29.1 C
Bhubaneswar
Saturday, July 27, 2024
Homeଓଡିଶାନେତା ଓ କର୍ମୀ ହତାସ

ନେତା ଓ କର୍ମୀ ହତାସ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବି ଚୁପ୍ । ଓଡ଼ିଶା ଗସ୍ତରେ ଆଜି ଆସିଥିବା ରାଜନାଥ ସିଂ ବିଜେଡି ବିରୋଧରେ ପଦଟୁଏ ବିିଏ କହିଲେ ନାହିଁ । ଦଳୀୟ ନେତା କର୍ମକର୍ତ୍ତା ଓ କର୍ମୀ ବିଜେଡି ବିରୋଧରେ କେନ୍ଦ୍ରୀୟ ନେତାଙ୍କ ମୁହଁରୁ ପଦେ ଶୁଣିବାକୁ ଅନାଇ ବସିଥିବା ବେଳେ ଶେଷରେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଲା । ପ୍ରଧାନମନ୍ତ୍ରୀ ଯେପରି ବିଜେଡି ବଦଳରେ କଂଗ୍ରେସ ଉପରେ ବର୍ଷିକି ଯାଇଥିଲେ ଠିକ୍ ସେହି ଢ଼ଙ୍ଗରେ ରାଜନାଥ ବି ବିଜେଡିକୁ କିଛି ନକହି କଂଗ୍ରେସକୁ ଟାର୍ଗେଟ କରିଥିଲେ । ଓଡ଼ିଶାରେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ନଗଣ୍ୟ ବୋଲି ସମସ୍ତେ ଜାଣନ୍ତି । ହେଲେ ବିଜେପିର ଆଗଧାଡ଼ିର କେନ୍ଦ୍ରୀୟ ନେତାମାନଙ୍କୁ ଯେ ଅବଗତ ନଥିବେ ଏହା କହିବା ବାହୁଲ୍ୟ । ଓଡ଼ିଶାରେ ବିଜେପିର ମୁଖ୍ୟ ରାଜନୈତିକ ଶତ୍ରୁ ହେଉଛି ବିଜେଡି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ ଦେଇ କେନ୍ଦ୍ରୀୟ ନେତାମାନଙ୍କ ମୁହଁରେ ତାଲା ମାରି ନିରାପଦରେ ରହିଛନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଆଇଏମ୍ କ୍ୟାମ୍ପସ ଉଦ୍‌ଘାଟନ କରିବା ପାଇଁ ଗତ ୩ ତାରିଖରେ ସମ୍ବଲପୁର ଆସିଥିବା ବେଳେ ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ କଂଗ୍ରେସ ଉପରେ ମନଭରି ବର୍ଷିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ବିଜେଡିର ନା’ ଧରି ନଥିଲେ । ପ୍ରଧାନମନ୍ତ୍ରୀ ଗସ୍ତକୁ ନେଇ ବେଶ୍ ଉତ୍ସାହିତ ଥିବା ବିଜେପି ନେତା ଓ କର୍ମୀମାନଙ୍କୁ ହତୋତ୍ସାହିତ ହେବାକୁ ପଡ଼ିଥିଲା ।

ଏବେ ରାଜନାଥ ସିଂ ଦିନିକିଆ ଓଡ଼ିଶା ଗସ୍ତରେ ଆସି ତିନୋଟି ସ୍ଥାନରେ ସାଧାରଣ ସଭାରେ ଉଦ୍‌ବୋଧନ ଦେଲେ । ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦା ତିନୋଟି ସଭାରେ ଦଳୀୟ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଲେ । ସମାବେଶରେ ଜନସଂଖ୍ୟା ଦେଖି ବେଶ୍ ଉତ୍ସାହିତ ହେଲେ । ନେତାମାନେ ଆଶା କରୁଥିଲେ ପ୍ରଧାନମନ୍ତ୍ରୀ ନହେଲେ ବି ରାଜନାଥ ନିଶ୍ଚୟ କିଛି ବିଜେଡି ବିରୋଧରେ କହିବେ । ହେଲେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଲା । କେବଳ କଂଗ୍ରେସକୁ ହିଁ ସେ ଟାର୍ଗେଟ କଲେ । କଂଗ୍ରେସ ସମୟରେ ଓଡ଼ିଶାର ବିକାଶ ହେଉନଥିଲା । କେନ୍ଦ୍ରୀୟ ନେତାମାନେ ଆସି ଯେଉଁ ସବୁ ପ୍ରକଳ୍ପର ଶୁଭ ଦେଉଥିଲେ ତାହା କାର୍ଯ୍ୟାକାରୀ ହେଉନଥିଲା । ଜନସାଧାରଣଙ୍କ ବଦଳରେ ପରିବାର ବାଦକୁ କଂଗ୍ରେସ ଗୁରୁତ୍ୱ ଦେଉଥିଲା । ଗରିବ ହଟାଇବା କଥା କହି ବୃଦ୍ଧି କରିଥିଲା । ଦେଶରେ ମୋଦୀ ସରକାର ଆସିଲା ପରେ ଓଡ଼ିଶାର ବିକାଶ ହୋଇଛି । ଓଡ଼ିଶାର ବିକାଶ ପାଇଁ ପର୍ଯ୍ୟାପ୍ତ ଅର୍ଥ ଦିଆଯାଇଛି । ଅଧିକ ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଆବଶ୍ୟକ । ଏଥର ଓଡ଼ିଶାରେ ନିଶ୍ଚୟ ବିଜେପି ସରକାର ଆସିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଓଡ଼ିଶାରେ ଥିବା ବିଜେଡି ସରକାର କୌଣସି ଖରାପ କାମ କରୁଛନ୍ତି ବୋଲି କହି ନଥିଲେ । ରାଜ୍ୟ ନେତାମାନେ ବିଜେଡି ଓ ତା’ର ମୁଖିଆଙ୍କ ବିରୋଧରେ ସକାଳୁ ସନ୍ଧ୍ୟା ବିଷୋଦଗାର କରି ଚାଲିଛନ୍ତି । କିନ୍ତୁ କେନ୍ଦ୍ରୀୟ ନେତାଙ୍କ ମୁହଁରୁ କିଛି ଶବ୍ଦ ବାହାରୁ ନାହିଁ ।

ନିର୍ବାଚନ ପ୍ରାୟ ଆଉ ଦୁଇମାସ ବାକି ରହିଛି । ବିଜେଡି ବିରୋଧରେ ବିଜେପିର କେନ୍ଦ୍ରୀୟ ନେତାମାନଙ୍କ ଆଭିମୁଖ୍ୟ ଭିନ୍ନ ରହିଥିବା ଦେଖାଯାଉଛି । ପ୍ରଧାନମନ୍ତ୍ରୀଙ୍କ ପାଖରେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ପାଖରେ ନିଶ୍ଚୟ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର କିଭଳି ଭାବରେ କାର୍ଯ୍ୟ କରୁଛି ତାହାର ହିସାବ ନିଶ୍ଚୟ ଥିବ । ଏଣୁ ସେମାନେ କୌଣସି ମତ ଦେଉନଥିବାରୁ ପରୋକ୍ଷରେ ଓଡ଼ିଶାରେ ଭଲ ସରକାର ଚାଲିଛି ବୋଲି ସ୍ୱୀକାର କରୁଛନ୍ତି ବୋଲି ଧରିବାକୁ ହେବ । କେନ୍ଦ୍ରୀୟ ଅର୍ଥ ଖର୍ଚ୍ଚ ହେଉନାହିଁ ବାଟମାରଣା ହେଉଛି, ଦୁର୍ନୀତି ବଢ଼ିଛି, ରାଜ୍ୟରେ ନାରୀମାନେ ସୁରକ୍ଷିତ ନୁହଁନ୍ତି ଏସବୁ ଅଭିଯୋଗ ବିଜେଡି ବିରୋଧରେ ଯାହା ରାଜ୍ୟ ନେତାମାନେ ଦୈନିକ ଆଣୁଛନ୍ତି ତାହା ଠିକ୍ ନୁହେଁ ବୋଲି ଏବେ ପ୍ରମାଣିତ ହେଉଛି । ରାଜନୈତିକ ଅଭିସନ୍ଧି ରଖି ବିଜେପି ରାଜ୍ୟ ନେତାମାନେ କହୁଥିବା ଜଣାପଡ଼ୁଛି । ବାରିପଦା ସଭାରେ ରାଜନାଥ ଖୋଲାଖୋଲି ଭାବେ କହିଲେ ମୋଦୀ ସରକାରରେ କେନ୍ଦ୍ରୀୟ ଅର୍ଥ ଆଉ ବାଟମାରଣା ହେଉନି । କେନ୍ଦ୍ର ପଠାଉଥିବା ଶତପ୍ରତିଶତ ଅର୍ଥ ଲୋକଙ୍କ ପାଖରେ ପହଞ୍ଚୁଛି । କଂଗ୍ରେସ ମସୟରେ ମାତ୍ର ୧୪ ପ୍ରତିଶତ ପହଞ୍ଚିଲା ବୋଲି ରାଜୀବ ଗାନ୍ଧୀ ପ୍ରଧାମନ୍ତ୍ରୀ ଥିଲା ବେଳେ କହିଥିଲେ ବୋଲି ରାଜନାଥ ମନ ପକାଇ ଦେଇଥିଲେ । ଏକଥା କହି ନବୀନଙ୍କୁ ସାର୍ଟିଫିକେଟ୍ ଦେଲେ । ନବୀନ ପଟ୍ଟନାୟକ ସରକାର ଯଦି କୌଣସି କାର୍ଯ୍ୟ ରାଜ୍ୟ ପାଇଁ କରୁ ନାହାଁନ୍ତି ତେବେ କେନ୍ଦ୍ରୀୟ ନେତାମାନେ ନିଶ୍ଚୟ ତାହା ଜାଣି ଥା’ନ୍ତେ । କେନ୍ଦ୍ରରୁ ଓଡ଼ିଶାକୁ ପର୍ଯ୍ୟାପ୍ତ ଅର୍ଥ ଆସୁଥିବା କଥା କହିଲେ, ହେଲେ ତାହା ବାଟମାରଣା ହେଉଛି ବୋଲି କହିଲେ ନାହିଁ ।

ଦୁଇ ପ୍ରମୁଖ କେନ୍ଦ୍ରୀୟ ନେତାଙ୍କ ବିଜେଡି ପ୍ରତି ଆଭିମୁଖ୍ୟ ଦେଖିବା ପରେ ଏବେ ବିଜେପି କର୍ମୀ ଓ ନେତାଙ୍କ ମନରେ ପ୍ରଶ୍ନ ଓଡ଼ିଶାରେ ଡବଲ ଇଞ୍ଜିନ୍ ଆଣିବା କଥା କିପରି କହିବେ । ଓଡ଼ିଶାରେ ଥିବା ସରକାର ଯଦି କୌଣସି ଖରାପ କାମ କରୁ ନାହିଁ ତେବେ ତାକୁ ଲୋକେ କାହିଁକି ହଟାଇବେ ଏବଂ ହଟାଇବା ପାଇଁ କ’ଣ କାରଣ କହିବେ । ଲୋକଙ୍କ ମନରେ ବି ପ୍ରଶ୍ନ ରହିବ ବିଜେଡି ଯଦି ଭଲ କାମ କରୁଛି ତେବେ ତାଙ୍କୁ କାହଁକି ହଟାଇବେ । କଂଗ୍ରେସ ବିରୋଧରେ କହି ବିଜେପିକୁ କ୍ଷମତାକୁ ଆଣିବା ପାଇଁ କହିଲେ ଲୋକେ କେବଳ ହସିବେ ବୋଲି ବିଜେପି ନେତାମାନେ ଭାବୁଛନ୍ତି । ଏଠାରେ ସରକାରରେ ବିଜେଡି ଥିବା ବେଳେ ତାକୁ ହଟାଇବା ପାଇଁ କୌଣସି କାରଣ ମୋଦୀ କି ରାଜନାଥ କହିଲେ ନାହିଁ । ଆଗକୁ ଆଉ ଅନେକ କେନ୍ଦ୍ରୀୟ ନେତା ଆସିବାର ରହିଛି । ସେମାନେ ବିଜେଡି ପ୍ରତି କିଭଳି ଆଭିମୁଖ୍ୟ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking