଥିଲେ । ସେହି ସମୟରେ ତାଙ୍କ ସହିତ କିଛି ବାନାର୍ଜୀ ବ୍ରାହ୍ମଣ ପରିବାର ଆସି ଏଠାରେ ରହି ପୂଜା କରିଥିଲେ । ଆଜି ପର୍ଯ୍ୟନ୍ତ ତାହା ବଜାୟ ରହିଛି। ବାଲୁ ବଜାର ବିନୋଦ ବିହାରୀ ମଣ୍ଡପର ସ୍ୱତନ୍ତ୍ରତା ହେଲା-ଏଠାରେ ଯେଉଁ ବ୍ରାହ୍ମଣ ପୂଜା କରନ୍ତି, ସେ ହିଁ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରନ୍ତି । ଏବେ ବି ଚାଲି ଆସିଛି ସେହି ନିଆରା ପରମ୍ପରା ।ଇତିହାସ କୁହେ, ୧୮୩୨ ସାଲରେ ପ୍ରଥମେ କଟକରେ ସାର୍ବଜନୀନ ଦୂର୍ଗା ପୂଜା ପାଳନ କରାଯାଇଥିଲା। ଏହି ପୂଜା ଅନୁଷ୍ଠିତ ହୋଇଥିଲା କାଜି ବଜାର ଅଞ୍ଚଳରେ। ଉଭୟ ବଙ୍ଗାଳୀ ଓ ଓଡ଼ିଆମାନେ ଏକାଠି ହୋଇ ଏହି ପ୍ରଥା ଆରମ୍ଭ କରିଥିଲେ। ସମସ୍ତେ ଥିଲେ ଇଷ୍ଟ ଇଣ୍ଡିଆ କମ୍ପାନିର କର୍ମଚାରୀ। ପ୍ରଥମ ଥର ପାଇଁ ଦଶହରା ପର୍ବ ପାଳନ କରାଯାଉଥିବାରୁ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ ଉଭୟ ସମ୍ପ୍ରଦାୟ ମଧ୍ୟରେ ବିବାଦ ଓ ମତପାର୍ଥକ୍ୟ ଯୋଗୁଁ ଓଡ଼ିଆମାନେ ନିଜ ଉଦ୍ୟମରେ ପୂଜା କରିବା ପାଇଁ ନିଷ୍ପତ୍ତି ନେଲେ। କଟକ ଦଶହରାର ଆଉ ଏକ ସ୍ୱତନ୍ତ୍ର ପରିଚୟ ହେଉଛି ଏଠାକାର ସୁନା ଓ ରୂପାରେ ସଜ୍ଜିତ ଦୂର୍ଗା ମୂର୍ତ୍ତି। ଯେଉଁ ପେଣ୍ଡାଲରେ ମା’ ପୂଜା ପାଉଛନ୍ତି ତାହା ସ୍ଥାୟୀ ମଣ୍ଡପ ଏବଂ କେବଳ ଦଶହରା ପର୍ବ ଉପଲକ୍ଷେ ହିଁ ଏଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଥାନ୍ତି।ଆଉ ଏକ ମତ ଅନୁସାରେ ମହାପ୍ରଭୁ ଚୈତନ୍ୟ କଟକରେ ୧୫୫୦ ସାଲରେ ଦୂର୍ଗା ପୂଜା ଆରମ୍ଭ କରିଥିଲେ, ଯେତେବେଳେ ସେ ନବଦ୍ଵୀପରୁ ପୁରୀ ଆସିଥିଲେ। ତେବେ ଐତିହାସିକ ତଥ୍ୟ ଅନୁଯାୟୀ ବ୍ରିଟିଶ ଶାସନ କାଳରେ ହିଁ କଟକ ସହରରେ ସାର୍ବଜନୀନ ପୂଜା ଆରମ୍ଭ ହୋଇଥିଲା। ସେହିପରି କଟକ ମାଛୁଆବଜାର ସର୍ପାଦୁର୍ଗା ମଣ୍ଡପରେ ୧୭୫୨ ମସିହାରେ ଆରମ୍ଭ ହୋଇଥିଲା ସାର୍ବଜନୀନ ଦୁର୍ଗାପୂଜା । କଲିକତାର ଜମିଦାର ସ୍ୱରୂପ ଚନ୍ଦ୍ର ଦାସ ଏଠାରେ ପୂଜା ଆରମ୍ଭ କରିଥିଲେ । ଏଠାକାର ଭସାଣରେ ରହିଛି ନିଆରା ପରମ୍ପରା । ଭସାଣରେ ମାଆ ଦୁର୍ଗାଙ୍କୁ କୋକେଇରେ ସଜେଇବା ଭଳି ଖଇ କଉଡି ବିଞ୍ଚି ବିସର୍ଜନ କରାଯାଇଥାଏ । ଆଉ ଏକ ପୁରୁଣା ପୂଜା ମଣ୍ଡପ ହେଲା କଟକ ବକ୍ସିବଜାର ଦୁର୍ଗାପୂଜା ସମିତିର ବୀଣାପାଣି କ୍ଲବ୍ ମଣ୍ଡପ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାପା ଜାନକୀନାଥ ବୋଷ ୧୮୮୮ ମସିହାରେ ଏଠାରେ ପୂଜା ଆରମ୍ଭ କରିଥିଲେ । ଚୌଧୁରୀ ବଜାର ଓ ଶେଖ୍ ବଜାର ପୂଜା ମଣ୍ଡପ ବି ବେଶ ପୁରୁଣା । ୧୮୭୫ ମସିହାରେ ପ୍ରଥମେ ହରପାର୍ବତୀ ଓ ପରେ ୧୯୦୨ ମସିହାରୁ ଏଠାରେ ଦୁର୍ଗା ପୂଜା ପାଇ ଆସୁଛନ୍ତି । କଟକର ଚୌଧୁରୀ ବଜାର ପୂଜା ମଣ୍ଡପ ପ୍ରଥମେ ମାଆଙ୍କ ପାଇଁ ଚାନ୍ଦି ମେଢ଼ କରିଥିଲେ । ତା’ପରେ ଶେଖ୍ ବଜାରରେ ମଧ୍ୟ କରାଯାଇଥିଲା ଚାନ୍ଦି ମେଢ଼ । ସମୟ ସହିତ ବଦଳିଛି ପୂଜା ଆୟୋଜନର ଧାରା । କେବଳ ଜରି ଓ କାଗଜ ସାଜସଜ୍ଜାରୁ ଆରମ୍ଭ ହୋଇ ଆଜି ତାହା ପହଞ୍ଚିଛି ଚାନ୍ଦି ମେଢ଼, ସୁନା ମେଢ଼ରେ ।